ରାୟଗଡ଼ା/କାଶୀପୁର: ଜେଲରୁ ମୁକୁଳି ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇ ପ୍ରସୂତି ମହିଳା ମୁଲାବତୀ ନାୟକ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛି ପ୍ରଶାସନ। କମ୍ପାନି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ମୁଲାବତୀଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ, ସିଏସଆର୍ ଅଧୀନରେ ନବଜାତ ଶିଶୁର ସମସ୍ତ ଦାୟିତ୍ବ କମ୍ପାନି ତୁଲାଇବା ସହ ସହ ସ୍ବାମୀଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। ନିର୍ଭର ପ୍ରତିଶ୍ରୁତି ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିବା ବେଳେ ଆଜି ସକାଳେ ଶୋକାକୂଳ ପରିବେଶରେ ମୁଲାବତୀଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।

Advertisment

ଏହି ସ୍ପର୍ଶକାତର ମାମଲାରେ ପୁଲିସକୁ ଘେରିଛି ବିଜେପି। ପୁଲିସ ଅତ୍ୟାଚାର ଯୋଗୁ ହିଁ ପ୍ରସୂତି ମହିଳା ମୁଲାବତୀଙ୍କ ମୃତ୍ୟୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭ‌ିଯୋଗ କରିଛି। କମ୍ପାନିରେ କାମ ଦାବିରେ ମହିଳାମାନେ ଆନ୍ଦୋଳନ କରୁଥିବା ବେଳେ ଅଣ୍ଡିରାକଞ୍ଚ ପୁଲିସ ମହିଳାଙ୍କୁ ରାତି ଅଧିଆ ଗିରଫ କରି କୋର୍ଟ ଚାଲାଣ ଏବଂ ଜାମିନ ପରେ ଦ୍ବିତୀୟ ମାମଲା ଯୋଡ଼ି ପୁଣି ଜେଲରେ ରଖିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି କହିଛି। ପୁଲିସର ଅମାନବିକତା କାରଣରୁ ଏଭଳି ଘଟଣା ଘଟିଥିବା ବେଳେ ପ୍ରସୂତିଙ୍କ ଜୀବନ ଯିବା ସହ ନବଜାତ ଶିଶୁ ପୁତ୍ର ମାଆ ଛେଉଣ୍ଡ ହୋଇ ପଡିଛି। ମାମଲାରେ ସଂପୃକ୍ତ ଅଣ୍ଡିରାକଞ୍ଚ ପୁଲିସ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ମୃତ ମୁଲାବତୀ ନାୟକଙ୍କ ପରିବାରକୁ କ୍ଷତିପୂରଣ ରାଶି ସହ ନବଜାତକର ରକ୍ଷାଣବେକ୍ଷଣ ଦିଗରେ ପ୍ରଶାସନ ଅବହେଳା କଲେ ବିଜେପି ତରଫରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାଳୀରାମ ମାଝୀ, ବିଧାୟକ ପ୍ରାର୍ଥି ବସନ୍ତ ଉଲାକା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମେଶ ଖୋସଲା ଚେତାବନୀ ଦେଇଛନ୍ତି।

ମାମଲାକୁ ନେଇ ଗୁରୁବାର ଗ୍ରାମବାସୀ ଅଣ୍ଡିରାକଞ୍ଚରେ ରାସ୍ତାରୋକ କରିବା ସହ ଥାନା ଘେରାଉ କରିବା ପାଇଁ ଚେତାବନୀ ଦେଇଥିଲା। ଧୀରେ ଧୀରେ ପରିସ୍ଥିତି ଅଣାୟତ୍ତ ହେବା ପରେ ଅଣ୍ଡିରାକଞ୍ଚରେ ପୁଲିସ ମୁତୟନ କରାଯାଇଥିଲା। ମୁଲାବତୀଙ୍କ କୋରାପୁଟ ମେଡ଼ିକାଲ କଲେଜରେ ମୃତ୍ୟୁ ହୋଇଥିବାରୁ ପୁଲିସ, ପ୍ରଶାସନିକ ଅଧିକାରୀ, କମ୍ପାନି କର୍ତ୍ତୃପକ୍ଷଙ୍କ ସହଯୋଗରେ ମୃତଦେହକୁ ଗାଁକୁ ଫେରିଥିଲା। ଏଥିସହିତ ମୁଲାବତୀଙ୍କ ସ୍ବାମୀ ଓ ଗ୍ରାମବାସୀଙ୍କ ସହ ପ୍ରଶାସନିକ ଅଧିକାରୀ କ୍ଷତିପୂରଣ ପ୍ରଦାନ କରିବାକୁ ରାଜି ହେବା ପରେ ଆନ୍ଦୋଳନ ଥମିଛି। ସୂଚନାଯୋଗ୍ୟ, କମ୍ପାନିରେ କାମ ଦାବିରେ ଆନ୍ଦୋଳନ କରୁଥିବା ୧୩ ମହିଳାଙ୍କୁ ଡିସେମ୍ବର ୨୬ ତାରିଖ ରାତିରେ ପୁଲିସ ଗିରଫ କରିଥିଲା। ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ, ୪ ଜଣ ସ୍ତନ୍ୟପାନ କରୁଥିବା ଶିଶୁ ଥିଲେ। ୧୪ ଦିନ ମହିଳାମାନେ ଜେଲରେ ରହିବା ପରେ ଜାନୁଆରୀ ୧୦ ତାରିଖରେ ଜାମିନରେ ମୁକୁଳିଥିଲେ। ୧୧ ତାରିଖରେ ମୁଲାବତୀ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ମୃତ୍ୟୁବରଣ କରିଥିଲେ।