ସହିଦ ଲକ୍ଷ୍ମଣ ନାୟକଙ୍କ ନୂଆ ପ୍ରତିମୂର୍ତ୍ତି ବଦଳାଇବାକୁ ଦାବି କଲା ବିଜେପି

ଜୟପୁର: ଗତକାଲି ସ୍ଥାନୀୟ ଗୁପ୍ତେଶ୍ବର କଂପ୍ଲେକ୍ସ ସମ୍ମୁଖରେ ପୁରୁଣା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ପରିବର୍ତ୍ତନ କରି ନୂତନ ମୂର୍ତ୍ତିର ଲୋକାର୍ପଣ କରାଯାଇଛି। ଏହା ସହ ଏହି ପରିସରରେ ଥିବା ସବୁ ମୂର୍ତ୍ତିକୁ ଗୋଟିଏ ପରିସରରେ ରଖି ସୌନ୍ଦର୍ଯ୍ୟକରଣ କରାଯାଇଛି। ପରିବର୍ତ୍ତନ କରାଯାଇଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ନେଇ ଏବେ ସହରର ବିଭିନ୍ନ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ତୁରନ୍ତ ଏହି ମୂର୍ତ୍ତିକୁ ବଦଳାଇବାକୁ ଦାବି ଜୋର ଧରିଛି। ପ୍ରକୃତରେ ସହିଦ ଲକ୍ଷ୍ମଣ ନାୟକ ସେ ସମୟରେ ଟି ସାର୍ଟ ପିନ୍ଧିବା ସହ କଚ୍ଛା ମାରିଥିଲେ କି? ହାତକୁ ହାତ ଯୋଡ଼ିଥିଲେ କି ବୋଲି ଚର୍ଚ୍ଚା ଜୋର ଧରିଛି।

ସହିଦ ଲକ୍ଷ୍ମଣ ନାୟକଙ୍କ ସଂପର୍କରେ ବହୁ ସାହିତ୍ୟିକ , ଗବେଷକ ମାନେ ଗବେଷଣା କରି ଆସିଛନ୍ତି। ସେ କିଭଳି କେଉଁ ରୁପରେ ଥିଲେ ସଂପୁର୍ଣ୍ଣ ବିବରଣୀ ବ୍ରହ୍ମପୁର ଜେଲରେ ଥିଲା। ପୂର୍ବରୁ ବହୁ ହସ୍ତଶିଳ୍ପୀ ତାଙ୍କ ପରିବାର ସହ ଆଲୋଚନା କରି ତାଙ୍କର ମୂର୍ତ୍ତି ନିର୍ମାଣ କରିଥିଲେ। ଏସବୁକୁ ଆଲୋଚନା ନ କରି ଏଭଳି ମୂର୍ତ୍ତି ନିର୍ମାଣ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ବିଜେପି ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ ପ୍ରଶ୍ନ କରିଛନ୍ତି।

ସୌନ୍ଦର୍ଯ୍ୟକରଣ ସ୍ବାଗତ ଯୋଗ୍ୟ, ତେବେ ଏହି ସ୍ଥାନରେ ଗାଡ଼ି ପାର୍କିଂ ସ୍ଥାନ ନ ହେଉ ବୋଲି ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ମୁଖ୍ୟରାସ୍ତା ଦେଇ ଯାଆସ କରୁଥିବା ଲୋକେ ମୂର୍ତ୍ତିକୁ ଦେଖିବା ପରେ ଏହାକୁ ନେଇ ବୁଦ୍ଧିଜୀବୀ, ସାହିତ୍ୟିକ ଆଦିଙ୍କ ମଧ୍ୟରେ ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ତୁରନ୍ତ ବଦଳାଇବାକୁ ଦାବି ଜୋର ଧରିଛି।

ସମ୍ବନ୍ଧିତ ଖବର