୬ ନାବାଳିକାଙ୍କ ସମେତ ୧୨ ମହିଳା ଶ୍ରମିକ ଉଦ୍ଧାର, ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିଲେ ଆନ୍ଧ୍ର

ରାୟଗଡ଼ା: ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା ୧୨ ମହିଳା ଶ୍ରମିକଙ୍କୁ ଉଦ୍ଧାର କରିଛି ଚାଇଲଡ୍ ଲାଇନ୍ ଓ ଶ୍ରମ ବିଭାଗ। ଉଦ୍ଧାର ୧୨ ମହିଳା ଶ୍ରମିକଙ୍କ ମଧ୍ୟରେ ୬ ଜଣ ନାବାଳିକା ଥିବା ଜଣା ପଡିଛି। ନାବାଳିକାଙ୍କୁ ସ୍ନେହା ସ୍ବଧାର ଗୃହରେ ରଖାଯିବା ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୋମବାର ପୂର୍ବାହ୍ନ ୯ଟାରେ ୨ଟି ଇନୋଭାରେ ୧୨ ମହିଳା ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶର ଭୀମାବରମ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଉଥିଲେ। ମହିଳା ଶ୍ରମିକଙ୍କ ମଧ୍ୟରେ ୬ ଜଣ ନାବାଳିକା ଥିବା ବେଳେ ସମସ୍ତଙ୍କ ଘର କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ୍ ଅଞ୍ଚଳରେ। ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଦଲାଲ୍ ଚାଇଲଡ୍ ଲାଇନ୍ ଓ ଶ୍ରମ ବିଭାଗ ନଜରରୁ ବର୍ତ୍ତିବା ପାଇଁ ଶ୍ରମିକଙ୍କୁ ପ୍ରଥମେ ‌ରାୟଗଡ଼ା ବ୍ଲକର ମାଟିକଣା ଗ୍ରାମକୁ ନେଇ ସେଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା। କୌଣସି ସୂତ୍ରରୁ ଚାଇଲଡ୍ ଲାଇନ୍ ଖବର ପାଇବା ପରେ ଶ୍ରମ ବିଭାଗ ଓ ରାୟଗଡ଼ା ପୁଲିସକୁ ଖବର ଦେଇଥିଲା। ସୂଚନା ମୁତାବକ ଚାଇଲଡ୍ ଲାଇନ୍ କର୍ତ୍ତୃପକ୍ଷ କୋତପେଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅପେକ୍ଷା କରିଥିଲେ। ୨ ଇନୋଭା କୋତପେଟାରେ ପହଞ୍ଚିବା ପରେ ଅଟକାଇ ନାବାଳିକା ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ଶ୍ରମିକଙ୍କୁ ଚାଇଲଡ୍ ଲାଇନ୍ କର୍ତ୍ତୃପକ୍ଷ ପଚରା ଉଚରା କରିବା ପରେ ୬ ନାବାଳିକାଙ୍କୁ ସ୍ବଧାର ଗୃହକୁ ନେବା ସହିତ ଅନ୍ୟ ୬ ମହିଳା ଶ୍ରମିକଙ୍କୁ ଛାଡ଼ି ଦେଇଥିଲେ। ମହିଳା ଶ୍ରମିକ ଚାଲାଣ କରିଥିବା ୨ ଦଲାଲ୍ ପୂର୍ବରୁ ଭୀମାବରମର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିଥିବା ତଦନ୍ତ ସମୟରେ ଜଣା ପଡିଛି।

ଚାଇଲଡ୍ ଲାଇନର ସୂଚନା ସତ୍ତ୍ବେ ପୁଲିସ୍ ଆସିବାରେ ବିଳମ୍ବ ଯୋଗୁ ଶ୍ରମିକ ଚାଲାଣରେ ବ୍ୟବହୃତ ୨ ଇନୋଭା ସମେତ ଡ୍ରାଇଭର ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛନ୍ତି। ଅଟକ ସମୟରେ ଇନୋଭା ଗାଡ଼ି ଓ ଡ୍ରାଇଭର ସମ୍ପର୍କରେ ଚାଇଲଡ୍ ଲାଇନ୍ ସଂଗ୍ରହ କରିଥିବା ସବିଶେଷ ତଥ୍ୟ ପୁଲିସକୁ ପ୍ରଦାନ କରିଛି। ଚଢ଼ଉରେ ଚାଇଲଡ୍ ଲାଇନ୍ ଜିଲ୍ଲା ସଂଯୋଜିକା କେ. ନୀଳାବେଣୀ, ସହକାରୀ ଶ୍ରମ ଅଧିକାରୀ ଟୁଡୁ ଛୋଟରାୟ, ଚାଇଲଡ୍ ଲାଇନ୍ ସଦସ୍ୟ ବିଜୟକେତନ ସାହୁ, ସୁଶୀଲ କୁମାର ପଲେଇ, ଟଙ୍କଧର ପାତ୍ର, ନରେଶ ପେଦେଣ୍ଟି, କାଉନସିଲର୍ ପି. ପୂର୍ଣ୍ଣବାସୀ ସାମିଲ୍ ହୋଇଥିଲେ। ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ସରିବା ପରେ ପୁଣି ଦାଦନ ଶ୍ରମିକମୁହାଁ ହୋଇଛନ୍ତି ଜିଲ୍ଲାର ଅନେକ ଗ୍ରାମାଞ୍ଚଳ ଯୁବକ ଯୁବତୀ। ଆନ୍ଧ୍ରର ବିଭିନ୍ନ ଫାର୍ମ ହାଉସ୍ ଓ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ମୋଟା ଅଙ୍କର ମଜୁରି ମିଳୁଥିବାରୁ ପ୍ରତି ଗାଁରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ସମୟରେ ଦାଦନ ଶ୍ରମିକମାନେ ଆନ୍ଧ୍ରରେ ନିର୍ଯ୍ୟାତନାର ଶିକାର ହେଉଥିବାର ନଜିର ରହିଛି। ତଥାପି ଗ୍ରାମାଞ୍ଚଳରେ କାମ ମିଳୁନଥିବାରୁ ଜୀବିକା ନିର୍ବାହ ପାଇଁ ପ୍ରଶାସନର କଟକଣା ସତ୍ତ୍ବେ ଶିଶୁ, ନାବାଳିକା ସମେତ ଦାଦନ ଶ୍ରମିକଙ୍କ ସୁଅ ଆନ୍ଧ୍ର, ତାମିଲନାଡ଼ୁ, କେରଳକୁ ଛୁଟିବାରେ ଲାଗିଛି।

ସମ୍ବନ୍ଧିତ ଖବର