ବିରିଡି: ବିରିଡି ଥାନା ଅନ୍ତର୍ଗତ ହାଜିପୁର (ବେହେରା ସାହି) ଗ୍ରାମର ନବବିବାହିତା ସୁଚିତ୍ରା ବେହେରା (୨୪)ଙ୍କ ହାତବନ୍ଧା ଝୁଲନ୍ତା ଶବକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ରହୁଥିବା ଘରେ ଆସବାବପତ୍ର ପୋଡ଼ି ଯାଇଥିବାରୁ ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ି ନାହିଁ। ସୁଚିତ୍ରାଙ୍କ ସ୍ବାମୀ ଏହାକୁ ଆତ୍ମହତ୍ୟା ବୋଲି ପୁଲିସ୍‌କୁ ସୂଚନା ଦେଇଥିଲେ ହେଁ ତାଙ୍କୁ ନିର୍ଯାତନା ଦେଇ ନୃଶଂସ ଭାବେ ହତ୍ୟା କରାଯାଇଛି ବୋଲି ସୁଚିତ୍ରାଙ୍କ ଭାଇ ଶିବ ପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି କେସ୍‌ ନଂ ୧୫୧/୨୧ରେ ମାମଲା ରୁଜୁ କରିଛି। ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ସ୍ବାମୀ ରାକେଶ ବେହେରା, ଶ୍ବଶୁର ସଦାନନ୍ଦ, ଶାଶୂ ବୁଲି ଓ ଦୁଇ ପଡୋଶୀଙ୍କୁ ଥାନାରେ ଅଟକ ରଖି ଦିନ ତମାମ ପଚରାଉଚରା ଚଳାଇଛି। ଏହା ହତ୍ୟାକାଣ୍ଡ ବୋଲି ପୁଲିସ୍‌ ଆଶଙ୍କା କରୁଛି। ଆତ୍ମହତ୍ୟା ସ୍ଥଳରେ ରଶିଟି ବେକରେ ନ ଲାଗି ପାଟିରେ ଲାଗିଥିଲା।

Advertisment

କୋଠା ଘରର ଶିଡି ପାଖରେ ଥିବା ଏକ ଲୁହା ହୁକରେ ରଶି ଲାଗିଥିବା ଅବସ୍ଥାରେ ଶବଟି ଝୁଲୁଥିଲା। ଏହାଛଡା ମହିଳାଙ୍କ ଦୁଇ ହାତ ଦୌଡିରେ ବନ୍ଧା ଯାଇଥିବାରୁ ଏହା ଏକ ହତ୍ୟାକାଣ୍ତ ବୋଲି ପୁଲିସ ଅନୁମାନ କରୁଛି। ଏହା ବ୍ୟତୀତ ସୁଚିତ୍ରାଙ୍କ ଶୋଇବା ଘରେ ନିଆଁ ଲାଗି ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି। ତେବେ କଣ ପାଇଁ ତାଙ୍କୁ ନିର୍ଯାତନା ହତ୍ୟା କରାଯାଇଛି ସେନେଇ ପୁଲିସ୍‌ ଖୋଳତାଡ଼ କରୁଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଥାନାଧିକାରୀ ନିରଂଜନ ମଲ୍ଲିକ କହିଛନ୍ତି। ଘଟଣା ସ୍ଥଳରେ ଏସଡିପିଓ ପ୍ରିୟ ରଂଜନ ଶତପଥୀ, ତହସିଲଦାର ସାଗରିକା ପ୍ରିୟଦର୍ଶିନୀ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ଛାନଭିନ୍‌ କରିଛି। ପୁଲିସ ସୁତ୍ରରୁ ପ୍ରକାଶ ୨୦୧୪ରେ ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଖଗିପୁର ଗ୍ରାମର ବୈକୁଣ୍ଠ ବେହେରାଙ୍କ କନ୍ୟା ସୁଚିତ୍ରା ସହିତ ରାକେଶର ବିବାହ ହୋଇଥିଲା। ରାକେଶ ପୁରୀରେ ଏକ ପାଉଁରୁଟି କାରଖାନାରେ କାମ କରୁଛନ୍ତି। ତାଙ୍କର ଦେଢ଼ ବର୍ଷର ପୁଅଟିଏ ଅଛି। କିନ୍ତୁ ସୁଚିତ୍ରାଙ୍କୁ ଶାଶୂଘର ଲୋକମାନେ ନିର୍ଯାତନା ଦେଇ ଆସୁଥିଲେ ଓ ତାର ଚରମ ପରିଣତି କାଲି ଘଟିଥିଲା ବୋଲି କୁହାଯାଉଛି।