ଅଚାନକ ମହିଳାଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକ

ଜୟପୁର: ଆଇନଜୀବୀ ଉମାଶଙ୍କର ସାହୁଙ୍କ ଭଉଣୀ ତଥା ବାଲିପଟା ସାହିରେ ରହୁଥିବା ସିମାଦ୍ରୀ ପାଳଙ୍କ ପତ୍ନୀ ଗାୟତ୍ରୀ ପାଳଙ୍କର ୪୧ବର୍ଷ ବୟସରେ ଅଚାନକ ଭାବେ ମୃତ୍ୟୁ ହୋଇଛି। ଗତ ଦୁଇ ଦିନ ତଳେ ତାଙ୍କୁ ଜ୍ବର ହୋଇଥିଲା। ଜ୍ବର ହେବା ପରେ ସେ ଚିକିତ୍ସା କରାଇ ଔଷଧ ଖାଉଥିଲେ। ପରଦିନ ସେ ଔଷଧ ଖାଇବା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। ଗତ କାଲି ସକାଳୁ ଅଚାନକ ଭାବେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାରବର୍ଗ ନେଇକି ଯାଇଥିଲେ। ସେଠାରେ ତାଙ୍କୁ ଷ୍ଟ୍ରେଚର୍‌ରେ ପକାଇ ଡାକ୍ତରଙ୍କ ନିକଟକୁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଡାକ୍ତର ଆସି ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ତେବେ ଅଚାନକ ଭାବେ ଗାୟତ୍ରୀଙ୍କ ମୃତ୍ୟୁ ଜ୍ବରକୁ ନେଇ ହୋଇଥିବାରୁ ସାଧାରଣରେ ଏହାକୁ ନେଇ ଚର୍ଚ୍ଚା ହୋଇଛି। ତାଙ୍କର ଗୋଟିଏ ୧୬ବର୍ଷର ଝିଅ, ଓ ୧୫ବର୍ଷର ପୁଅ ଅଛନ୍ତି। ସେ ଜଣେ ଧର୍ମ ପରାୟଣା, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ମହିଳା ଭାବେ ପରିଚିତ ଥିଲେ। ଜୟପୁର ଜିଲ୍ଲା ଓକିଲ ସଂଘ ସଭାପତି ସରୋଜ ଦାଶ, ଉପସଭାପତି ପିଣ୍ଟୁ ମାଝୀ, ସଂପାଦକ ଆନନ୍ଦ ରଥ, ସହ ସଂପାଦକ ଗିରିଧର ଖରା, କୋଷାଧ୍ୟକ୍ଷ ଗୋପବନ୍ଦୁ ସାନ୍ତ୍ରା, ହରିଶ୍ଚନ୍ଦ୍ର ମୁଦୁଲି, କେ. ଦିବାକର ରାଓ ପ୍ରମୁଖ ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସମ୍ବନ୍ଧିତ ଖବର