ଡେରାବିଶ ହାଇସ୍କୁଲରେ ଶିକ୍ଷାଦାନ ବିପର୍ଯ୍ୟସ୍ତ, ୫୧୫ ଛାତ୍ରଛାତ୍ରୀଙ୍କୁ ୬ ଶିକ୍ଷକ

ଡେରାବିଶ: ୧୯୫୧ରେ ପ୍ରତିଷ୍ଠିତ ଐତିହାସିକ ଡେରାବିଶ ହାଇସ୍କୁଲରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଝାଟିମାତିରୁ ଆରମ୍ଭ ହୋଇଥିବା ଏହି ସ୍କୁଲ୍‌ ‘ସ୍ମାର୍ଟ ହାଇସ୍କୁଲ’ର ମାନ୍ୟତା ପାଇଛି। ଡିଜିଟାଲ୍‌ କ୍ଲାସରୁମ ସହିତ ଚକାଚକ ରାସ୍ତା ଓ ପକ୍କା ଶ୍ରେଣୀଗୃହକୁ ଦେଖିଲେ ସତେ ଯେମିତି ଲାଗିବ ଆଉ କୈାଣସି ସମସ୍ୟା ନାହିଁ। ହେଲେ ସମସ୍ୟା ଏହି ବିଦ୍ୟାଳୟର ପିଛା ଛାଡ଼ୁନାହିଁ। ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିବା ଏହି ବିଦ୍ୟାଳୟରେ ୫୬୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ ଓ ଶ୍ରେଣୀଗୃହ ସମସ୍ୟା ଚିନ୍ତାର କାରଣ ହୋଇଛି। ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୫୨ଜଣ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହରେ ବସି ପଢୁଛନ୍ତି। ବର୍ଷାଧିକ କାଳ ବିଦ୍ୟାଳୟର ପ୍ରାଥମିକ ଶ୍ରେଣୀ ପାଇଁ ଶିକ୍ଷକ ପଦବି ଖାଲି ପଡିଥିବା ବେଳେ ମାସେ ହେଲା ଜଣେ ଶିକ୍ଷକଙ୍କୁ ଏହି ବିଦ୍ୟାଳୟରେ ଯୋଗ ଦେବା‌ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଏଯାବତ ସେ ଏଠାକୁ ଆସି ନାହାନ୍ତି। ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି। ଅପରପକ୍ଷରେ ଏହି ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ପିଇଟି ଶିକ୍ଷୟିତ୍ରୀ ଜଣକ ଜଗିରହୁଥିବା ଦେଖାଯାଇଛି। ସେହିପର ଷଷ୍ଠ ଓ ସପ୍ତମ ଶ୍ରେଣୀରେ ସମାନ ସଂଖ୍ୟକ ୮୩ଜଣ ଏବଂ ଅଷ୍ଟ ଶ୍ରେଣୀରେ ସପ୍ତମ ଶ୍ରେଣୀରେ ୯୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶ୍ରେଣୀଗୃହର ଅଭାବ ଯୋଗୁଁ ପ୍ରତ୍ୟେକ ଶ୍ରେଣୀର ଛାତ୍ରଛାତ୍ରୀ ଖୁନ୍ଦାଖୁନ୍ଦି ହୋଇ ପଢୁଛନ୍ତି।

ଉଚ୍ଚ ପ୍ରାଥମିକ ଶ୍ରେଣୀର ୨୬୫ ଜଣ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ୯ ଜଣ ଟ୍ରେଂଡ ଇଂଟର ମିଡିଏଟ ଓ ଇଂଟର ମାଟ୍ରିକ ଶିକ୍ଷକଙ୍କ ପଦବି ରହିଥିବା ବେଳେ ବର୍ଷାଧିକ କାଳ ହେବ ମାତ୍ର ୪ଜଣ ଶିକ୍ଷକରେ ବିଦ୍ୟାଳୟ ଚାଲି ଆସୁଥିଲା। ହେଲେ ଗତ ସପ୍ତାହରେ ଏହି ଶିକ୍ଷକମାନଙ୍କ ମଧ୍ୟରୁ ୨ଜଣ ଶିକ୍ଷୟିତ୍ରୀ ପଦୋନ୍ନତି ପାଇଥିବାରୁ ବିଭାଗ ସେମାନଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରି ଦିଆଯାଇଛି। ଏଥିସହିତ ଏହି ବିଦ୍ୟାଳୟର ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୨୫ ଜଣ ଛାତ୍ରଛାତୀ ଗୋଟିଏ ଶ୍ରେଣୀ ଗୃହରେ ବସି ପାଠ ପଢୁଛନ୍ତି। ସେହିପରି ଦଶମରେ ପଢୁଥିବା ୧୨୪ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ସେକ୍‌ସନ୍‌ ସହିତ ଦୁଇଟି ଶ୍ରେଣୀଗୃହର ବ୍ୟବସ୍ଥା କରାଯାଇଛି। ଅପରପକ୍ଷରେ ଏହି ସ୍ମାର୍ଟ ହାଇସ୍କୁଲରେ ନିୟମିତ କିରାଣି ନଥିବା ବେଳେ ୨ଟି ପିଅନ ପଦବି ଖାଲି ପଡିଛି।
ଏହି ଗୈାରବମୟ ହାଇସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିଥିବା ଦେଖି ଅବିଭାବକ ଓ ଅଂଚଳବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ସନ୍ଦୀହାନ ହୋଇ ପଡ଼ିଛନ୍ତି। ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଅଂଚଳବାସୀ ଆନ୍ଦୋଳନ କରିବେ ବୋଲି ପ୍ରାକ୍ତନ ଛାତ୍ର ତଥା ଗୋଲରାହାଟ ସରପଂଚ କାଶିନାଥ କାଣ୍ତି, ପ୍ରାକ୍ତନ ସରପଂଚ ତ୍ରୀଲୋଚନ ରାଉତ, ବିପିନ ବିହାରୀ ସାହୁଙ୍କ ସମେତ ଅଂଚଳର ବୁଦ୍ଧିଜିବୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର