ବିରିଡି: ବିରିଡି ବ୍ଲକ ବାଗଲପୁର ଗ୍ରାମରେ ପ୍ରାୟ ୨୦ ବର୍ଷ ପୂର୍ବେ ୧୨ ଜଣ ସଦସ୍ୟଙ୍କୁ ନେଇ ୩୦ ଟଙ୍କା ଲେଖାଁ ପୁଞ୍ଜି ଖଟାଇଥିବା କରଞ୍ଜେଶ୍ବର ସ୍ବୟଂସହାୟିକା ଗୋଷ୍ଠୀ ଏକେ କାୟା ମେଲାଇ ମହାଦ୍ରୁମରେ ପରିଣତ ହୋଇଛି। ଜିଲ୍ଲା ସ୍ତରରେ ପ୍ରାୟ ୨୫ ହଜାର ମହିଳାଙ୍କୁ ଗୋଷ୍ଠୀଗଠନରେ ଏକାଠି କରି ଅଢ଼େଇ କୋଟିର ପୁଞ୍ଜି ବିନିଯୋଗ କରି ଜୀବନଜୀବିକାର ଚଳନ୍ତି ସଂସ୍ଥାର ଉଦାହରଣ ପାଲଟିଛି। ଗଠିତ ମହାସଂଘର ନେତୃତ୍ବ ନେଇଥିବା ସବିତା ଦାସ ଏହି ସଫଳତାରେ ବେଶ୍ ଉତ୍ସାହିତ। ମହିଳା ଘର କୋଣରେ ନରହି ଏକ ପୂର୍ଣ୍ଣାଙ୍ଗ ସମାଜ ଗଠନର ସୂତ୍ରଧର ସାଜିପାରେ। ଏହା ସେ ପ୍ରମାଣ କରିଛନ୍ତି ଶାଶୁଘରେ ପାଦ ତାପିବା ପରେ। ଘରୋଇ ସ୍କୁଲରେ ଶିକ୍ଷକତା ଛାଡ଼ି ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ୧୨ ଜଣ ମହିଳାଙ୍କୁ ନେଇ ହଳଦୀ ଗୁଣ୍ଡ ଓ ଧୂପକାଠି ପ୍ରସ୍ତୁତ କରି ବିକ୍ରି ଆରମ୍ଭ କରନ୍ତି। ପରେ କାନାଡ଼ା ବ୍ୟାଙ୍କରୁ ୨୫ ହଜାର ଟଙ୍କା ଋଣ ଉଠାଇ ବ୍ୟବସାୟ କାରବାର ବଢ଼ାଇବା ସହ ବ୍ଲକ୍ ସ୍ତରରେ ଗଠନ ହୁଏ ଜ୍ୟୋତି ମହାସଂଘ। ସବିତା ବ୍ଲକ୍ ସଂଘର ସଭାନେତ୍ରୀ ଓ ଜିଲ୍ଲା ମହାଜ୍ୟୋତି ସଂଗଠନର ସମ୍ପାଦିକା ଭାବେ ମଧ୍ୟ ନିର୍ବାଚିତ ହୁଅନ୍ତି। ୨୦୦୭ରେ ଓର୍ମାସ୍ ସହାୟତାରେ ଅଢ଼େଇ ଲକ୍ଷ ଟଙ୍କା ଋଣ ଆଣି ବିରିଡ଼ି ବ୍ଲକ୍ରେ ଘରୋଇ ଗ୍ୟାସ୍ ବିତରଣ ଦାୟିତ୍ବ ନେଇ ଶତାଧିକ ମହିଳାଙ୍କୁ ରୋଜଗାରର ବାଟ ଧେକାନ୍ତି ସବିତା।
ଏହାପରେ ୨୦୧୨ରେ ତାଙ୍କୁ ଜିଲ୍ଲା ସ୍ତରରେ ହାଇଦ୍ରାବାଦ୍ରୁ ପ୍ରଶିକ୍ଷକଭାବେ ତାଲିମ୍ର ସୁଯୋଗ ମିଳେ। ସେଠାରୁ ଫେରିବା ପରେ ସବିତା ଜିଲ୍ଲାସାରା ସିଲେଇ, ଧୂପକାଠି, ସସ୍, ଜେଲିଆଚାର, ବଡ଼ି, ପାମ୍ପଡ଼, ହ୍ୟାଣ୍ଡ୍ୱାସ୍, ଫିନାଇଲ୍ ପ୍ରସ୍ତୁତ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତି ସମ୍ପର୍କରେ ଆବଶ୍ୟକ ଜ୍ଞାନ କୌଶଳ ଶିକ୍ଷା କରି ମହିଳା ସଂଗଠନଗୁଡ଼ିକୁ ମାଗଣା ତାଲିମ ଦିଅନ୍ତି। ଏହା ପଛର ଅସଲ ଉଦ୍ଦେଶ୍ୟ ଥାଏ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା। ଏହି ସମୟ ଭିତରେ ବ୍ଲକ୍ ଓ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛତୁଆ, ପୋଷାକ ପ୍ରସ୍ତୁତ କରି ବିକ୍ରି ନିମନ୍ତେ ଗୌରୀଦେବୀ ପ୍ରଡ୍ୟୁସର୍ ଗ୍ରୁପ୍ ଗଠନ କରି ସଫଳ ହୁଅନ୍ତି। କୁଳକଇଜଙ୍ଗା ଗ୍ରାମରେ ଖୋଲା ଯାଇଥିବା ଏହି କେନ୍ଦ୍ରରେ ପ୍ରାୟ ୧୬୦ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସ୍କୁଲ ପୋଷାକ ଜିଲ୍ଲାର ସବୁ ସ୍କୁଲକୁ ଯୋଗାଣ ହେଉଛି। କରୋନା ମହାମାରୀ ବେଳେ ଲୋକମାନେ ଘରୁ ବାହାରକୁ ବାହାରି ନଥିବା ବେଳେ ସବିତାଙ୍କ ନେତୃତ୍ବରେ ମହିଳାମାନେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପରାମର୍ଶ କ୍ରମେ ଦିନରାତି ଏକାକାର କରି ପ୍ରସ୍ତୁତ କରିଥିଲେ ଅଢ଼େଇ ଲକ୍ଷ ମାସ୍କ। ସବୁ ପଞ୍ଚାୟତ, ପୌର ସଂସ୍ଥା, ବ୍ଲକ୍ ପଞ୍ଚାୟତରେ ସେମାନେ ପୁଲିସ୍ ସହାୟତାରେ ମାସ୍କ, କ୍ବାରାଣ୍ଟିନ୍ ସେଣ୍ଟର ପାଇଁ ତକିଆ, ଶେଯ, ସ୍କିନ୍, ଫିନାଇଲ୍ ଯୋଗାଇବାରେ ସଫଳ ହୋଇଥିଲେ।
ସବୁଠୁ ବଡ଼ କଥା ହେଲା ମହିଳାଙ୍କୁ ନେଇ ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ମାର୍କେଟିଂ କରିବାରେ ସବିତା ସଫଳ ହୋଇଥିଲେ। ଏବେ ସେ ଜିଲ୍ଲା ସ୍ତରୀୟ ଜ୍ୟୋତି ମହାସଂଘର ନେତୃତ୍ବ ନେଇ ଅଧିକରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିଭରଶୀଳ କରାଉଛନ୍ତି ବୋଲି କହିଛନ୍ତି। ମହିଳା ସଂଘର ଏପରି କାର୍ଯ୍ୟଧାରାରେ ପ୍ରଶାସନ ଠାରୁ ଆରମ୍ଭ କରି ମିସନ୍ ଶକ୍ତି ମଧ୍ୟ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛି। ମିସନ୍ ଶକ୍ତି ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେଇଥିବା ବେଳେ ବ୍ୟାଙ୍କ୍ ମଧ୍ୟ ଋଣ ଦେଇଛି। ମହିଳା ସଦସ୍ୟଙ୍କ ମୂଳଜମାକୁ ମିଶାଇ ଏବେ ସେମାନେ ଅଢ଼େଇ କୋଟି ଟଙ୍କାର କାରବାର ସମ୍ଭାଳିବାରେ ସକ୍ଷମ ହୋଇଛନ୍ତି। ସବିତାଙ୍କ ନେତୃତ୍ବରେ ଏବେ ମହିଳା ସ୍ବୟଂସହାୟିକା ଗୋଷ୍ଠୀ କେବଳ ଜିଲ୍ଲା ପାଇଁ ନୁହଁ ବରଂ ସାରା ରାଜ୍ୟ ପାଇଁ ଉଦାହରଣ ସାଜିଛି।