ଲୋଭନୀୟ ଚାକିରି ମୋହ ବାନ୍ଧି ପାରିଲାନି ବେଡ଼ି, ସମାଜସେବା ପାଇଁ ଆଗେଇ ଆସିଲେ ମହିଳା ଇଞ୍ଜିନିୟର

ବାଲିଅନ୍ତା: ଲୋଭନୀୟ ଇଞ୍ଜିନିୟର ଚାକିରି ମୋହ ବାନ୍ଧି ପାରିଲାନି ବେଡ଼ି। ୫୦ ହଜାର ଦରମାରେ କମ୍ପାନି ଚାକିରି ଲୋଭକୁ ପଛରେ ପକାଇ ଗାଁ ମାଟର ସେବା କରିବା ପାଇଁ ଆଗେଇ ଆସିଲେ ମହିଳା ଡିପ୍ଲୋମା ଇଞ୍ଜିନିୟର। ୧୨ଟି ୱାର୍ଡ଼କୁ ନେଇ ଗଠିତ ମହିଳା ସଂରକ୍ଷିତ ପ୍ରତାପରୁଦ୍ରପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅଙ୍କିତା ହରିଚନ୍ଦନ। ସ୍ଥାନୀୟ ଓଲାରବିନ୍ଧା ଗ୍ରାମର ପ୍ରତିଷ୍ଠିତ ପରିବାରର ୩୨ ବର୍ଷୀୟ ବୋହୂ ଅଙ୍କିତା ଜଣେ ବିଟେକ୍ ଇଞ୍ଜିନିୟର। ନିକଟରେ ଏକକାଳୀନ ଭାବେ ତାଙ୍କୁ ହାଇଦ୍ରାବାଦ ଏବଂ ବେଙ୍ଗାଲୁରରେ ଘରୋଇ ସଂସ୍ଥାରେ ଚାକିରି ପାଇଁ ନିଯୁକ୍ତପତ୍ର ମିଳିଥିଲା। ହେଲେ ଚାକିରିକୁ ପ୍ରତ୍ୟାଖ୍ୟାନ କରି ଅଙ୍କିତା ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଆଜି ସେ କଣ୍ଟି ବରାହି, ଓଲାରବିନ୍ଧା, ପ୍ରତାପରୁଦ୍ରପୁର, ବେତେଣ୍ଡା ଆଦି ଗ୍ରାମରେ ମହିଳା ମଣ୍ଡଳ ସଦସ୍ୟଙ୍କ ସହ ଘରକୁ ଘର ବୁଲି ଭୋଟ ପ୍ରଚାର କରିଥିଲେ।

Sambad

ବଡ଼ କଥା ହେଉଛି, ଅଙ୍କିତା ନୂଆମୁହଁ ହୋଇଥିଲେ ମଧ୍ୟ ତାଙ୍କ ପରିବାର ବଂଶାନୁକ୍ରମିକ ଭାବେ ରାଜନୀତି କ୍ଷେତ୍ରରେ ପ୍ରତାପରୁଦ୍ରପୁର ପଞ୍ଚାୟତରେ ପୁରୁଣାମୁହଁ। ମିଳିଥିବା ସୂଚନା ଅନୁସାରେ ତାଙ୍କ ଜେଜେ ଶ୍ବଶୂର ନିତ୍ୟାନନ୍ଦ ପଟ୍ଟନାୟକ ନାଏବ ସରପଞ୍ଚ ଥିଲେ। ତାଙ୍କ ଦେଢ଼ଶୁର ଲକ୍ଷ୍ମଣ ପଟ୍ଟନାୟକ ୨୦୧୨ ମସିହାରେ ପ୍ରତାପରୁଦ୍ରପୁର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବାଲିଅନ୍ତା ବ୍ଲକ ଅଧ୍ୟକ୍ଷ ନେଇ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ମାତ୍ର ଗୋଟିଏ ଭୋଟରେ ପ୍ରତିଦ୍ବନ୍ଦ୍ବୀ ପ୍ରାଥୀଙ୍କ ଠାରୁ ହାରି ଯାଇଥିଲେ। ୨୦୧୭ ମସିହାରେ ସମିତି ସଭ୍ୟ ପ୍ରାର୍ଥୀ ଠିଆ କରାଇ ନେତୃତ୍ବ ନେଇଥିଲେ। ନିଜ ବଂଶଧରଙ୍କ ରାଜନୀତିକୁ ପ୍ରସଙ୍ଗ କରି ଅଙ୍କିତା ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଜଣେ ଉଚ୍ଚ ଶିକ୍ଷିତା ପ୍ରାର୍ଥୀ ହୋଇଥିବାରୁ ଭୋଟର ଦିନକୁ ଦିନ ତାଙ୍କ ଆଡ଼କୁ ଢଳୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର