୭ ବର୍ଷର ସଂପର୍କ ଶେଷ କରି ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

କୋରାପୁଟ: ଦୀର୍ଘ ୭ ବର୍ଷର ସଂପର୍କ ଶେଷ କରି କୋରାପୁଟରେ ଡିଜିପିଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି । କୋରାପୁଟ ଗସ୍ତରେ ଥିବା ଡିଜିପି ଅଭୟଙ୍କ ନିକଟରେ ଆଜି ଏଓବିଏସ୍‌ଜେଡସି ଅନ୍ତର୍ଗତ ବୈପାରୀଗୁଡ଼ା ଏରିଆ କମିଟିର ସଦସ୍ୟ ଟାଲସେ ହୁଇକା ଓରଫ ଟାଲସୋ ଆତ୍ମସମର୍ପଣ କରିଛନ୍ତି । କେରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ପିଲବୋରେ ଗାଁରେ ଲିବରି ହୁଇକାଙ୍କ ଝିଅ ଟାଲସେ କହିଛନ୍ତି ଯେ, ସେ ସିପିଆଇ ମାଓ ସଂଗଠନରେ ୨୦୧୨ରେ ଯୋଗ ଦେଇଥିଲେ । ସେହି ସମୟରେ ତାଙ୍କୁ ୧୩ ବର୍ଷ ବୟସ ହେଉଥିଲା । ସେ ସଂଗଠନ ଦ୍ୱାରା ତାଲିମ ନେଇଥିଲେ ଓ ବନ୍ଧୁକ ଚଳାଇବା ଶିଖିଥିଲେ ।

ଟାଲସେ କହିଛନ୍ତି, ସେ ୨୦୧୫ରେ ଇନସାଫ ରାଇଫଲ ଚଳାଇବା ଶିଖିବା ପରେ ପେଡାବାଇଲୁ ଏରିଆ କମିଟି ପାଇଁ କାମ କରିଥିଲେ । ଗତ ମେ’ ମାସରେ ତାଙ୍କୁ ବୈପାରୀଗୁଡ଼ା ଏରିଆ କମିଟିକୁ ବଦଳି କରାଯାଇଥିଲା । ସେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରେ କାମ କରିଥିଲେ । ସେହିପରି ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଅଂଚଳରେ ମଧ୍ୟ କାମ କରିଥିଲେ । ମାଓବାସୀ ସଂଗଠନରେ ଥିବା ବେଳେ ସେ ୫ଟି ଆକ୍ରମଣ ଘଟଣା ସହିତ ଜଡ଼ିତ ଥିଲେ ।

ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିବା ଅବସରରେ ଟାଲସେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ବିକାଶ ଓ ଲୋକକଲ୍ୟାଣ ମୂଳକ ଯୋଜନାରେ ଆକର୍ଷିତ ହୋଇଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସ୍ଥିର କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସେ ପ୍ରଭାବିତ ହୋଇ ନକ୍ସଲ ସଂଗଠନ ଛାଡ଼ିଛନ୍ତି । ନକ୍ସଲ ପ୍ରଭାବିତ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନୂଆ ଥାନା ଓ ବିଏସଏଫ ଶିବିର ପ୍ରତିଷ୍ଠାନ କରି ସରକାର ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇଛନ୍ତି । ଏତଦ୍ ବ୍ୟତୀତ ମାଓ ସଂଗଠନରେ ସେ ବରିଷ୍ଠ କ୍ୟାଡରଙ୍କ ଦ୍ୱାରା ନିର୍ଯାତିତ ହେଉଥିଲେ ବୋଲି ପୁଲିସ ଆଗରେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର