ସୁନ୍ଦରଗଡ଼ : ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ହେମଗିର ଥାନା ରତନପୁରରେ ଏକ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣେ ନବବିବାହିତା ଗୁରୁତର ଆହତ ହୋଇ ଡାକ୍ତରଖାନା ନେବା ବାଟରେ ପ୍ରାଣ ହରାଇଛନ୍ତି। ମୃତା ମହିଳା ହେଲେ ରତନପୁରର ମଦନ କିସାନଙ୍କ ପତ୍ନୀ ନିର୍ମଳା ନାଏକ (୨୨)। ୧୩ ଦିନ ତଳେ ସେ ବିବାହ କରିଛନ୍ତି। ଏହାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ ମଧ୍ୟ କରିଥିଲେ।
ତେବେ ପରବର୍ତ୍ତୀ ସମୟରେ ମୃତାଙ୍କ ବାପ ଘର ଲୋକେ ରତନପୁର ଆସିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ସେମାନେ ଜ୍ବାଇଁ ମଦନ କିସାନଙ୍କ ନାମରେ ଏତଲା ଦେଇଛନ୍ତି। ମଦନ ଦୁଇ ଦିନ ହେଲା ଝିଅକୁ ମାଡ଼ ପିଟ କରୁଥିବା ଓ ସେହି କାରଣରୁ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଶନିବାର ନିର୍ମଳାଙ୍କ ଶବ ବ୍ୟବଚ୍ଛେଦ କରାଯିବ। ନିର୍ମଳା ପୂର୍ବାହ୍ନ ସାଢ଼େ ୧୦ଟାରେ ରାସ୍ତା କଡ଼ ନଳକୂଅକୁ ପାଣି ଆଣିବାକୁ ଯାଉଥିବାବେଳେ ଟ୍ରେଲରଟି ତାଙ୍କୁ ଧକ୍କା ଦେଇଥିଲା ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ସୁନ୍ଦରଗଡ଼ ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏପଟେ ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଲୋକେ ରତନପୁରଠାରେ ରାସ୍ତାରୋକ କରିଥିଲେ। ଫଳରେ କୋଇଲା ବୋଝେଇ ଟ୍ରକ ସହ ଶହ ଶହ ଭାରୀଯାନ ସେଠାରେ ଅଟକି ରହିଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ବୁଝାସୁଝା କରୁଥିବା ବେଳେ ଛତିଶଗଡ଼ ତମନାର ବଜାରମୁଡ଼ାର ମୃତା ନିର୍ମଳାଙ୍କ ବାପ ଘର ଲୋକେ ଆସି ଜ୍ବାଇଁ ମଦନଙ୍କ ନାମରେ ଅଭିଯୋଗ କରିଥିଲେ। ମଦନ ନିର୍ମଳା ସହ ଗଣ୍ଡଗୋଳ କରି ମାଡ଼ପିଟ କରୁଥିବା ଓ ଆଜି କବାଟ ବନ୍ଦ କରି ରଖିଥିବା ଫୋନ ଯୋଗେ ଝିଅ ଠାରୁ ସୂଚନା ପାଇ ଆସିଥିବା ପ୍ରକାଶ କରିଥିଲେ। ଏ ନେଇ ସେମାନେ ହେମଗିର ଥାନାରେ ଏତଲା ଦେଇଥିଲେ। ଏହା ପରେ ରାସ୍ତାରୋକ ହଟି ଯାଇଥିଲା। ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ନିର୍ମଳାଙ୍କୁ ଟ୍ରେଲର୍ ଧକ୍କା ଦେବା ସତ, ହୁଏତ ଝଗଡ଼ା ପରେ ନିର୍ମଳା ବନ୍ଦ ଘରୁ କୌଣସି ମତେ ବାହାରକୁ ବାହାରି ରାସ୍ତାକୁ ଧାଇଁ ଆସୁଥିବା ବେଳେ ହଠାତ ଟ୍ରେଲରର ଧକ୍କା ଲାଗିଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/WhatsApp-Image-2022-02-25-at-22.02.58.jpeg)