ଜୟପୁର: ରାଜ୍ୟ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ବୈଷୟିକ ଚିକିତ୍ସା ପଦ୍ଧତିରେ ଉନ୍ନତ ଓ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ରଖିଛନ୍ତି। ତେବେ ତାହା ସଠିକ ଭାବେ ଏପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହୋଇ ପାରିନି। ୯୮.୫କୋଟିରେ ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ଡିଏଚଏଚ କୋଠାର ନିର୍ମାଣ କାମ ସରିବା ନାଁ ଗନ୍ଧ ଦେଖା ଯାଉନି। ଅଗଷ୍ଟ ମାସ ଶେଷ ସୁଦ୍ଧା ଏହାର କାମ ସାରିବାକୁ ଜିଲ୍ଲାପାଳ ରୋଗୀକଲ୍ୟାଣ ସମିତି ବୈଠକରେ ଦେଇଥିବା ନିର୍ଦ୍ଦେଶ ବି ଫୁସକି ମାରିଛି। ଅପରପକ୍ଷରେ ଡିଏଚଏଚରେ ୧୭୦ଟି ଶଯ୍ୟା ରହିଥିବା ବେଳେ ସବୁ ରୋଗୀଙ୍କୁ ଶଯ୍ୟା ଯୋଗାଇବା ସମ୍ଭବ ପର ‌ନ ହେବାରୁ ବହୁ ରୋଗୀଙ୍କୁ ବିଭିନ୍ନ ୱାର୍ଡର ବାରଣ୍ଡାରେ ଶୁଆଇ ଚିକିତ୍ସା କରାଯାଉଛି।

Advertisment

ଡିଏଚଏଚରେ ଯେଉଁ ସବୁ ସେବା ଓ ସୁବିଧା ରୋଗୀ ମାନେ ପାଇ ପାରିବା କଥା ତାହା ପାଇପାରୁ ନାହାନ୍ତି। ପଚାରିଲେ ୭ମହଲାର ନିର୍ମାଣ କାମ ସରିଲେ ସବୁ ସେବା ଓ ସୁବିଧା ମିଳିବ ବୋଲି ଡିଏଚଏଚ ପକ୍ଷରୁ ଉତ୍ତର ମିଳୁଛି। ଅପରପକ୍ଷରେ ଏଠାରେ ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁ ନଥିବାର ସୁଯୋଗରେ ବହୁ ଘରୋଇ କ୍ଲିନୀକ ଡିଏଚଏଚ୍ ଚାରି ପଟେ ମହୁମାଛି ଭଳି ଘେରି ବିଭିନ୍ନ ପରୀକ୍ଷା ନିରୀକ୍ଷା ଆରମ୍ଭ କରି ରୋଗୀଙ୍କ ଠାରୁ ଟଙ୍କା ଶୋଷିବା ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ପାଞ୍ଚବର୍ଷ ତଳେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମକାପୁଟସ୍ଥ ମାତୃ ଓ ଶିଶୁ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲା। ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବା ପରେ ଅନ୍ତଃବିଭାଗରେ ଶହେ ଶଯ୍ୟାରୁ ଶହେ ସତୁରିକୁ ବୃଦ୍ଧି କରାଯାଇଛି। ତା’ ବାଦେ ବି ରୋଗୀ ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ୁଛି। ତେବେ ସବୁ ରୋଗୀଙ୍କୁ ସବୁ ୱାର୍ଡରେ ଗତ କିଛିଦିନ ହେବ ଶଯ୍ୟା ମିଳି ପାରୁନି। ଏଥି ପାଇଁ ୯୯.୮୫କୋଟି ବ୍ୟୟରେ ଏହି ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିର୍ମାଣ ଆରମ୍ଭ କରାଇଛନ୍ତି। କୋରାପୁଟରୁ ଜୟପୁରକୁ ଡିଏଚଏଚ ସ୍ଥାନାନ୍ତରର ୫ବର୍ଷ ପରେ ବି କେନ୍ଦ୍ରୀୟ ଔଷଧାଗାର, ନିଦାନ ପରୀକ୍ଷା କେନ୍ଦ୍ର ସହ ବିଭିନ୍ନ ବୈଷୟିକ ପରୀକ୍ଷାଗାର, ସିଟିସ୍କାନ ଏବେ ବି କୋରାପୁଟ ବଡ ମେଡିକାଲ କଲେଜ ପରିସରରେ ଓ ୫କିଲୋ ମିଟର ଦୂରରେ ସହର ମଧ୍ୟରେ ଥିବା ଉପଖଣ୍ଡ ଡାକ୍ତରଖାନା ପରିସରରେ ରକ୍ତଭଣ୍ଡାର କାର୍ଯ୍ୟକାରୀ ହେଉଛି।

