କେନାଲ ନାହିଁ, ଅସରାଏ ବର୍ଷା ଚାଷକୁ ନିଅଣ୍ଟ; ଅଚଳ ପଡ଼ିଛି ଉଠାସେଚ ପ୍ରକଳ୍ପ

ଗାରୋଇ: ନାଉଗାଁ ବ୍ଲକର ଅଣଜଳସେଚିତ ଅଞ୍ଚଳରେ ଚଳିତ ଖରିଫ୍‌ ଚାଷ ଅବସ୍ଥା ବେହାଲ। ମୌସୁମୀ ବର୍ଷା ଏଥର ଚାଷୀଙ୍କୁ ଧୋକା ଦେଇଛି। ଗଲା ଦୁଇ ଦିନ ହେଲା ଯେଉଁ ଅସରାଏ ବର୍ଷା ହୋଇଛି ତାହା ଚାଷକାମକୁ ନିଅଣ୍ଟ। ଏଣେଉଠାସେଚ ପ୍ରକଳ୍ପଗୁଡ଼ିକ ଅଚଳ ହୋଇ ପଡ଼ିଛି। କୃଷି ବିଭାଗର ତଥ୍ୟ ମୁତାବକ ନାଉଗାଁ ବ୍ଲକର ଗଜରାଜପୁର, ରୋହିଆ, ଜାମୁଗାଁ, ଗଳଦାରୀ, ଅଲଣା ପ୍ରଭୃତି ପଂଚାୟତକୁ ଛାଡି ଦେଲେ ଅନ୍ୟ ୧୧ ଟି ପଂଚାୟତର ଚାଷୀମାନେ ଚାଷ ସମ୍ପୂର୍ଣ୍ଣ ଭାବେ ବର୍ଷା ଜଳ ଉପରେ ନିର୍ଭରଶୀଳ। କିନ୍ତୁ ଏହି ବ୍ଲକର ନାଉଗାଁ, ବଛାଳୋ, ଘୋଡାଂଶ, ବାଂଶ, ତିରୁଣା, ଡେରିକ, କୋରୁଅ, ଶିଖର, ଓଷକଣା ଓ ଡାବର ପ୍ରଭୃତି ପଂଚାୟତ ଅଣ ଜଳସେଚିତ। ଜୁଲାଇ ମାସ ଶେଷ ହେବାକୁ ବସିଲାଣି। ବର୍ଷା ଅଭାବରୁ ଚାଷ କାମ ଆରମ୍ଭ ହୋଇ ପାରୁନାହିଁ। ବ୍ଲକ୍‌ ସହକାରୀ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ କହିଛନ୍ତି ୧ରୁ ୧୪ ତାରିଖ ମଧ୍ୟରେ ୩୮ ମିଲିମିଟର ବ‌େର୍ା ହୋଇଥିବା ବେଳେ ୧୪ରୁ ୨୧ ତାରିଖ ମଧ୍ୟରେ ମାତ୍ର ୧୦ ମିମି ବ‌େର୍ଷା ରେକର୍ଡ଼ କରାଯାଇଛି। ଯାହା ଜୁଲାଇ ମାସର ସ୍ବାଭାବିକ ବର୍ଷା ଠାରୁ ଢେର କମ୍‌। ଚଳିତ ସପ୍ତାହରେ ବର୍ଷା ପରିମାଣ ବୃଦ୍ଧି ନହେଲେ ସ୍ଥିତି ସାଂଘାତିକ ହେବ।

ଚାଷୀଙ୍କ ମୁହଁରୁ….

ଚାଷିର ଯେଉଁ ଦୁଃଖକୁ ସେହି ଦୁଃଖ, ଧାନ ଠାରୁ ଆରମ୍ଭ କରି ଚିନାବାଦମ ଫସଲ ସହିତ ସବୁଥିରେ ଅଭାବି ବିକ୍ରିି ହେଉଛି, ଜଳ ସେଚନ ସୁବିଧାରୁ ଆମ ଅଂଚଳର ଚାଷୀମାନେ ସମ୍ପୁର୍ଣ୍ଣ ବଂଚିତ ରହିଥିବା ବେଳେ ଚଳିତ ବର୍ଷ ମୌସୁମୀ ବର୍ଷା ଠିକ ଢଙ୍ଗରେ ନହେବା ସେହି ସମସ୍ୟାକୁ ବହୁ ଗୁଣିତ କରିଦେଇଛି।
କୃତ୍ତିବାସ ମୁଦୁଲି
(ପ୍ରମୁଖ ଚାଷୀ ସାଳିଜଙ୍ଗା ଶିଖର ପଂଚାୟତ)

ମୁଁ ୪ ଥର ରାଜ୍ୟ ବାହାରକୁ କୃଷି କ୍ଷେତ୍ର ପରିଦର୍ଶନ ପାଇଁ ଯାଇଛି, ସବୁ ରାଜ୍ୟରେ ଜଳ ସେଚନକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ଆମ ଅଂଚଳ ସେଥିରୁ ବଂଚିତ। ବର୍ଷା ଜଳ ହିଁ ଏଠାକାର ଚାଷୀଙ୍କ ପାଇଁ ଏକମାତ୍ର ବିକଳ୍ପ, ଏବର୍ଷ ସ୍ବଳ୍ପ ବର୍ଷା ହେଉଥିବାରୁ ଏପର୍ଯ୍ୟନ୍ତ ଧାନ ତଳି ପଡିପାରିନାହିଁ।
ବସନ୍ତ ସ୍ବାଇଁ
(କୃଷି ସମ୍ମାନ ପ୍ରାପ୍ତ ଚାଷୀ, ଡେରିକ)

ସରକାର କୃଷକମାନଙ୍କ ପାଇଁ ଅନେକ ଯୋଜନା କରୁଥିବା କହୁଛନ୍ତି, କିନ୍ତୁ ଅଂଚଳରେ ସେ ସବୁ ଯୋଜନା ସ୍ବପ୍ନ। ଚାଷୀ ଜଳସେଚନ ସୁବିଧାରୁ ବଂଚିତ। କେବଳ ଇନ୍ଦ୍ରରାଜାଙ୍କ ଉପରେ ଭରସା କରିଛୁ।
ନିରଂଜନ ସେନାପତି (କୋରୁଅ)

ଆମ ପଂଚାୟତରେ ଧାନ ଓ ପନିପରିବା ଚାଷ ହୋଇଥାଏ। ଉପର ମୁଣ୍ତରେ କେନାଲ ଖୋଳା ଚାଲିଥିବାରୁ ଚଳିତ ବର୍ଷ କେନାଲ ପାଣି ଆସି ପାରିନାହିଁ। ଆମ ଅଂଚଳରେ ଗୋଟିଏ ବି ଉଠା ଜଳସେଚନ ପ୍ରକଳ୍ପ ନାହିଁ।
ପବିତ୍ର ସେଠୀ (ଡାବର)
ଚଳିତ ବର୍ଷ ସ୍ବଳ୍ପ ବର୍ଷା ଚାଷ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ସେହି କାରଣରୁ ଧାନର ତଳି ଏପର୍ଯ୍ୟନ୍ତ ପଡ଼ି ପାରିଲା ନାହିଁ। ଭଟଣା ରାଜସ୍ବ ଗ୍ରାମରେ ଦୁଇ ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ବନ୍ଦ ହୋଇପଡିଥିବା ବେଳେ ଏକ ନୂତନ ଜଳ ସେଚନ ପ୍ରକଳ୍ପ ଦାବି କେବେ ପୂରଣ ହେବ ?
ବିଶ୍ବନାଥ ନାୟକ (ଚାଷୀ ଓଷକଣା)

ଗୋବରୀ ନଦୀର କଅଁରପଦା ନାଳି ଠାରେ ଏକ ସ୍ଲୁଇସ୍‌ ଗେଟ ୨୫ ବର୍ଷ ହେବ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ବିଭାଗୀୟ ଉଦାସୀନତା ଯୋଗୁଁ ସେଥିରେ ଫାଟକ ଲଗାଯାଇନାହିଁ, ଫଳରେ ଟଙ୍କା ପାଣିରେ ପଡିବା ସାର ହେଉଛି। ଏଦିଗରେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ।
ଚକ୍ରଧର ସ୍ବାଇଁ (ତିରୁଣା)

ସମ୍ବନ୍ଧିତ ଖବର