ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରଙ୍କଦେଉଳି ପଚାଂୟତ ଅଧୀନ ଗୋଡିମଡା ଗାଁରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଠାରୁ ୨ ଜଣ ଲୁଟେରା ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ ସାମଗ୍ରୀ, ଭୁଜାଲି ଓ ଏକ ପଲସର ବାଇକକୁ ପୁଲିସ ଜବତ କରିଛି । ତେବେ ଏଥିରେ ସଂପୃକ୍ତ ଲୁଟେରା ସମେତ ୩ ଜଣ ଗିରଫ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଜଣାଇଛନ୍ତି ।
ପୁଲିସ ସୂଚନା ମୁତାବକ ଗୋଡିପଡା ଖିଲାମୁଣ୍ଡା ସାହିର ସୁନା ଅଳଙ୍କାର ବ୍ୟବସାୟୀ ଅରୁଣ କୁମାର ସାହୁ ପ୍ରତିଦିନ ଭଳି ଗତ ମାସ ୨୧ ତାରିଖ ସକାଳ ସାଢେ ୮ ଟାରେ ନିଜ ବାଇକରେ ଅଢେଇ କିଲୋ ରୂପା ଓ ଦେଢ ଶହ ଗ୍ରାମ ସୁନା ଅଳଙ୍କାର ନେଇ ଶଙ୍ଖେଇ ଗାଁ ଅଭିମୂଖେ ଯାଉଥ୍ôଲେ । କିନ୍ତୁ ଇତି ମଧ୍ୟରେ ପଛରୁ ବାଇକ (ଓଡି-୨୫ଜେ-୫୬୧୪) ଅନୁସରଣ କରି ପିଛା କରୁଥିଲେ । ୨ ଜଣ ଲୁଟେରା ହେଲେ ନୟାଗଡ ସଦର ଥାନା ଅଧୀନ ପଦ୍ମପୁର ଗାଁର ଭଜ ରାଉତଙ୍କ ପୁଅ ବିଜୟ ରାଉତ(୨୫) ଓ ଖଣ୍ଡୁଗାଁର ବିନୋଦ ପ୍ରଧାନଙ୍କ ପୁଅ ସୁଶାନ୍ତ ପ୍ରଧାନ(୨୪) । ଉଭୟେ ଭୁଜାଲି ଦେଖାଇ ଶ୍ରୀ ସାହୁଙ୍କ ଠାରୁ ଉପରୋକ୍ତ ପରିମାଣର ସୁନା, ରୂପା ଅଳଙ୍କାର ଲୁଟି ନେଇଥିଲେ । କିନ୍ତୁ ଉକ୍ତ ଲୁଟ୍ ଘଟଣା ଦିନ ଶ୍ରୀ ସାହୁଙ୍କର ମା’ଙ୍କ ଦେହ ଅତ୍ୟନ୍ତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଫଳରେ ଗତକାଲି ଶ୍ରୀ ସାହୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ତେବେ ଅଭିଯୋଗକୁ ଭିତି କରି ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା, ଏସଡିପିଓ ଏସ.ଟପୋ ଓ ପୁଲିସ ଟିମ୍ ଉପରୋକ୍ତ ଲୁଟେରାଙ୍କ ନିଜ ନିଜ ଗାଁରେ ଚଢଉ କରି ଉଭୟଙ୍କୁ ଗିରଫ କରିବା ସାଙ୍ଗକୁ ଉଭୟ ଲୁଟେରାଙ୍କ ଠାରୁ ଉକ୍ତ ପରିମାଣର ସୁନା ଅଳଙ୍କାର କିଣିଥିବା ବ୍ୟବସାୟୀ ବୋଲଗଡ ଥାନା ଅଧୀନ ଘୋରଡିଆ ଗାଁର ସନ୍ତୋଷ କୁମାର ସାହୁ(୪୪)ଙ୍କୁ ମଧ୍ୟ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅପରପକ୍ଷେ ଉକ୍ତ ଘଟଣାରେ ସଂପୃକ୍ତ ପଦ୍ମପୁର ଗାଁର ଅନ୍ୟ ଜଣେ ଲୁଟେରା ବାବୁ ରାଉତ ଫେରାର ଥିବା ବେଳେ ଖୁବ ଶିଘ୍ର ଗିରଫ ହେବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ କଟାରିଆ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/ranpur-news-lakyadika-tanka-ra.........jpg)