ଜୟପୁର: ଆଜି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବନ୍ଧ୍ୟାକରଣ ଅସ୍ତ୍ରପ୍ରଚାର ଚାଳିଥିବା ବେଳେ ଶଯ୍ୟା ଉପରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇ ଯାଇଛି। ଏ ସୂଚନା ପାଇବା ପରେ ମହିଳାଙ୍କ ସ୍ବାମୀ ଓ ସମ୍ପର୍କୀୟ ମାନେ ପହଞ୍ଚି ଡାକ୍ତରଖାନ ପରିସରରେ ଆମକୁ ନ୍ୟାୟ ଦରକାର ବୋଲି ଦାବି କରି ଧାରଣା ଦେଇଛନ୍ତି। ମୃତ ମହିଳା ଜଣକ ଲମତାପୁଟ ବ୍ଲକ ଅଞ୍ଚଳ ତଥା ସୀମାନ୍ତ ଆନ୍ଧ୍ରପ୍ରଦେଶ ଜଲାପୁଟ ଅଞ୍ଚଳର ସୂରିୟା ତେଜା ବଡନାୟକ (୩୫)ବର୍ଷ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ତାଙ୍କୁ ଏବଂ ଲମତାପୁଟ ବ୍ଲକର ଗୁଲେଲ ଅଞ୍ଚଳରୁ ୭ଜଣ ମହିଳାଙ୍କୁ ବନ୍ଧ୍ୟାକରଣ ଅସ୍ତ୍ରପ୍ରଚାର ପାଇଁ ଆଶାକର୍ମୀ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇକି ଆସିଥିଲେ। ପ୍ରସୁତି ଓ ସ୍ତ୍ରୀ ବିଶେଷଜ୍ଞଙ୍କ ଦ୍ବାରା ଡାକ୍ତରଖାନାର ଅସ୍ତ୍ରପ୍ରଚାର ଗୃହରେ ବନ୍ଧ୍ୟାକରଣ ଅସ୍ତ୍ରପ୍ରଚାର କରାଯାଇଥିଲା। ଆଜି ୨୯ ଜଣଙ୍କର ଅସ୍ତ୍ରପ୍ରଚାର କରାଯିବାର ଯୋଜନା ରହିଥିଲା। ୨୬ଜଣଙ୍କର ଅସ୍ତ୍ରପ୍ରଚାର ସରିବା ପରେ ୨୭ନଂରେ ସୁରିୟାଙ୍କର ଅସ୍ତ୍ରପ୍ରଚାର ପ୍ରସୁତି ଓ ସ୍ତ୍ରୀ ବିଶେଷଜ୍ଞ କରୁଥିବା ବେଳେ ଅଚାନକ ଭାବେ ତାଙ୍କର ମୃତ୍ୟୁ ଅପରେସନ୍ ଶଯ୍ୟା ଉପରେ ହୋଇ ଯାଇଥିଲା। ଏହି ସୂଚନା ପାଇବା ପରେ ତାଙ୍କ ସ୍ବାମୀ ରାମ ରାଜୁ ବଡ଼ନାୟକ ଓ ସଂପର୍କୀୟ ମାନେ ପହଞ୍ଚିବା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ‘ଆମକୁ ନ୍ୟାୟ ଦରକାର, ଉଇ ୱାଣ୍ଟ ଜଷ୍ଟିସ୍’ ନାରା ଦେଇ ଧାରଣା ଦେଇଥିଲେ। ଜୟପୁର ସଦରଥାନା ପୁଲିସ ଅଧିକାରୀ ଇଶ୍ବର ତାଣ୍ଡି ସଦଳବଳ ନେଇ ଡାକ୍ତରଖାନାରେ ପହଞ୍ଚି ଧାରଣାରତ ପରିବାରବର୍ଗଙ୍କୁ ବୁଝାସୁଝା କରିଥିଲେ ହେଁ କେହି ଶୁଣି ନଥିଲେ। ସକାଳୁ ସୁସ୍ଥ ଭାବେ ବନ୍ଧ୍ୟାକରଣ ଅସ୍ତ୍ରପ୍ରଚାର ପାଇଁ ଆସିଥିବା ମହିଳା ଜଣକ କାହିଁକି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି କେହି କିଛି କାହିଁକି କହୁନାହାନ୍ତି ବୋଲି ମୃତ ମହିଳାଙ୍କ ସଂପର୍କୀୟ ମାନେ ପ୍ରଶ୍ନ କରିଛନ୍ତି। ଡାକ୍ତରଙ୍କ ତ୍ରୁଟିପୁର୍ଣ୍ଣ ଅସ୍ତ୍ରପ୍ରଚାର ଯୋଗୁଁ ହିଁ ଏଭଳି ମୃତ୍ୟୁ ହୋଇଛି।
ଏହାର ବିଦ୍ଦିବଦ୍ଧ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ସଦର ପୁଲିସ ପକ୍ଷରୁ ଅପମୃତ ମାମଲା ରୁଜୁ କରିବା ସହ ଶବର ପଞ୍ଚନାମା କରାଯାଇଛି। ରାତିରେ ଶବ ବ୍ୟବଛେଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମଗାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାପୀ କରାଯିବା ସହ ଶବ ବ୍ୟବଛେଦ କରାଯିବ। ତା ସ୍ବାମୀ ଯଦି ଏ ନେଇ ଅଭିଯୋଗ କରିଲେ ବୋର୍ଡ ଗଠନ କରାଯାଇ ଶବ ବ୍ୟବଛେଦ ହେବ ବୋଲି କହିଛନ୍ତି ସଦରଥାନା ଅଧିକାରୀ। ଅପରେସନ୍ ଚାଳିଥିବା ସମୟରେ ଶଯ୍ୟାରେ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରେ ସୂଚନା ମିଳିଥିବା କହିଛନ୍ତି ସଦରଥାନା ଅଧିକାରୀ। ଆଜି ୨୯ଜଣଙ୍କର ବନ୍ଧ୍ୟାକରଣ ଅସ୍ତ୍ରପ୍ରଚାର କରାଯିବାର କାର୍ଯ୍ୟକ୍ରମ ରହିଥିଲା। ଏହି କ୍ରମରେ ୨୬ଜଣଙ୍କର ଠିକରେ ହୋଇଥିବା ବେଳେ ୨୭ନଂରେ କରାଯିବା ବେଳେ ଅଚାନକ ଭାବେ ଅସ୍ତ୍ରପ୍ରଚାର ଚାଳିଥିବା ସମୟରେ ଠିକରେ ମହିଳା ଜଣକ ନିଶ୍ବାସ ପ୍ରଶ୍ବାସ ନେଇ ନ ପାରି ମୃତ୍ୟୁ ହୋଇଥିବା ତାଙ୍କୁ ସୂଚନା ମିଳିଛି ବୋଲି କହିଛନ୍ତି ଡିଏମଓ ଡଃ. ଆରଏନ୍ ମିଶ୍ର। ଶବ ବ୍ୟବଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଡିଏମଓ। ମୃତ ମହିଳାଙ୍କର ୭ବର୍ଷ ଓ ୧୨ବର୍ଷର ଦୁଇଟି ପିଲା ରହିଛନ୍ତି। ଗତ ୨ମାସ ମଧ୍ୟରେ ପ୍ରସବକାଳୀନ ୨ଜଣ ଓ ଆଜି ବନ୍ଧ୍ୟାକରଣ ଅସ୍ତ୍ରପ୍ରଚାର ସମୟରେ ଜଣେ ମହିଳା ଏଭଳି ୩ଜଣଙ୍କର ମୃତ୍ୟୁ ହୋଇଛି।