ଜୟପୁର: ଅଲ୍ ଇଣ୍ଡିଆ ରେଡିଓ କେନ୍ଦ୍ର କଲୋନି ନିକଟରେ ଥିବା ୩ଏକର ଜମିରେ ଜିଲ୍ଲା ଜମି ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଓ ପୌରପାଳିକାର ପରିଚୟ ଗୃହ ନିର୍ମାଣ କରାଯିବ। ଗତ ଦୁଇଦିନ ଜବରଦଖଲ ସମ୍ପର୍କରେ ସୂଚନା ପାଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଏହାକୁ ଜବରଦଖଲ ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଗତ ଦୁଇଦିନ ହେବ ପ୍ରଶାସନ ପକ୍ଷରୁ ମାପଚୁପ କରିଥିଲେ ହେଁ ଜବରଦଖଲକାରୀମାନେ ଜମି ଛାଡ଼ିବାକୁ ରାଜି ନଥିଲେ। ଗୁରୁବାର ପୁଣି ପ୍ରଶାସନର ସବୁ ଅଧିକାରୀ ଯିବା ପରେ ବି ଜବରଦଖଲକାରୀ ମାନେ ଜମି ଛାଡ଼ିବାକୁ ରାଜି ନଥିବା ସୂଚନା ମିଳିଛି। ଏଭଳିକି ଜଣେ ନେତା ଏହି ଜବରଦଖଲକାରୀଙ୍କୁ ସରକାରୀ ଜମି ଜବରଦଖଲ କରିବାକୁ ଅଭୟବାଣୀ ଦେଇଥିବା ଏମାନେ ପ୍ରଶାସନର ଯାଞ୍ଚ ବେଳେ କହିଛନ୍ତି।
ସୂଚନା ଅନୁଯାୟୀ, ସେହି ସ୍ଥାନରେ ଡିଏସଆର କାର୍ଯ୍ୟାଳୟ ପାଇଁ ତହସିଲ ପକ୍ଷରୁ ଏକ ଏକର ଜମି ଦିଆଯାଇଛି। କାର୍ଯ୍ୟାଳୟ ନିର୍ମାଣ ପାଇଁ ୨କୋଟିର ବ୍ୟୟବରାଦ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଇଥିଲା। ଏହାସହ ଏଠାରେ ନିଅ ପକାଯିବା ସହ ନଳକୁଅ ବି ଖୋଲା ଯାଇଥିଲା। ଅନୁଦାନ ନ ଆସିବା ଫଳରେ ଏହି ସ୍ଥାନ ସେଭଳି ଖାଲି ପଡ଼ି ରହିଥିଲା। ସେଭଳି ସେହି ସ୍ଥାନ ନିକଟରେ ପୌରପାଳିକାର ପରିଚୟ ଗୃହର ବି ନିର୍ମାଣ କରାଯିବା ଯୋଜନା କରାଯାଇଛି। ତେବେ ଏହି ଅଂଚଳରେ ସରକାରୀଜମି ଖାଲି ପଡ଼ିଥିବା ସୂଚନା ପାଇବା ପରେ ଉକ୍ତ ନେତା ଜଣକ ଲୋକଙ୍କୁ ମତାଇ ଜମି ଜବରଦଖଲ କରିବାକୁ କହି ଅଭୟବାଣୀ ଦେଇଥିବା ଲୋକେ ଆଜି ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି।
ଗୁରୁବାର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଆରଆଇ ସୁରଜ ପଣ୍ଡା, ମଙ୍ଗଳୁ ଆଦିଙ୍କୁ ନେଇ ଜବଦରଦଖଲକାରୀଙ୍କୁ ସରକାରୀ ଜମି ଛାଡ଼ିବାକୁ କହିଥିଲେ। ତେବେ କେହି ଶୁଣି ନଥିଲେ ବରଂ ପାଟିତୁଣ୍ଡ କରିଥିଲେ। ପରେ ଘଟଣାସ୍ଥଳକୁ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ଜମି ଉପନିବନ୍ଧକ (ଡିଏସଆର) ନିଳାମ୍ବର ପୂଜାରୀ, ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ, ପୂର୍ତ୍ତବିଭାଗର ଏସଡିଓ ସୋମନାଥ ତ୍ରିପାଠୀ, ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ପହଚିଂ ବହୁ ବୁଝାସୁଝା କରିଥିଲେ ହେଁ ଲୋକେ ଜମି ଛାଡ଼ିବାକୁ ନାରାଜ ଥିବା ଦେଖିବାକୁ ମିଳିଥିଲା। ତେବେ ଯେ କୌଣସି ପରିସ୍ଥିତିରେ ବି ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସହରରେ ଥିବା ବିଭିନ୍ନ ରାଜସ୍ବ ଓ ପୌରପାଳିକାର ଜମି ଗୁଡିକୁ ଏଭଳି ଜବରଦଖଲ କରି ରଖିଥିବାରୁ ଏହାକୁ ମୁକ୍ତ କରାଯିବାକୁ ପ୍ରଶାସନ ସଂପୁର୍ଣ୍ଣ ରୁପେ ପ୍ରୟାସ କରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଯେଉଁ ନେତାଙ୍କ ପ୍ରରୋଚନାରେ ଲୋକେ ଏଭଳି ସରକାରୀ ଜମିକୁ ଜବରଦଖଲ କରିଛନ୍ତି ଏବଂ ଖାଲି ନ କରିବାକୁ ଉସୁକାଉଛନ୍ତି ତାଙ୍କୁ ଚିହ୍ନଟ କରିବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।