ଖୋର୍ଦ୍ଧା: ଖୋର୍ଦ୍ଧା ସହରର ଶ୍ରୀରାମ ନଗରରେ ରହୁଥିବା ଜଣେ ମହିଳା ନିଜ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ଭାଇଙ୍କ ଅଭିଯୋଗକ୍ରମେ ଟାଉନ୍ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୂଚନାନୁସାରେ, ବେଗୁନିଆ ଡିଙ୍ଗରର ପ୍ରଭାତ ସେଠୀଙ୍କୁ ବାଙ୍କୀ ତାଳବସ୍ତର କଳ୍ପନା ବାରିକ ଭଲ ପାଇ ଚଳିତବର୍ଷ ବିବାହ କରିଥିଲେ। ବିବାହ ପରେ ସେମାନେ ଶ୍ରୀରାମ ନଗରରେ ରହୁଥିଲେ। କଳ୍ପନା ୩ ମାସର ଗର୍ଭବତୀ ମଧ୍ୟ ଥିଲେ। ଆଜି ଭୋରରେ ତାଙ୍କ ସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟ ନିଜର ପିନ୍ଧାଲୁଗା ଫ୍ୟାନ୍ରେ ଟାଙ୍ଗି ଝୁଲିଥିବା ଦେଖିଥିଲେ।
ଏନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ, ମୃତ କଳ୍ପନାଙ୍କ ଭାଇ ରଶ୍ମୀକାନ୍ତ ବାରିକଙ୍କ ଲିଖିତ ଅଭିଯୋଗକ୍ରମେ ୮୯/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ତଦନ୍ତ ଜାରି ରହିଛି ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ସଂଜୟ ପଟ୍ଟନାୟକ କହିଛନ୍ତି।