publive-image Sambad

ଏସବୁ ବାଦେ ଖାଲି ପଡ଼ିଥିବା ଡାକ୍ତରଙ୍କ ପଦବୀ ପୁରଣ ହୋଇ ପାରୁନି। ୧୧୪ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୫୭ଜଣ ରହିଛନ୍ତି। ୭ମହଲା ୨୦୨୧ମସିହାରେ ଠିକା ସଂସ୍ଥା କାମ ଆରମ୍ଭ କରିଥିବା ବେଳେ ଗତ ଅଗଷ୍ଟ ସୁଦ୍ଧା ଏହି କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଆସନ୍ତା ସେପ୍ଟମ୍ବର ମାସ ସୁଦ୍ଧା ୫୬ଟି କ୍ବାର୍ଟର୍ସ, ସହ ୭ମହଲା ଜିଲ୍ଲାମୁଖ୍ୟଚିକିତ୍ସାଳୟ ସହ ଅନ୍ୟାନ୍ୟ କୋଠା ଗୁଡିକର କାମ ସରି ହସ୍ତାନ୍ତର କରିବା ପାଇଁ ରୋଗୀ କଲ୍ୟାଣ ସମିତି ବୈଠକରେ ଧାର୍ଯ୍ୟ କରାଯାଇଥିଲା। ୭ମହଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ୩ଟି ମହଲା ଏ ପର୍ଯ୍ୟନ୍ତ ନିର୍ମାଣ ସରିଛି। ଆହୁରି ୪ଟି ମହଲାର ନିର୍ମାଣ କାମ ସହ କୋଠାର ବାହାର ଏବଂ ଭିତରର ସାଜସଜ୍ଜା, ଅତ୍ୟାଧୁନିକ ଚିକିତ୍ସା ସେବା ପାଇଁ ବୈଷୟିକ ଯନ୍ତ୍ରାଂଶ ଆଦିର ସ୍ଥାପନ କରିବା କାମ ବି ବାକି ରହିଛି। ଏହା ସହ ପୁଣି ୫ଟି ଯୋଜନାରେ ଆମ ହସ୍ପିଟାଲରେ ବି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ବି ସାମିଲ କରାଯାଇଛି। ୭ମହଲା ଡିଏଚଏଚ୍ ନିର୍ମାଣ ସରିଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁଃଖ ଏକାଥରକେ ଦୂର ହେବ, ସବୁ ବିଭାଗ ଏକା ସ୍ଥାନରେ କାର୍ଯ୍ୟକାରୀ ହେବ ବୋଲି ଡିଏଚଏଚ୍ ପକ୍ଷରୁ କୁହାଯାଉଛି। ଉପଖଣ୍ଡ ଡାକ୍ତରଖାନାରୁ ଜିଲ୍ଲା ଡାକ୍ତରଖାନା ହେବା ପରେ ରୋଗୀ ସେବାରେ ସୁଧାର ଆସି ନଥିବା ବେଳେ ୭ମହଲା ହେଲେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇଗଲେ ଅଞ୍ଚଳବାସୀ ବିଶେଷ ଉପକୃତ ହୋଇ ପାରିବେ।