ଜଗତସିଂହପୁର: ଜଗଗତସିଂହପୁର ଜିଲ୍ଲାରେ ପ୍ରଥମରୁ ମୌସୁମୀ ବର୍ଷାର ଅନିୟମିତତା ଓ କେନାଲ ପାଣି ପହଞ୍ଚି ନଥିବାରୁ ଖରିଫ୍ ଚାଷ କାମ ପଛେଇ ଯାଇଛି। ଚାଷୀ ଚିନ୍ତାରେ। ରୁଆ ବେଉଷଣ ପଛେଇ ଯାଇଛି। କେନାଲ ପାଣି ଠିକଣା ସମୟରେ ନ ପହଞ୍ଚିବାରୁ ଚାଷୀ ତଳିଘେରା ବଞ୍ଚାଇବା ବଡ଼ ଆହ୍ବାନ ଥିଲା। ଗତ ଦୁଇ ଦିନର ଲଘୁଚାପ ବର୍ଷା ଚାଷ କାମ ପାଇଁ ତଥାପି ନିଅଣ୍ଟ ବୋଲି ଚାଷୀଙ୍କ ମତ। ଏଭଳି ସ୍ଥିତିରେ କେନାଲ ପାଣି ଠିକ୍ ଭାବେ ଚାଷ ଜମିରେ ପହଞ୍ଚାଇବା ପାଇଁ ଜଳସମ୍ପଦ ବିଭାଗ ପ୍ରାଥମିକତା ଦେବା ଉଉଚିତ ବୋଲି ସେମାନେ ମତ ଦେଇଛନ୍ତି। ବିଶେଷକରି କେନାଲ ପାଣି ଉପରେ ଭରସା କରୁଥିବା ନାଉଗାଁ, କୁଜଙ୍ଗ ଓ ଏରସମାର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।
ବର୍ଷାର ଅଭାବ ଯୋଗୁଁ ଜିଲ୍ଲାରେ ଖରିଫ ଫସଲ ନଷ୍ଟ ହେବାକୁ ବସିଲାଣି। କେନାଲରେ ପାଣି ମଧ୍ୟ ଆସିବାରେ ବିଳମ୍ବ ହୋଇଛି। ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୭୮୧ ମିମି ବର୍ଷା ହୋଇଛି। ସେଥିରୁ ୨୨ ତାରିଖରେ ସର୍ବାଧିକ ୭୪୬ ମିମି ବର୍ଷା ଓ ୨୦ ତାରିଖରେ ୨୩୮ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ଚାଷୀମାନଙ୍କ ପାଇଁ ଆଶାରଝଲକ। ନଚେତ ପୂର୍ବରୁ ଜିଲ୍ଲାକୁ ସର୍ବନିମ୍ନ ୨୭୭.୦୩ ମିମି ବର୍ଷା ଆବଶ୍ୟକ ଥିବା ବେଳେ ଏହି ମାସରେ ମାତ୍ର ୧୩୨ ମିମି ବର୍ଷା ହୋଇଥିଲା। ଫଳରେ ଏଥର ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବ ବୋଲି ଚାଷୀମାନେ ଚିନ୍ତା କରିଥିଲେ।
ସୂଚନା ମୁତାବକ, ତାଳଦଣ୍ଡା କେନାଲ ଦ୍ବାରା ଜିଲ୍ଲାରେ ୨୨,୮୨୫ ହେକ୍ଟର ଓ ମାଛଗାଁ କେନାଲ ଦ୍ବାରା ୩୪,୦୮୩ ହେକ୍ଟର ଚାଷ ଜମି ଜଳସେଚିତ ହୁଏ। ୭ ହଜାର ହେକ୍ଟର ଉଠା ଜଳସେଚ ପ୍ରକଳ୍ପ ଓ ଅନ୍ୟ ୧୩,୭୩୦ ହେକ୍ଟର ଚାଷ ଜମି ଅନ୍ୟ ଉପାୟରେ ଜଳସେଚନ କରାଯାଉଛି। ଏଣୁ କେନାଲ ପାଣି ଟିକିଏ ଆଗୁଆ ଛଡ଼ା ଯାଇଥିଲେ ଏମିତି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ଚାଷୀମାନେ କହିଛନ୍ତି।
ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଗତକାଲି କୃଷି ବିଭାଗ ସଚିବ ଆସିଥିଲେ। ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ସେତେଟା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇ ନାହିଁ। କେନାଲରେ ଇତି ମଧ୍ୟରେ ପାଣି ଛଡ଼ା ଯାଇଛି। କିଛି ଅଞ୍ଚଳରେ ପାଣି ପହଞ୍ଚି ସାରିଥିବା ବେଳେ ଆଉ କିଛି ଅଞ୍ଚଳକୁ ଟିକିଏ ବିଳମ୍ବ ହେବ। ନିର୍ଦ୍ଧାରିତ ସମୟରେ କେନାଲରେ ପାଣି ଛଡ଼ା ଯାଇଛି। ଯେହେତୁ ବର୍ଷା ଟିକିଏ ବିଳମ୍ବ ହେଲା, ସେଥିପାଇଁ ସମସ୍ୟା ବଢ଼ିଯାଇଛି। ମାତ୍ର ଲଗାଣ ବର୍ଷା ସାଙ୍ଗକୁ କେନାଲରେ ପାଣି ଆସି ଯାଇଥିବାରୁ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/PADDY_6.jpg)