ତାଳଚେର-ବିମଳାଗଡ ରେଳପଥ : ଖୁବ୍‌ଶୀଘ୍ର ସରିବ ଜମି ଅଧିଗ୍ରହଣ କାମ

ରାଉରକେଲା/ସୁନ୍ଦରଗଡ :  ଖୁବ୍‌ଶୀଘ୍ର ତାଳଚେର-ବିମଳାଗଡ ଜମି ଅଧିଗ୍ରହଣ କାମ ସରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଚଳିତ ରେଳ ବଜେଟ୍‌ରେ ପ୍ରକଳ୍ପ ପାଇଁ ଆସିଥିବା ୧୧୭ କୋଟି ଟଙ୍କାକୁ ପ୍ରକଳ୍ପରେ ବିନିଯୋଗ କରିବାକୁ ରାଜ୍ୟ ସରକାର ତୁରନ୍ତ ଜମି ଅଧିଗ୍ରହଣ କରି ରେଳବାଇକୁ ହସ୍ତାନ୍ତର କରିବାକୁ ତାଳଚେର-ବିମଳାଗଡ ରେଳପଥ ସଂଗ୍ରାମ ସମିତି ଦାବି କରିଛି । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃ୍ତ୍ବରେ  ପ୍ରତିନିଧି ଦଳ ସୁନ୍ଦରଗଡ ଜିଲ୍ଳାପାଳ ନିଖିଳ ପବନ କଲ୍ୟାଣଙ୍କୁ ଭେଟି ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରେଳପଥ ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ୭୫.୫ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି। ଅବଶିଷ୍ଟ ୨୨.୨୧ ଏକର ଜମି ଅଧିଗ୍ରହଣ କରାଯିବା କାର୍ଯ୍ୟକ୍ରମ ଜାରି ରହିଛି ବୋଲି  ଜିଲ୍ଲାପାଳ ଶ୍ରୀ କଲ୍ୟାଣ ପ୍ରତିନିଧି ଦଳର ସଦସ୍ୟଙ୍କୁ କହିଛନ୍ତି। ଲହୁଣିପଡାର ୨୨ଟି ଗ୍ରାମ, କୋଇଡାର ୪ଟି ଗ୍ରାମ, ବଣାଇର ୩ଟି ଗ୍ରାମ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି ବୋଲି ସେ କହିଥିଳେ। ଆଗାମୀ ନଭେମ୍ବର ୩୦ ସୁଦ୍ଧା ବିମଳାଗଡ ପାର୍ଶ୍ବରୁ ସମୁଦାୟ ଜମିର ୭୦ ଭାଗ ଜମି ଅଧିଗ୍ରହଣ କରାଯାଇ ରେଳବାଇକୁ ହସ୍ତାନ୍ତର କରାଯିବ। ଏହି ପ୍ରକଳ୍ପ ପାଇଁ ବେସରକାରୀ ଜମି ୨୪୭.୬୪୦ ଏକର, ସରକାରୀ ଜମି ୧୯୨.୭୯ ଏକର, ଜଙ୍ଗଲ ଜମି୯୫.୫୧ ଜମି ଅଧିଗ୍ରହଣ କରାଯାଇ ରେଳବାଇକୁ ଦିଆଯିବ। ନିକଟରେ କେନ୍ଦ୍ର ରେଳ ବିଭାଗ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ନଥିବାରୁ ୧୧୭ କୋଟି ଟଙ୍କା ପ୍ରକଳ୍ପ ପାଇଁ ମଞ୍ଜୁର କରିଥିଲେ ମଧ୍ୟ ଟଙ୍କାଟିଏ ଖର୍ଚ୍ଚ ନ ହୋଇ ଫେରିଯିବାର ଆଶଙ୍କା ରହିଛି। ସର୍ବନିମ୍ନ ୭୫ ଭାଗ ଜମି ରାଜ୍ୟ ସରକାର ହସ୍ତାନ୍ତର  ନ କଲେ ରେଳବାଇ କାର୍ଯ୍ୟାରମ୍ଭ କରିପାରୁ ନାହିଁ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଥିଲେ। ପ୍ରତିନିଧି ଦଳରେ ସଂମ୍ରାମ ସମିତିର ବରିଷ୍ଠ ସଦସ୍ୟ ହରିହର ରାଉତରାୟ, ବିଷ୍ଣୁ ମହାନ୍ତି, ପ୍ରମୋଦ ସାମଲ, ବିମଳ ବିଶି, ରମେଶ ବଳ, ଶ୍ରୀମନ୍ତ ବେହେରା, ରାଜକିଶୋର ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଜମି ଅଧିଗ୍ରହଣ କାର୍ଯ୍ୟ ନ ସରିଲେ ସଂଗ୍ରାମ ସମିତି ନିର୍ଦ୍ଧାରିତ ସମୟ ପରେ ବାଧ୍ୟ ହୋଇ ଅର୍ଥନୈତିକ ଅବରୋଧ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର