ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କଙ୍ଗ୍ରା ଗ୍ରାମରେ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣାର ୨ ଦିନ ବିତିଯାଇଥିଲେ ମଧ୍ୟ ଯୁବତୀ ଜଣଙ୍କ ସ୍ବଭାବିକ ଅବସ୍ଥାକୁ ଫେରିନାହାନ୍ତି, ଯାହାକି ପୁଲିସ ଓ ପ୍ରଶାସନ ପାଇଁ ଚିନ୍ତା ବଢ଼େଇ ଦେଇଛି। ଯୁବତୀ ସ୍ବାଭାବିକ ଅବସ୍ଥାକୁ ନଫେରିବାରୁ ଏହି ମରଣାତ୍ମକ ଆକ୍ରମଣ ଘଟଣା ରହସ୍ୟ ହୋଇ ରହିଯାଇଛି।

Advertisment

ଗତକାଲି ସକାଳୁ ପୀଡିତା ଜଣକ କାଜୁବାଡରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେ ସଂଧ୍ୟା ପର୍ଯ୍ୟନ୍ତ କିଛି କହିବା ଅବସ୍ଥାରେ ନାହାନ୍ତି । ଗତକାଲି ଦିନ ସାରା ଯୁବତୀ ଜଣଙ୍କ କିଛି ହେଲେ ଖାଦ୍ୟ ଖାଇନଥିଲେ। ଯୁବତୀ ଜଣଙ୍କ କେବଳ ଖାଲି ଶୋଇ ରହିଥିଲେ। ସେ କିଛି କହିବା ପାଇଁ ସକ୍ଷମ ନଥିଲେ। ତାଙ୍କ ମୁଣ୍ଡ, ବେକ ଓ ମୁହଁ କୁ ଗଭୀର ଆଘାତ ଲାଗିଥିବାରୁ ଗତ କାଲି ଡାକ୍ତରଖାନାରେ ଡାକ୍ତରମାନେ ଆଘାତ ଲାଗିଥିବା ସ୍ଥାନରେ ଷ୍ଟିଚ୍ ପକାଇଥିଲେ। ତାଙ୍କ ଅବସ୍ଥା ସଂଗୀନ ଥିବା ବେଳେ ଯୁବତୀ ଜଣକ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଚିକିତ୍ସା ପାଇଁ ସହଯୋଗ କରିନଥିଲେ।

ଗତକାଲି ସାଲାଏନ ଓ ଇଞ୍ଜେକ୍ସନ ଦେବା ପାଇଁ ଅସହଯୋଗ କରିବା ସହ ଲାତ ମାରିବାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ସାଲାଏନ ମାଧ୍ୟମରେ ଚିକିତ୍ସା କରାଯାଇପାରିନଥିଲା। ତେବେ ମୁଣ୍ଡକୁ ଗଭୀର ଆଘାତ ଲାଗିଥିବାରୁ ମୁଣ୍ଡର ସ୍କାନିଂ କରିବା ଆବଶ୍ୟକ ଥିବାରୁ ତାଙ୍କୁ କୋରାପୁଟ ବଡ ମେଡିକାଲକୁ ପଠାଯିବ ବୋଲି କହିଛନ୍ତି। ଆଜି ଖବର ପାଇ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ଓ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ କଙ୍ଗ୍ରା ଗ୍ରାମକୁ ଯାଇ ତଦନ୍ତ କରିବା ସହ ୨ ଜଣ ଯୁବକଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା ଚାଲୁ ରଖିଛନ୍ତି । ମା’ଙ୍କ ଅଭିଯୋଗ ପରେ ତେନ୍ତୁଳିଖୁଣ୍ଟି ଥାନାରେ କେସ ନଂ ୧/୨୧ ରେ ମାମଲା ରୁଜୁ କରାଯିବା ସହ ତତନ୍ତ କାରୀ ଅଧିକାରୀ ନିଜେ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ତଦନ୍ତ ଜାରି ରଖିଛନ୍ତି।

ସେହପରି ଭାବେ ନବରଙ୍ଗପୁର ଅତିରିକ୍ତ ଏସପି ସିଏଚ୍. ହୃଦୟାନନ୍ଦ ଡାକ୍ତରଖାନାକୁ ଯାଇ ତଦନ୍ତ କରି ଫେରିଛନ୍ତି। ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ଓ ଏସଆଇ ନିଳିମା ପାଣିଗ୍ରାହୀ ଯୁବତୀଙ୍କୁ କିଛି ଯୁବକଙ୍କ ଫୋଟ ଦେଖାଇ ଘଟଣା ସଂକ୍ରାନ୍ତରେ ପଚାରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଯୁବତୀ ଜଣଙ୍କ କିଛି କହିବା ଅବସ୍ଥାରେ ନଥିଲେ ଏବଂ ବାରମ୍ବାର ଶୋଇପଡୁଥିଲେ। ଯାହା ଫଳରେ ପୁଲିସ କୁ ତଦନ୍ତ ରେ ବ୍ୟାଘାତ ସୃଷ୍ଟି କରିଛି । ଆଜି ଦିନ ସାରା ନବରଙ୍ଗପୁର ଥାନାର ଅଧିକାରୀ ଓ ଏସଆଇମାନେ ଡାକ୍ତରଖାନରେ ଜଗି ରହିଥିବା ଦେଖିବାକୁ ମିଳିଥିଲା।

ପୀଡିତାର ମା’ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଗତ ୩୧ ତାରିଖ ରାତିରେ ତାଙ୍କ ଝିଅ ଟିଭି ଦେଖିବା ପାଇଁ ଯିବି କହି ଘରୁ ବାହାରିଥିଲା। ସେ ଆଉ ଘରକୁ ରାତିରେ ଫେରିନଥିଲା। ସକାଳୁ ଗ୍ରାମର କିଛି ବ୍ୟକ୍ତି କାଜୁ ବାଡରେ ମୁମୁର୍ଷୁ ଅବସ୍ଥାରେ ପଡିରହିଥିବାର ଖବର ଦେବା ପରେ ସେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ତାଙ୍କ ଝିଅ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲେ। କିଛି ବ୍ୟକ୍ତିଙ୍କ ସହଯୋତଗରେ ଘରକୁ ଉଠାଇ ଆଣିଥିଲେ। ପରେ ୧୦୮ ଆମ୍ବୁଲାନସ ସାହାଯ୍ୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ତାଙ୍କ ଝିଅକୁ ମରଣାତ୍ମକ ଆକ୍ରମଣ କରିବା ପରେ ମରିଗଲା ଭାବି ଛାଡିପଳାଇଥିବାର ସେ ସନ୍ଦେହ କରୁଥିବାର କହିଛନ୍ତି। ତାଙ୍କ ଝିଅ ଏଥିରେ ୨ ଜଣ ସମ୍ପୃକ୍ତ ଥିବା ନେଇ ଅଙ୍ଗୁଳି ଦେଖାଇଥିଲେ ମଧ୍ୟ କାହିଁକି ଆକ୍ରମଣ ହେଲା ଏବଂ କିଏ ଆକ୍ରମଣ କରିଲା ସେ ସଂକ୍ରାନ୍ତରେ କିଛି କହିପାରିନଥିବାର କହିଛନ୍ତି।