ଜୟପୁର: ଦୁଇ ଦେଢ଼ଶୁର ଶାରୀରିକ, ମାନସିକ ଓ ଯୌତୁକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ସ୍ଥାନୀୟ ରାଜୁସାହୁ ଅଂଚଳର କୁଂଜବିହାରୀ ମହାପାତ୍ରଙ୍କ ପତ୍ନୀ ମଧୁସ୍ମିତା ମହାପାତ୍ରଙ୍କ ଏତଲା ଟାଉନଥାନା ପୁଲିସ ଗ୍ରହଣ କରୁନଥିବା ଅଭିଯୋଗ କରି ସେ ଥାନା ସମ୍ମୁଖ ପିଣ୍ଡାରେ ବସି ଧାରଣା ଦେଇଥିଲେ। ତାଙ୍କ ସହ ତାଙ୍କ ବାପା ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରାମ ଚନ୍ଦ୍ର ପାଢ଼ୀ ଉପସ୍ଥିତ ଥିଲେ। ପରେ ଟାଉନଥାନା ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗତ ଦୁଇଦିନ ତଳେ ଜୟପୁର ଟାଉନଥାନାରେ ମଧୁସ୍ମିତା ଆସି ଅଭିଯୋଗ କରିବା ସହ ଏତଲା ଦେବାକୁ କହିଥିଲେ।
ତେବେ ପରିବାରିକ ମାମଲା ପରିବାର ମଧ୍ୟରେ ବସି ତୁଟାଇବାକୁ ଥାନା ପକ୍ଷରୁ କୁହାଯାଇ ତାଙ୍କୁ ଫେରାଇ ଦିଆଯାଇଥିବା ମଧୁସ୍ମିତା ଅଭିଯୋଗ କରିଛନ୍ତି। ମଧୁସ୍ମିତା ତାଙ୍କ ଏତଲାରେ ତାଙ୍କ ଦେଢ଼ଶୁର ରାଘବ ମହାପାତ୍ର ଓ ମୁନ୍ନା ମହାପାତ୍ର ସବୁ ବେଳେ ଶାରିରୀକ, ମାନସିକ ନିର୍ଯ୍ୟାତନା ଦେବା ସହ ଯୌତୁକ ନିର୍ଯ୍ୟାତନା ଦେଉଥିବା ବି ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ନାଁରେ ତାଙ୍କ ବାପା ରାମଚନ୍ଦ୍ର ପାଢ଼ୀ ବାହା ବେଳେ ଦେଇଥିବା ୨ଟି ପ୍ଲଟକୁ ମଧ୍ୟ ସେମାନେ ଋଣ ନେବା ପାଇଁ ସିକ୍ୟୁରିଟିରେ ଦେଇଛନ୍ତି। ତାଙ୍କ ୨ଟି ଝିଅ ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ଧମକ ଦେଇ ଋଣ ନେବା ଫର୍ମରେ ଜୋର ଜବରଦସ୍ତ ଦସ୍ତଖତ କରାଇ ନେଇଥିବା ମଧୁସ୍ମିତା ଅଭିଯୋଗ କରିଛନ୍ତି।
ଏହା ସାଙ୍ଗକୁ ତାଙ୍କୁ ହିଁ ଏହି ଋଣ ଅର୍ଥ ପରିଷୋଧ କରିବା ପାଇଁ ବାଧ୍ୟ ବାଧକତା କରାଯାଉଛି। ତାଙ୍କ ସ୍ବାମୀ କରୋନାରେ ସଂକ୍ରମିତ ହେବାସହ ଅସୁସ୍ଥ ଥିବାରୁ ଏହାର ସୁଯୋଗ ନେଇ ମଧୁସ୍ମିତା, କୁଂଜବିହାରୀ ଓତାଙ୍କ ୨ଝିଅଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଏତଲାରେ ଦର୍ଶାଇଛନ୍ତି। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦଫା ୪୯୮-ଏ, ୨୯୪,୩୫୪,୫୦୬, ୩୪ ଓ ୪ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ କରିଛନ୍ତି। ଏହା ପାରିବାରିକ ମାମଲା। ମନମାଳିନ୍ୟ, ସାମାନ୍ୟ ଝଗଡ଼ାକୁ ନେଇ ସେ ଏଭଳି ଅଭିଯୋଗ କରୁଛନ୍ତି। ସେଭଳି କିଛି ବ୍ୟବହାର କରାଯାଇନି। ଅପରପକ୍ଷରେ ସେ ଆମ ସମସ୍ତଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଛନ୍ତି। ତେଣୁ ମୋ ସ୍ତ୍ରୀ ଓ ମୋ ଭାଇଙ୍କ ସ୍ତ୍ରୀ ଥାନାରେ ତାଙ୍କ ନାଁରେ ପାଲଟା ଏତଲା ଦେବେ ବୋଲି କହିଛନ୍ତି ମୁନ୍ନା ମହାପାତ୍ର। ତୁରନ୍ତ ଗିରଫ ଦାବି କରି ମଧୁସ୍ମିତା ଥାନା ସମ୍ମୁଖରେ କିଛି ସମୟ ପାଇଁ ବସିଥିଲେ। ପୁଲିସ ଏତଲା ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ମନିଷା ସାହୁ।