ରାଉରକେଲା(ରୀନା ରାମ୍): ପରିସ୍ଥିତି କାହାକୁ କେତେବେଳେ କେଉଁସ୍ଥାନରେ ଆଣି ଛିଡ଼ା କରିଦେବ ତାହା କେହି ଜାଣନ୍ତି ନାହିଁ। ସମୟସମୟରେ କାମ ନ ଜାଣିଥିଲେ ବି ଘର, ପରିବାର ପାଇଁ ଅଣ୍ଟାଭିଡ଼ି ବାହାରକୁ ବାହାରିବାକୁ ହୋଇଥାଏ। ତେବେ ଏଭଳି ପ୍ରସଙ୍ଗରେ ସାମ୍ନାକୁ ଆସେ ରାଉରକେଲାରେ ବାସ କରୁଥିବା ଜଣେ ଯୁବତୀଙ୍କ ସଂଘର୍ଷମୟ କାହାଣୀ ଆସନ୍ତୁ ଜାଣିବା।
ରାଉରକେଲା ଝିରପାଣି ନିକଟସ୍ଥ ରେଉଁ ଗ୍ରାମରେ ବାସନ୍ତୀ ମୁଣ୍ଡାରୀ ନାମକ ଜଣେ ଯୁବତୀ ବସବାସ କରନ୍ତି। ବାସନ୍ତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେ ମା’ଙ୍କ ସହିତ ରହନ୍ତି। ତେବେ ବାସନ୍ତୀ ବଡ଼ ହେବା ପରେ ମା’ଙ୍କ ଦୁଃଖ ଦେଖି ପାରି ନ ଥିଲେ। କାରଣ ଅର୍ଥ ଅଭାବରୁ ଘର ଚଳିବା ବହୁତ କଷ୍ଟ ହେଉଥିଲା। ତେଣୁ ବିଶେଷ କିଛି ପାଠପଢ଼ି ନଥିବା ବାସନ୍ତୀ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଘରୁ ପାଦ କାଢ଼ିବା ପାଇଁ ଅଣ୍ଟା ଭିଡିଥିଲେ।
ପ୍ରଥମେ ସେ ଜଣେ କଣ୍ଟ୍ରାକ୍ଟର ପାଖରେ ରହି କାମ ଶିଖିଥିଲେ। ସେ ସମୟରେ ତାଙ୍କୁ ବିଶେଷ କିଛି ଟଙ୍କା ମିଳୁ ନଥିଲା। ଏହା ସତ୍ତ୍ବେ ସେ ନିରାଶ ହେଉ ନଥିଲେ। ଗୋଟିଏ ଲକ୍ଷ୍ୟ ଥିଲା ସେ କେମିତି କାମ ଶିଖିବେ। ଧୀରେଧୀରେ କାମ ଶିଖିଗଲା ପରେ ଏବେ ସେ ଆତ୍ମନିର୍ଭଶୀଳ ହୋଇପାରିଛନ୍ତି।
ଆଉ ବାସନ୍ତୀଙ୍କ କାମକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ବାସନ୍ତୀ ଦୌଡ଼ି ଓ କିଛି ବାଉଁଶ ସାହାଯ୍ୟରେ ଲମ୍ବା ଶିଡ଼ି ବାନ୍ଧି ଯେଭଳି ଭାବେ ଉଚ୍ଚଉଚ୍ଚ କୋଠାରେ ଚଢ଼ି ରଙ୍ଗକାମ କରୁଛନ୍ତି ନିଜ ଆଖିରେ ନଦେଖିଲେ ବିଶ୍ବାସ ବି କରି ପାରିବେ ନାହିଁ।
ବାସନ୍ତୀ କହନ୍ତି, ‘ଏଭଳି କାମ ମୁଁ ମୋ ପରିବାର ଖୁସି ପାଇଁ କରୁଛି। ମହଲା ପରେ ମହଲା ଚିଢ଼ି ଏଭଳି ରଙ୍ଗ କାମ ପାଇଁ ମୁଁ ପ୍ରଥମେ ନିଜ ମନରୁ ଭୟକୁ ବାହାର କରି ଦେଇଥିଲି। ଧୀରେଧୀରେ ଏହା ମୋର ଅଭ୍ୟାସରେ ପରିଣତ ହୋଇଗଲା। ମୁଁ କାମ ପୂରା ଶିଖିଯିବା ପରେ ଏବେ ମୋ ପାଖରେ କିଛି ପିଲାଙ୍କୁ ରଖି କାମ କରାଉଛି।’
ବାସନ୍ତୀଙ୍କ କାହାଣୀ ସତରେ ପ୍ରେରଣାଦାୟୀ। ସେ ପୁରୁଷ ପ୍ରଧାନ୍ୟ ଥିବା ଏକ ପେସାକୁ ଆପଣାଇ ସେଥିରେ ସଫଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ କାମ ଯୋଗାଉଛନ୍ତି।