ରାୟଗଡ଼ା: ଜମି ମାଲିକଙ୍କ ଅଜାଣତରେ ହୋଇଛି ପଞ୍ଜିକରଣ। ଜାଲ୍ କାଗଜପତ୍ରରେ ଭାଗ ଚାଷୀ ଦର୍ଶାଇ ଧାନ ବିକ୍ରି କରିବାକୁ ଦଲାଲ୍ ଚଲାଇଥିଲେ ମସୁଧା। ଯାହାକୁ ଧରିଛି ଯାଞ୍ଚ କମିଟି। ଜଣେ କି ଦୁଇ ଜଣ ନୁହେଁ, କମିଟିର ତଦନ୍ତରେ ୭୪ ନକଲି ଭାଗ ଚାଷୀ ଚିହ୍ନଟ ହୋଇଛନ୍ତି। କେବଳ ରାମନାଗୁଡ଼ା ଲ୍ୟାମ୍ପସରୁ ୭୩ ନକଲି ଭାଗ ଚାଷୀ ଧରା ପଡ଼ିଥିବା ବେଳେ ମୁନିଗୁଡ଼ା ଲ୍ୟାମ୍ପସ ଅଞ୍ଚଳରୁ ଜଣେ ନକଲି ଆବେଦନକାରୀ ରହିଛନ୍ତି। ଧାନ ବିକ୍ରି ପଞ୍ଜିକରଣରେ ରାୟଗଡ଼ା ଜିଲ୍ଲାରେ ବଡ଼ ଧରଣର ଜାଲିଆତି ହୋଇଥିବାର ଗୁମର ଖୋଲିବାରେ ଲାଗିଛି। ପ୍ରଥମେ ଧାନ ଚାଷ ନ କରି ପଞ୍ଜିକରଣ କରିଥିବା ୧୮୧୮ ଭୂତ ଚାଷୀଙ୍କୁ ଯାଞ୍ଚ କମିଟି ଠାବ କରିଥିଲା। ଏବେ ୭୪ ଭାଗ ଚାଷୀ ଧରା ପଡିଛନ୍ତି। ଜମି ନଥାଇ ଏବଂ ଜାଲ୍ କାଗଜପତ୍ରରେ ଚାଷୀଙ୍କ ନାଁରେ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ହଡ଼ପ କରି ନେବାକୁ ଯୋଜନା କରିଥିଲେ ଦଲାଲ୍। ଯାହାକୁ ମଣ୍ଡି ଆରମ୍ଭ ପୂର୍ବରୁ ଧରିଛି ସମବାୟ-ରାଜସ୍ବ ବିଭାଗର ଯୁଗ୍ମ ଯାଞ୍ଚ କମିଟି। ଖୋଳତାଡ଼ ପରେ ଜାଲ୍ ଆବେଦନକାରୀଙ୍କ ପଞ୍ଜିକରଣକୁ ନାକଚ କରି ସମ୍ପୃକ୍ତ ଆବେଦନକାରୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଭି.ଭି. ଯାଦବ ନିର୍ଦେଶ ଦେଇଛନ୍ତି। ଫଳରେ ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଖରିଫ୍ ଧାନ ବିକ୍ରି ପାଇଁ ରାମନାଗୁଡ଼ା ଲ୍ୟାମ୍ପସ ଅଧୀନରେ ୨୧୨୨ ଚାଷୀ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ୩୦ ଚାଷୀ ଜମିନଥାଇ ଧାନ ବିକ୍ରି ପାଇଁ ଆବେଦନ କରିଥିବାରୁ ଯାଞ୍ଚ ପରେ ପଞ୍ଜିକରଣକୁ ନାକଚ କରାଯାଇଛି। ୩୦ ଚାଷୀଙ୍କ ଆବେଦନ ନାକଚ ହେବା ପରେ ରାମନାଗୁଡ଼ା ଅଞ୍ଚଳର କିଛି ଚାଷୀ ପଞ୍ଜିକରଣ ଯାଞ୍ଚକୁ ଅଧିକ କଡାକଡ଼ି କରିବା ପାଇଁ ଯୋଗାଣ ବିଭାଗ ସଚିବ ଶ୍ରୀ ଯାଦବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଅଭିଯୋଗ ପରେ ଭିଡ଼ିଓ କନଫରେନସିଂ ଜରିଆରେ ସଚିବ ଶ୍ରୀ ଯାଦବ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସହ ପଞ୍ଜିକରଣ ତଥ୍ୟକୁ ନେଇ ସମୀକ୍ଷା କରିଥିଲେ। ସଚିବଙ୍କ ନିର୍ଦେଶକୁ ଗୁରୁତର ସହ ନେଇ ଯାଞ୍ଚ କମିଟି କ୍ଷେତ୍ର ପରିଦର୍ଶନରେ ଯିବା ପରେ ୭୪ ଭାଗ ଚାଷୀଙ୍କୁ ଠାବ କରିଥିଲା। ଅଭିଯୋଗ ମୁତାବକ, ଯାଞ୍ଚ କମିଟିର ତଦନ୍ତ ସମୟରେ ରାମନାଗୁଡ଼ା ଲ୍ୟାମ୍ପସ ଅଧୀନରେ ପଞ୍ଜିକରଣ କରିଥିବା ଭାଗଚାଷୀଙ୍କ ମଧ୍ୟରୁ ୭୩ ପଞ୍ଜିକରଣ ସମ୍ପର୍କରେ ଜମିର ପ୍ରକୃତ ମାଲିକ ଅବଗତ ନଥିବା ଜଣା ପଡିଥିଲା। କିଛି ଜମି ମାଲିକ ଅଲଗା ଫସଲ ଚାଷ କରିଥିବା ବେଳେ ଦଲାଲ୍ ସେମାନଙ୍କ ନାଁରେ ଜାଲ୍ କାଗଜପତ୍ର କରି ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଥିଲେ। ଯାଞ୍ଚ ସମୟରେ କମିଟି ବିଷମକଟକ ଲ୍ୟାମ୍ପସର ୧୭୨୫, ଚନ୍ଦ୍ରପୁର ଲ୍ୟାମ୍ପସର ୧୭୮, ଗୁଡାରି ଲ୍ୟାମ୍ପସର ୧୦୧୮, ଗୁଣପୁର ଲ୍ୟାମ୍ପସର ୨୦୦୭, କଲ୍ୟାଣସିଂହପୁର ଲ୍ୟାମ୍ପସର ୧୬୨୪, କାଶୀପୁର ଲ୍ୟାମ୍ପସର ୩୨୩, ଟିକିରି ଲ୍ୟାମ୍ପସର ୨୮୫, କୋଲନରା ଲ୍ୟାମ୍ପସର ୧୧୩୧, ମୁନିଗୁଡ଼ା ଲ୍ୟାମ୍ପସର ୫୮୭, ଅମ୍ବାଦଳା ଲ୍ୟାମ୍ପସର ୪୧୪, ପଦ୍ମପୁର ଲ୍ୟାମ୍ପସର ୩୦୮୦, ରାମନାଗୁଡ଼ା ଲ୍ୟାମ୍ପସର ୨୦୯୨, ରାୟଗଡ଼ା ଲ୍ୟାମ୍ପସର ୬୯୦, ରାୟଗଡ଼ା ଏମପିସିଏସର ୫୦୧ ଚାଷୀଙ୍କ ଜମି ସମ୍ପର୍କିତ ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରିଥିଲା। କିନ୍ତୁ ରାମନାଗୁଡ଼ାର ୭୩, ମୁନିଗୁଡ଼ାର ଜଣଙ୍କୁ ଛାଡ଼ିଲେ ରାୟଗଡ଼ା ଏମପିସିଏସ୍ ସମେତ ଅନ୍ୟ ୧୧ ଲ୍ୟାମ୍ପସରୁ କେହି ନକଲି ଭାଗ ଚାଷୀ ଧରା ପଡ଼ିନାହାଁନ୍ତି।