ପଛୁଆ ଅଞ୍ଚଳର ଆଗୁଆ ମହିଳା; ମାଛ ଚାଷ କରି ହୋଇଛନ୍ତି ସ୍ବାବଲମ୍ବୀ

ରାୟଗଡ଼ା: ପୂର୍ବରୁ ବଢ଼ି, ପାମ୍ପଡ଼, ଆଚାର, ମସଲା, ଝାଡ଼ୁ ପ୍ରସ୍ତୁତ କରି ବିକ୍ରି କରୁଥିଲେ। ଆର୍ଥିକ ସ୍ଥିତିରେ ଯଦିଓ ସୁଧାର ଆସିଥିଲା ଜିଲ୍ଲାର ଅଧିକାଂଶ ସ୍ବଂୟ ସହାୟକ ଗୋଷ୍ଠୀ ଏହି ବ୍ୟବସାୟ କରୁଥିବାରୁ ବେଶୀ ଲାଭ ହେଉନଥିଲେ। କିଛି ଅଲଗା କରିବାର ପ୍ରଚେଷ୍ଟା କରି ଶେଷରେ ସଫଳ ହୋଇଛନ୍ତି ଦୟା ସାଗର ସ୍ବଂୟ ସହାୟକ ଗୋଷ୍ଠୀ। ନୂଆ ବ୍ୟବସାୟ ଭାବେ ମାଛ ଚାଷକୁ ଆପଣାଇ ନିଜ ଉଦ୍ୟମରେ ଗତ ୭ ମାସରେ ୪ କ୍ବିଣ୍ଟାଲ୍ ମାଛ ଉତ୍ପାଦନ କରି ଲକ୍ଷାଧିକ ଟଙ୍କାର ବ୍ୟବସାୟ କରିଛନ୍ତି। ଯାହା ଅନ୍ୟ ସ୍ବଂୟ ସହାୟକ ଗୋଷ୍ଠୀ ପାଇଁ ଏବେ ପ୍ରେରଣା ପାଲଟିଛି। ରାୟଗଡ଼ା ଜିଲ୍ଲାର ସବୁଠୁ ପଛୁଆ ବ୍ଲକ୍ ଭାବେ ପରିଚିତ ଚନ୍ଦ୍ରପୁର। ଏହି ବ୍ଲକର ହନୁମନ୍ତପୁର ପଞ୍ଚାୟତରେ ରହିଛି ବେଲାମଗୁଡା ଗ୍ରାମ। ଗ୍ରାମର ୨୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନେଇ ଗଠନ ହୋଇଛି ଦୟା ସାଗର ସ୍ବଂୟ ସହାୟକ ଗୋଷ୍ଠୀ। ଗତ ୭ ମାସ ତଳେ ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟା ୫୦ ହଜାର ଟଙ୍କା ବ୍ୟୟରେ ଆରମ୍ଭ କରିଥିଲେ ମାଛ ଚାଷ। ଗାଁରେ ଥିବା ପୋଖରୀକୁ ସଫା ସୁତୁରା କରି ମତ୍ସ୍ୟ ବିଭାଗ ଓ ଓଡ଼ିଶା ଜୀବିକା ମିଶନ୍ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ୨୦ ହଜାର ଟଙ୍କା ବ୍ୟୟରେ ମାଛ ଯାଁଳା କିଣିଥିଲେ। ୨୦ ହଜାର ଟଙ୍କାରେ ୭୫ ହଜାର ମାଛ ଯାଁଳାକୁ ପୋଖରୀରେ ଛାଡ଼ିବା ପରେ ମାଛଙ୍କ ଖାଦ୍ୟ ବାବଦକୁ ଦାନା ସହ ଅନ୍ୟ ସାମଗ୍ରୀ ବାବଦକୁ ଖର୍ଚ୍ଚ କରିଥିଲେ ୩୦ ହଜାର ଟଙ୍କା।

