ସତୀଗୁଡା ଡ୍ୟାମ ବିସ୍ଥାପିତଙ୍କ ଦୁଃଖ: ୩୧ ବର୍ଷ ପରେ ମଧ୍ୟ ମିଳିଥିବା ଜମି ଚିହ୍ନଟ ହୋଇପାରିଲା ନାହିଁ

ମାଲକାନଗିରି: ମାଲକାନଗିରି ସଦର ମହକୁମାକୁ ଲାଗି ରହିଥିବା ସତୀଗୁଡା ଡ୍ୟାମ ନିର୍ମାଣ ବେଳେ ସେଠାରେ ରହିଥିବା ମୁନସା ଏବଂ ଭୀମାରାଣୀ ଗ୍ରାମର ୫୦ରୁ ଉର୍ଦ୍ଧ୍ବ ପରିବାର ବିସ୍ଥାପିତ ହୋଇଥିଲେ। ସରକାରଙ୍କ ତରଫରୁ ଏହି ବିସ୍ଥାପିତ ପରିବାରଙ୍କୁ ଜମି ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ଏହି ଡ୍ୟାମ ନିର୍ମାଣ ହେବାର ୩୧ ବର୍ଷ ପରେ ମଧ୍ୟ ସେମାନଙ୍କର ଜମିକୁ ଚିହ୍ନଟ କରିନି ପ୍ରଶାସନ। ମାଲକାନଗିରି ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା କରିବା ପାଇଁ ସତୁରି ଦଶକରେ ରାଜ୍ୟ ସରକାର ମାଲକାନଗିରି ନିକଟସ୍ଥ ସତୀଗୁଡା ଠାରେ ଏକ ଡ୍ୟାମ ନିର୍ମାଣ କରିବାର ଯୋଜନା କରିଥିଲେ।

ତେବେ ଏହି ଡ୍ୟାମ ନିର୍ମାଣ କରିବା ପାଇଁ ଯେତେକି ଜାଗା ଦରକାର ପଡୁଥିଲା। ସେହି ଜାଗାରେ ମୁନସା ଏବଂ ଭୀମାରାଣୀ ଗ୍ରାମ ଆସୁଥିଲା। ଏହି ଦୁଇ ଗ୍ରାମର ଲୋକଙ୍କୁ ସରକାର ବିସ୍ଥାପିତ କରିବା ସହ ସେମାନଙ୍କୁ ୩ ଏକର ଜମି ପ୍ରଦାନ କରିବା ସହ ଗାଈଗୋରୁ ଏବଂ ଘର ପ୍ରଦାନ କରିଥିବା ବିସ୍ଥାପିତ ମାନେ ପ୍ରକାଶ କରିଥିଲେ। ତେବେ ଏହି ମୁନସା ଏବଂ ଭୀମାରାଣୀ ଗ୍ରାମର ୫୦ରୁ ଉର୍ଦ୍ଧ୍ବ ପରିବାରଙ୍କୁ ପ୍ରଶାସନ ତମସା ପଞ୍ଚାୟତରେ ମୁନସା କଲୋନୀ କରି ଥଇଥାନ କରିଥିଲେ। ତେବେ ଏମାନଙ୍କୁ ମିଳିଥିବା ୩ ଏକର ଜମିକୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଚିହ୍ନଟ କରିବାରେ ବିଫଳ ହୋଇଛି। ବାରମ୍ବାର ମାଲକାନଗିରି ତହସିଲ କାର୍ଯ୍ୟାଳୟକୁ ଆସି ଏମାନେ ନୟାନ୍ତ ହୋଇ ସାରିଲେଣି। ଆଜି ଏହି ବିସ୍ଥାପିତ ଲୋକମାନେ ମାଲକାନଗିରି ତହିସଲଦାରଙ୍କୁ ଭେଟି ନିଜର ଦୁଃଖ ବଖାଣିଥିଲେ। ଏମାନେ ସମସ୍ତେ ଆଦିବାସୀ ସଂପ୍ରଦାୟର ଅଟନ୍ତି। ଗତ ୩୧ ବର୍ଷ ହେଲା ସେମାନେ ପ୍ରଶାସନ ନିକଟରେ ନିଜର ଜମି ଚିହ୍ନଟ ନେଇ ଗୁହାରି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଥିଲେ। ସରକାର ଆମକୁ ଆମ ଜାଗାରୁ ବିସ୍ଥାପିତ କଲେ ଏବଂ ଗୋଟିଏ ଗୋଟିଏ ଜମି ପଟ୍ଟା ମନ ବୁଝାଇବା ପାଇଁ ଧରାଇ ଦେଲେ।

ତେବେ ଏହି ଜମି ସତରେ ଅଛି ନା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଜମି ଅଛି ତେବେ କାହିଁକି ଏତେ ଦିନ ଧରି ଏମାନଙ୍କୁ ଭୂଆଁ ବୁଲାଯାଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି। ଏନେଇ କିନ୍ତୁ ମାଲକାନଗିରି ତହସିଲଦାର ଗୁଣନିଧୀ ନାୟକ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ଜମିକୁ ଚିହ୍ନଟ କରି ସେ ଏହି ବିସ୍ଥାପିତ ପରିବାରଙ୍କୁ ହସ୍ତାନ୍ତର କରିବେ ବୋଲି ସେମାନଙ୍କୁ ଆଜି ପ୍ରତିଶ୍ରୁତି ଦେଇଥିଲେ। ଏମାନେ ଗତ ତିରିଶି ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ନା ଜମି ପାଇ ପାରୁଛନ୍ତି ନା ସେଥିରେ ଚାଷ କରି ଜୀବନଜୀବିକା ଚଳାଇ ପାରୁଛନ୍ତି।

ଅଭିଯୋଗକାରୀଙ୍କ ବାପା ଓ ଜେଜେବାପା ଏହି ଜମି ପାଇଁ ଦାବି କରି ଶେଷରେ ମୃତ୍ୟୁବରଣ କରି ସାରିଲେଣି। ଏବେ ସେମାନଙ୍କର ପିଲାମାନେ ଏହି ଜମି ପାଇବା ପାଇଁ ପୁଣି ଉଦ୍ୟମ ଜାରି ରଖିଛନ୍ତି। ପ୍ରଶାସନ ଯଦି ଆଗାମୀ ଦିନରେ ଜମି ଚିହ୍ନଟ କରିବାରେ ଅସମର୍ଥ ହୁଏ ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ବିସ୍ଥାପିତ ମାନଙ୍କ ମଧ୍ୟରୁ ଡମ୍ବରୁ ଧର ଶଗରିଆ, ବୁଦୁ ଖିଲ, ଭୀମା ମାଡକାମୀ, ସୁନାଧର ମୁଦୁଲି, ରତମ ମୁଦୁଲି, ଚନ୍ଦ୍ର ମାଢୀ, ଅର୍ଜୁନ ମାଡକାମୀ, ଲକ୍ଷ୍ମୀ ଭୁମିଆ, ଲବ ମାଢୀ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର