କଂଗ୍ରେସର ହାତ ଛାଡିଲେ ମାଲକାନଗିରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲକ୍ଷ୍ମୀପ୍ରିୟା ଏବଂ ପଡିଆ ବ୍ଲକ ସଭାପତି ଏମଡି ଫାରୁକ

ମାଲକାନଗିରି: ଆଜି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜ୍ୟ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। କେବଳ ରାଜ୍ୟରେ ନୁହେଁ ବରଂ ମାଲକାନଗିରି ଜିଲ୍ଲାର ମଧ୍ୟ ହଇଚଇ ସୃଷ୍ଟି ହୋଇଛି। ଏକଦା କଂଗ୍ରେସର ବରିଷ୍ଠ ନେତା ହେବା ସହ ମାଲକାନଗିରି ଜିଲ୍ଲାରେ ହେଉଥିବା ଦୁର୍ନୀତିକୁ ପର୍ଦାଫାସ କରିବାରେ ପ୍ରଦୀପ ମାଝିଙ୍କର ବଡ ଭୁମିକା ରହିଥିଲା।ସେ ଦଳ ଛାଡିବା ନେଇ ଜାଣିବା ପରେ ମାଲକାନଗିରି ଜିଲ୍ଲା କଂଗ୍ରେସର ଜିଲ୍ଲା ଯୁବ ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଏବଂ ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ସେହିପରି ପଡିଆ ବ୍ଲକର ବ୍ଲକ ସଭାପତି ଏମଡି ଫାରୁକ ମଧ୍ୟ କଂଗ୍ରେସର ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଥିବା ନେଇ ପିସିସି କାର୍ଯ୍ୟକାରୀ ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପତ୍ର ପ୍ରେରଣ କରିଥିବା ଜଣାପଡିଛି।ତେବେ ଗତକାଲି ପ୍ରଦେଶ କଂଗ୍ରେସ ତରଫରୁ ମାଲକାନଗିରି ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ଯୁବ କଂଗ୍ରେସ, ବିଧାନସଭା ଯୁବ କଂଗ୍ରେସ ତଥା ବ୍ଲକ ଯୁବ କଂଗ୍ରେସକୁ ରଦ୍ଦ କରାଯାଇଥିବା ନେଇ ଚିଠି ପ୍ରକାଶ ପାଇଥିଲା।

ଏହାର ଗୋଟିଏ ଦିନ ପରେ ଜିଲ୍ଲା କଂଗ୍ରେସ ସଭାପତି ଲକ୍ଷ୍ମୀପ୍ରିୟା ନାୟକ ଦଳ ଛାଡିଥିବାରୁ ନାନା କଳ୍ପନା ଜଳ୍ପନା ଚାଲିଛି। ପୂର୍ବରୁ ସେ ଦଳ ଛାଡିବା ନେଇ ସ୍ପଷ୍ଟ ହୋଇଥିଲା। କିନ୍ତୁ ପ୍ରଦୀପ ମାଝି ଦଳ ଛାଡିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବାରୁ ଏମାନେ ମଧ୍ୟ ଅଟକି ରହିଥିଲେ। ଆଜି ସେ ଦଳ ଛାଡିବା ପରେ ଜିଲ୍ଲାର ଏହି ଦୁଇ ନେତା ଦଳ ଛାଡିବା ପରେ ଦଳର ବହୁ କ୍ଷତି ଘଟିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର