ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ପଞ୍ଚାୟତ ଅନ୍ତର୍ଗତ ପଡେଇଗୁଡା ନିକଟସ୍ଥ ଏକ ଗଛରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ତେନ୍ତୁଳିଖୁଣ୍ଟି ପୁଲିସ। ବିବାହିତା ମହିଳା ଜଣଙ୍କ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହଡ଼ପା ଗ୍ରାମର ରାମା ଭତରା (୨୫)।
ପୁଲିସ ସୂଚନା ମୁତାବକ ମୃତ ରାମା ଭତରା ଚଳିତ ମାସ ୨୦ ତାରିଖ ମଧ୍ୟାହ୍ନ ସମୟରୁ ଘରୁ କେଉଁଆଡେ ଚାଲିଯାଇଥିଲେ। ପରିବାର ଲୋକ ଗାଁ ଆଖ ପାଖରେ ବହୁ ଖୋଜାଖୋଜି କରିଥିଲେ। ସେହିପରି ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବା ସତ୍ୱେ ମହିଳା ଙ୍କ ଖୋଜଖବର ମିଳିନଥିଲା। ତେବେ ଆଜି ପଡେଇଗୁଡା ନିକଟରେ ଥିବା ଏକ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଖବର ପାଇ ପାତ୍ରପୁଟ ଫାଣ୍ଡି ଅଧିକାରୀ ଅନନ୍ତ କାଡ୍ରାକା ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ।
ଏହାପରେ ମୃତ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମ୍ପୃକ୍ତ ପରିବାର ଲୋକ ଜାଣିବାକୁ ପାଇଥିଲେ। ଏହାପରେ ମୃତ ମହିଳାଙ୍କ ବଡ଼ ଭାଇ ଡମୁ ଭତରା ପହଞ୍ଚି ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇଁ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୩ /୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥୁବା ବେଳେ ପାତ୍ରପୁଟ ଫାଣ୍ଡି ଅଧିକାରୀ ଶ୍ରୀ କାଡ୍ରାକା କେଶର ତଦନ୍ତ କରୁଛନ୍ତି। ପ୍ରକାଶ ଥାଉକି ମୃତ ରାମା ଭତରା ଦୀର୍ଘ ସାତବର୍ଷ ପୂର୍ବେ ବୋରିଗୁମ୍ମା ବ୍ଲକ ଜୟନ୍ତୀଗିରି ପଞ୍ଚାୟତ ଅନ୍ତର୍ଗତ ବିଜାଗୁଡା ଗ୍ରାମରେ ବିବାହ କରିଥିଲେ। ତେବେ କୌଣସି କାରଣ ଯୋଗୁଁ ରାମା ତିନିବର୍ଷ ହେଲା ନିଜ ବାପଘର ହଡପା ଗ୍ରାମରେ ଆସି ରହୁଥିଲେ। ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତାର ତଦନ୍ତ ଜାରି ରଖିଛି।