୭ ମାସର ତଦାରଖ ପରେ ପ୍ରଥମ ପର୍ଯ୍ୟାୟରେ ୩୨୦ କେଜି ମାଛ ଉତ୍ପାଦନ ହୋଇଥିଲା। କେଜି ପିଛା ୧୪୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇଟି ପର୍ଯ୍ୟା ପୋଖରୀରୁ ୪ କ୍ବିଣ୍ଟାଲରୁ ଉର୍ଧ୍ବ ମାଛ ଧରି ସାରିଲେଣି ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟା। ଆଜି ମଧ୍ୟ ପୋଖରୀରୁ ୮୦ କେଜି ମାଛ ଉତ୍ପାଦନ କରି ବଜାରରେ ବିକ୍ରି କରିଥିବା ସୂଚନା ଦେଇଛନ୍ତି ସ୍ବଂୟ ସହାୟକ ଗୋଷ୍ଠୀ ସଭାପତି ଗୀତା ବିଭାର। ପୋଖରୀରେ ଏବେ ମଧ୍ୟ ଆହୁରି ମାଛ ଥିବା ବେଳେ କିଛି ମାଛର ଓଜନ କମ ଥିବାରୁ ପର୍ୟ୍ୟାୟକ୍ରମେ ମାଛ ଧରି ବିକ୍ରି କରାଯିବ। ଏବେ ପ‌ୋଖରୀରୁ ଉତ୍ପାଦନ ହେଉଥିବା ମାଛ ମଧ୍ୟରେ ୫୦୦ ଗ୍ରାମରୁ ଆରମ୍ଭ କରି କେଜିଏ ଓଜନର ମାଛ ରହିଛି। ଯାହାର ଚାହିଦା ଢ଼େର ରହିଛି ବୋଲି ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟା କହିଛନ୍ତି। ମାତ୍ର ୫୦ ହଜାର ଟଙ୍କା ବ୍ୟୟ କରି ବିକ୍ରି ବାବଦରୁ ଏବେ ସୁଦ୍ଧା ସ୍ବଂୟ ସହାୟକ ଗୋଷ୍ଠୀ ଲକ୍ଷାଧିକ ଟଙ୍କା ଆୟ କରି ସାରିଲାଣି। ମାଛ ଚାଷ କରି ନିଜ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିବା ସହ ପରିବାର ଚଳାଇବାରେ ସକ୍ଷମ ହୋଇ ପାରିଛନ୍ତି ବୋଲି କହିଛନ୍ତି ସ୍ବଂୟ ସହାୟକ ଗୋଷ୍ଠୀର ସଂପାଦିକା ସୁରମି କୌଶଲ୍ୟା, ସଦସ୍ୟା ସରସ୍ବତୀ କୌଶଲ୍ୟା, ରେଶମା କୌଶଲ୍ୟା, ସୁରେଶି କୌଶଲ୍ୟା, ମଦନା ପାଣି, ବିଜୁଳି କୌଶଲ୍ୟା। ମହିଳାମାନେ ଚାଷ କରୁଥିବା ପୋଖରୀ ପଞ୍ଚାୟତ ଅଧୀନରେ ଥିବାରୁ ବ୍ଲକ୍ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପୋଖରୀର ପୁନରୁଦ୍ଧାର କରିବାକୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଜୟ ଉଲାକା, ଯୋଗୀ କୌଶଲ୍ୟା, ବୁଡୁ କୌଶଲ୍ୟା, ସୁରେନ୍ଦ୍ର କାଡ୍ରକା, ସୁଧୀର କୌଶଲ୍ୟା ପ୍ରମୁଖ ଦାବି କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ମାଛ ଚାଷ ଆଖିଦୃଶିଆ ହେଉନଥିବାରୁ ଆନ୍ଧ୍ର ମାର୍କେଟରୁ ଆସୁଥିବା ମାଛ ହିଁ ବଜାର ଚାହିଦା ମେଣ୍ଟାଉଛି। ଯେଉଁ କିଛି ଅଞ୍ଚଳର ପୋଖରୀରେ ଚାଷ ହେଉଛି ସେହି ଅଞ୍ଚଳର ମାଛର ଚାହିଦା ‌ଜିଲ୍ଲାରେ ଢ଼େର ରହିଛି। ଏପରିକି ମାଛ ଧରିବାର କିଛି ଦିନ ପୂର୍ବରୁ ବ୍ୟବସାୟୀ ଓ ଲୋକ ଅଗ୍ରୀମ ଟଙ୍କା ଦେଇ ମାଛ ବରାଦ କରୁଛନ୍ତି। ବିଶେଷ କରି ଜିଲ୍ଲାର ପଦ୍ମପୁର, ଗୁଡାରି, ଗୁଣପୁର ଅଞ୍ଚଳରେ ହିଁ କିଛି ବ୍ୟବସାୟୀ ପୋଖରୀରେ ମାଛ ଚାଷ କରୁଥିବା ଜଣା ପଡିଛି। ଏବେ ପଛୁଆ ବ୍ଲକ ଚନ୍ଦ୍ରପୁରର ସ୍ବଂୟ ସହାୟକ ଗୋଷ୍ଠୀ ମହିଳା ମାଛ ଚାଷ କରି ସଫଳତା ପାଇବା ପରେ ଜିଲ୍ଲା ପ୍ରଶାସନ, ମତ୍ସ୍ୟ ଓ ଓଡ଼ିଶା ଜୀବିକା ମିଶନ୍ ବିଭାଗ ମହିଳାଙ୍କ ବେଶ୍ ପ୍ରଶଂସା କରିଛି।

ସମ୍ବନ୍ଧିତ ଖବର