ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟକି ପଞ୍ଚାୟତ ଅଧୀନସ୍ଥ ଲୋଧୁଆପଡା ଗ୍ରାମର ଲଖନ ହରିଜନଙ୍କ ପତ୍ନୀ ବେଲ ହରିଜନ (୪୬)ଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ। ଗତ ଶନିବାର ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେବା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି। ଏନେଇ ଚନ୍ଦାହାଣ୍ଡି ଥାନାରେ ନଂ ୧୦/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଭାର ଏଏସଆଇ ହୃଷିକେଶ ପଟେଲଙ୍କୁ ଦିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ସୂଚନାରୁ ପ୍ରକାଶ ଯେ, ଲୋଧୁଆପଡା ଗ୍ରାମର ବେଲ ହରିଜନ ପ୍ରତ୍ୟେକଦିନ ଭଳି ପରିବାରର ସମସ୍ତ କାମ ସାରି ଶୋଇଥିଲେ।
ହେଲେ ଶୋଇବା ସମୟରେ ଏକ ବିଷାକ୍ତ କଲାଟି ସାପ ବେଲକୁ କାମୁଡି ଦେବା ଫଳରେ ସେ ଅଚେତ ହୋଇ ପଡିବାରୁ ପରିବାର ଲୋକ ତାଙ୍କୁ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେଠାରେ ଡାକ୍ତର ସନ୍ଦିପ ଶତପଥୀ ଓ ଡାକ୍ତର ମନିଷ କୁମାର ପୁରୋହିତ ପ୍ରାଥମିକ ଚିକିତ୍ସା ପରେ କୌଣସି ଉନ୍ନତି ନହେବାରୁ ତାଙ୍କୁ ଉମରକୋଟ ଜୋନାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ବେଲର ମୃତ୍ୟୁ ଘଟିଥିଲା। ଏନେଇ ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ସେ ଜଣେ ଗରିବ ପରିବାରର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2d4638b6116433d3c537d0c637380c3b-750x430-1.jpg)