ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ସୁଶୀଳା ରୋହିତ୍ୟାଗୀ କୁଷ୍ଠ ସେବା ସମିତି ବ୍ୟାନରେ ଖୋର୍ଦ୍ଧା ଶାନ୍ତିଦାନ କଲୋନିର ପ୍ରାୟ ୪୦ରୁ ଊର୍ଦ୍ଧ୍ବ କୁଷ୍ଠରୋଗୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ କରି ସେମାନଙ୍କୁ ଜମି ପଟ୍ଟା ଓ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କରି ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଖୋର୍ଦ୍ଧା ୧୦ ନମ୍ବର ୱାର୍ଡର ଶାନ୍ତିଦାନ କଲୋନି ସଭାପତି ଗଙ୍ଗାଧର ବେହେରା ଓ ସମ୍ପାଦକ ତୋଫାନ ନାୟକ କହିଛନ୍ତି ଯେ କୁଷ୍ଠରୋଗୀ ମାନେ ସମାଜର ସବୁଠାରୁ ଦଳିତ ବର୍ଗ ଅଟନ୍ତି। ସେମାନେ ସମାଜର ମୂଳସ୍ରୋତରୁ ବିଚ୍ଛିନ୍ନ ହୋଇ ୬୦-୭୦ ବର୍ଷ ଧରି ସ୍ୱତନ୍ତ୍ର କୁଷ୍ଠ କଲୋନିରେ ରହୁଛନ୍ତି।
ସେମାନଙ୍କ ପରିବାରର ଭବିଷ୍ୟତ ପାଇଁ ସେମାନଙ୍କୁ ସ୍ଥାୟୀ ଜମିପଟା, ବାସଗୃହ ନିର୍ମାଣର ବ୍ୟବସ୍ଥା, ମାଗଣା ପାଣି ଓ ବିଜୁଳି ପ୍ରଦାନ କରିବା, ମାସିକ ୫ହଜାର ଟଙ୍କା ସହାୟତା, ଝିଅମାନଙ୍କ ବାହାଘରର ସମ୍ପୂର୍ଣ୍ଣ ଖର୍ଚ୍ଚ ପାଇଁ ୫ଲକ୍ଷ ଟଙ୍କା, ରାଜ୍ୟରେ ଖାଲିଥିବା ୩୫୯ ଓ କେନ୍ଦ୍ର ସରକାରଙ୍କ ମଂଜୁରୀପ୍ରାପ୍ତ ୧୮୪ କୁଷ୍ଠକର୍ମୀଙ୍କ ପଦବି ପୂରଣ କରାଯାଉ ଆଦି ଦାବି ସମ୍ପର୍କରେ ଅବଗତ କରାଯାଇଛି। ଏନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।