ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସିସିଟିଭି ଫୁଟେଜକୁ ନେଇ ପୁଲିସର ଛାନଭିନ

ଅଦାଲତରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ

ସୋନପୁର: ସୋନପୁର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପରିସରରେ ଜଣେ ଯୁବତୀଙ୍କୁ ସୋମବାର ପୂର୍ବାହ୍ନ ୧୧ଟାରେ ଗଣଦୁଷ୍କର୍ମ ହୋଇଥିବା ସୋନପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ପୀଡ଼ିତାଙ୍କ ଘର ବଲାଙ୍ଗୀରରେ। ସେ ତାଙ୍କ ମାଙ୍କ ସହ ସୋନପୁରକୁ ଆସି ଭଡ଼ା ଘରେ ରହୁଥିଲେ। ଯୁବତୀ ଓ ତାଙ୍କ ମା’ ଲୋକଙ୍କ ଘରେ କାମଧନ୍ଦା କରୁଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ସୋମବାର ପୂର୍ବାହ୍ନରେ ୨ ଜଣ ଯୁବକ ତାଙ୍କ ଘରକୁ ଆସିଥିଲେ। ସର୍କିଟହାଉସ ନିକଟ ଅଫିସ୍‌ରେ ଭୋଜିଭାତ ହେଉଛି ତେଣୁ ସଫେଇ କରିବାକୁ କହି ତାଙ୍କୁ ଡାକି ନେଇଥିଲେ।

ଅବ୍ୟବହୃତ ହୋଇ ପଡ଼ିଥିବା ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରର ପଛ ପଟ ଦେଇ ଭିତରକୁ ପୀଡ଼ିତା ଯୁବତୀକୁ ନେଇ ଯାଇଥିଲେ। ସେଠାରେ ଦୁହେଁ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ପୁଲିସ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଇଛି। ମଙ୍ଗଳବାର ଅଦାଲତରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରାଯାଇଥିବା ସୂଚନା ଦିଆଯାଇଛି। ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରର ସିସିଟିଭି ଫୁଟେଜରୁ ଗଣଦୁଷ୍କର୍ମକାରୀଙ୍କ ସମ୍ପର୍କରେ ପୁଲିସକୁ ସୁରାକ ମିଳିଥିବା ଜଣାଯାଇଛି। ପୁଲିସ ସାଇଣ୍ଟିଫିକ ଟିମ୍‌ ଦ୍ବାରା ତଦନ୍ତ ଜାରି ରଖିଛି। ସୂଚନା ପାଇ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଏସ୍‌ପି ଉତ୍କଳ କେଶରୀ ଦାଶ, ଡିଏସ୍‌ପି ଆନନ୍ଦବର୍ଦ୍ଧନ ଗୁରୁ, ଡିଏସ୍‌ପି ହେମସାଗର ନନ୍ଦ, ସୋନପୁର ଆଇଆଇସି ପୁଷ୍ପେନ୍ଦୁ ସାଗର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। କୋଭିଡ-୧୯ ମହାମାରୀ ପାଇଁ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଗତ ୧୦ ମାସ ହେଲା ତାଲିମ କାର୍ଯ୍ୟ ବନ୍ଦ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର