ବିଦ୍ୟାଳୟ ଖୋଲିଲା, ଶିକ୍ଷକ ଅଭାବରୁ ସମସ୍ୟାରେ ରାମଚନ୍ଦ୍ର ବିଦ୍ୟାପୀଠ

ଚାନ୍ଦୋଳ: ଦୀର୍ଘ ଦୁଇବର୍ଷ ହେଲା ମହାମାରୀ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଶିକ୍ଷା। ସ୍କୁଲ କଲେଜ ବନ୍ଦ ହେବା ସହ ଅନ୍‌ଲାଇନ୍‌ରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ମଧ୍ୟ ସଭିଙ୍କ ନିକଟରେ ପହଂଚି ପାରି ନାହିଁ। ବିନା ପରୀକ୍ଷାରେ ଦଶମ ଫଳାଫଳକୁ ନେଇ ମଧ୍ୟ ବାଦବିବାଦ ଉପୁଜିଛି। ଏହା ପରେ ସରକାର ଚଳିତମାସ ୨୬ ତାରିଖରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କରୋନା କଟକଣାରେ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ଏବେ ଶିକ୍ଷାଦାନକୁ ନେଇ ଶିକ୍ଷକ ଅଭାବର ଆଉ ଏକ ସମସ୍ୟା ଦେଖାଦେଇଛି।

ପ୍ରାୟ ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକତା ଠାରୁ କମ୍ ଶିକ୍ଷକ ରହିଛନ୍ତି। କେନ୍ଦ୍ରାପଡ଼ା ତଥା ଡେରାବିଶ ଶିକ୍ଷା ସର୍କଲ ଅଧୀନ ପଲେଇ ପଞ୍ଚାୟତ ଅନ୍ତର୍ଗତ ସବଳଙ୍ଗ କଣିପଡ଼ାସ୍ଥିତ ରାମଚନ୍ଦ୍ର ବିଦ୍ୟାପୀଠ ଏକ ଉଦାହାରଣ। ଏହି ବିଦ୍ୟାଳୟର ନବମ ଶ୍ରେଣୀରେ ୪୯ ଜଣ ଓ ୧୦ମ ଶ୍ରେଣୀରେ ୫୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅବସର ନେବା ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବରେ ବରିଷ୍ଠ ଶିକ୍ଷକ ଅଜୟ କୁମାର ବରାଳ(ପିସିଏମ୍) ଦାୟିତ୍ବ ନିର୍ବାହ କରୁଛନ୍ତି। କିନ୍ତୁ ଏହି ବିଦ୍ୟାଳୟରେ ଆବଶ୍ୟକତାଠାରୁ ଢେର କମ୍‌ସଂଖ୍ୟକ ଶିକ୍ଷକ, ଅର୍ଥାତ୍ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି। ଗ୍ରାମାଞ୍ଚଳରେ ଗଢ଼ି ଉଠିଥିବା ଏହି ବିଦ୍ୟାଳୟରେ ସଂଖ୍ୟାଲଘୁ ଛାତ୍ରଛାତ୍ରୀ ପଢ଼ୁଥିବାରୁ ଜଣେ ଉର୍ଦୁ ଶିକ୍ଷକ ଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟଜଣେ ସହକାରୀ ଶିକ୍ଷକ ଅଛନ୍ତି।

ନିକଟସ୍ଥ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କୁ ସପ୍ତାହକୁ ତିନିଦିନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଡେପୁଟେସନ୍‌ରେ ପଠାଇଛନ୍ତି। ପ୍ରଧାନଶିକ୍ଷକ ଶ୍ରୀ ବରାଳଙ୍କ ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଜଣେ ସିବିଜେଡ଼୍, ଦୁଇଜଣ ଟିଜିଟି ଓ ଜଣେ କ୍ଲାସିକାଲ୍ (ସଂସ୍କୃତ) ଶିକ୍ଷକଙ୍କର ଆବଶ୍ୟକତା ରହିଛି। ବର୍ତମାନ ପରିସ୍ଥିତିରେ ଦଶମଶ୍ରେଣୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଦୁଇଟି ସେକ୍ସନ କରାଯାଇ ପାଠ ପଢ଼ାଇବାକୁ ହେବ। ହେଲେ ଆବଶ୍ୟକ ହେଉଥିବା ଶିକ୍ଷକ ନିଯୁକ୍ତି ପାଇଁ ବିଦ୍ୟାଳୟର ଏସ୍‌ଏମ୍‌ଡିସି ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବରାଳଙ୍କ ଦ୍ବାରା ଆହୁତ ବୈଠକରେ ଏବେ ଏସ୍‌ଏମ୍‌ଡିସି ଓ ମୋ ବିଦ୍ୟାଳୟ କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ତାର ନିଜସ୍ବ ଉଦ୍ୟମରେ ସ୍ଥାନୀୟ ଅଂଚଳର ତିନିଜଣ ଶିକ୍ଷିତ ସ୍ବେଚ୍ଛାସେବୀ ଯୁବକଙ୍କ ଦ୍ବାରା ପାଠ ପଢ଼ାଇବାକୁ ସ୍ଥିର କରିଛନ୍ତି। ତେବେ ଏହା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ଗ୍ରାମାଞ୍ଚଳର ବହୁ ମେଧାବୀ ଗରିବ ଛାତ୍ରଛାତ୍ରୀ ସରକାରୀ ସ୍କୁଲକୁ ନିର୍ଭର କରି ପଢ଼ିବାକୁ ଆସିଥିବା ବେଳେ ସେମାନଙ୍କୁ ଉଚିତ୍ ଶିକ୍ଷାଦାନ କରିବା ସରକାରଙ୍କ କର୍ତବ୍ୟ। ଏଥିରେ ସହଯୋଗ କରିବା ପାଇଁ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ଏବଂ ମୋ ବିଦ୍ୟାଳୟ କମିଟି ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର