ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ

ବରୀ: ଯାଜପୁର ଜିଲ୍ଲା ବରୀ ବଜାର ମଧ୍ୟରେ ରାସ୍ତାକଡ଼ରେ ଥିବା ଆକାଶିଆ ଗଛଗୁଡ଼ିକୁ କଟାଯାଉଥିବା ବେଳେ ଆଜି ବରୀ ତହସିଲ ପକ୍ଷରୁ ଜବତ କରାଯାଇଛି। ଜବତ କାଠଗଣ୍ଡିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। କାଠଗଣ୍ଡି ଜବତ କରାଯାଇଥିବାବେଳେ ଟ୍ରାକ୍ଟର ଓ ଗଛ କାଟୁଥିବା ଲୋକମାନଙ୍କୁ ଛାଡ଼ି ଦିଆଯାଇଛି। ଗତ ବାତ୍ୟା ସମୟରେ ବରୀ-କୁଆଖିଆ ମୁଖ୍ୟରାସ୍ତାର ଉଭୟ ପାର୍ଶ୍ବରୁ କେତୋଟି ଗଛ ଉପୁଡ଼ି ପଡ଼ିଥିଲା। ପୂର୍ବରୁ ମଧ୍ୟ କେତୋଟି ଗଛ ଶୁଖି ଯାଇଥିଲା। ଆଜି ଏହି ଗଛଗୁଡ଼ିକୁ ଦିନ ଦୁଇପ୍ରହରରେ କରତ ଲଗାଇ କଟାଉଥିବାଲା। କଟାଯାଇଥିବା କାଠଗଣ୍ଡିକୁ ଟ୍ରାକ୍ଟରରେ ଲଦାଯାଇଥିଲା। ଖବର ପାଇ ଅତିରିକ୍ତ ତହସିଲଦାର ସେଠାରେ ପହଞ୍ଚିଥିଲେ। କଟାଯାଇଥିବା କାଠଗଣ୍ଡିଗୁଡ଼ିକ ତହସିଲ କା‌ର୍ଯ୍ୟାଳୟ ପରିସରରେ ରଖାଯାଇଛି।

ଏସଂପର୍କରେ ତହସିଲଦାର ମାନସ ରଂଜନ ଭୋଇଙ୍କୁ ପଚାରିବାରୁ କହନ୍ତି ଯେ ଖବର ପାଇ ଅତିରିକ୍ତ ତହସିଲଦାରଙ୍କୁ ପଠାଇଥିଲି। ସେ କାଠ ଜବତ କରିଛନ୍ତି। କାଠ ବୋଝେଇ ଟ୍ରାକ୍ଟର, ଗଛ କିଏ କାଟୁଥିଲେ ଏବଂ କାଟିବା ପାଇ କିଏ ଅନୁମତି ଦେଇଥିଲା କି ନାହିଁ ସେ ସଂପର୍କରେ ଅତିରିକ୍ତ ତହସିଲଦାରଙ୍କୁ ପଚାରନ୍ତୁ ବୋଲି କହିଥିଲେ। ଅତିରିକ୍ତ ତହସିଲଦାରଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇନଥିଲା। ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ଅଲେଖ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ କହିଥିଲେ, ବାତ୍ୟା ପରେ ୩ଟି ଗଛ ଉପୁଡ଼ି ପଡ଼ିଥିଲା। ୩ଟି ଗଛ ମରିଯାଇ ଶୁଖିଲା ଅବସ୍ଥାରେ ରହିଥିବାରୁ ଆମ ବଭାଗ ପକ୍ଷରୁ କଟକ ଡିଏଫଓଙ୍କୁ ପତ୍ର ଲେଖି ୬ଟି ଗଛ କାଟିବାକୁ ଅନୁମତି ମଗାଯାଇଥିଲା। ଅନୁମତି ଆସିଥିଲେ ନିଲାମ ହୋଇଥାନ୍ତା। ଡିଏଫଓ ଙ୍କ ପକ୍ଷରୁ କୌଣସି ଅନୁମତି ପତ୍ର ଆସିନଥିଲା ବେଳେ ଆଜି କିପରି କିଏ ଗଛ କାଟୁଛି ତାହା ଆମକୁ ଜଣାନାହିଁ ‌ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର