ରାୟଗଡ଼ା: ରାୟଗଡ଼ା ତହସିଲ ତୁମ୍ବିଗୁଡ଼ା ମୌଜାରେ ଥିବା ପୌର ପରିଷଦର ୧ ଏକର ୩୬ ସେଣ୍ଟ୍ ଜମିକୁ ହଡ଼ପ ଉଦ୍ୟମ ହୋଇଛି। ପୌର ପରିଷଦକୁ ଦାନ ଆକାରରେ ମିଳିଥିବା ଏହି ଜମିକୁ ସହରର ଗାରାପତି ରାମକ୍ରିଷ୍ଣା ନାମକ ଜଣେ ବ୍ୟକ୍ତି ନିଜର ଦର୍ଶାଇ ବିକ୍ରି ପାଇଁ ବୋର୍ଡ ଲଗାଇଛନ୍ତି। ହଡ଼ପ ଉଦ୍ୟମ ଜମିର ପଟ୍ଟା ପୌର ପରିଷଦ ନାଁରେ ଥିବା ବେଳେ ରାୟଗଡ଼ା ତହସିଲ କର୍ତ୍ତୃପକ୍ଷ ଉକ୍ତ ଜମିକୁ ଅନ୍ୟ ଏକ ପ୍ଲଟ ନଂରେ ଦର୍ଶାଈ ସୀମା ନିର୍ଦ୍ଧାରଣ କରିଛନ୍ତି। ତହସିଲ କର୍ମଚାରୀଙ୍କ ସମେତ କିଛି ଅସାଧୁ ପୌର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏପରି ହୋଇଥିବା ଅଭିଯୋଗ ହୋଇଛି। ୧୯୯୨ ମସିହାରେ ଟି. ବାୟାନା ଓ ତାଙ୍କ ସଂପର୍କୀୟ ରାୟଗଡ଼ାର ବିକାଶ ଉଦ୍ଦେଶ୍ୟରେ ଏହି ଜମିକୁ ପୌର ପରିଷଦକୁ ଦାନ କରିଥିଲେ।

Advertisment

ଭବିଷ୍ୟତ‌ରେ ତାଙ୍କର କୌଣସି ଉତ୍ତରାଧିକାରୀ ଏହି ଜମିକୁ ନିଜର ବୋଲି ଦାବି ନ କରିବା ପାଇଁ ପୌର ପରିଷଦ ଓ ବାୟାନାଙ୍କ ମଧ୍ୟରେ ଷ୍ଟାମ୍ପ ପେ‌ପରରେ ହୋଇଥିବା ଚୁକ୍ତିରେ ଉଲ୍ଲେଖ ରହିଛି। ଦାନ ଜମିର ସୀମା ନିର୍ଦ୍ଧାରଣ କରିବା ପରେ ରାୟଗଡ଼ା ତହସିଲ ପକ୍ଷରୁ ପ୍ଲଟ ନଂ-୨୮୬/୫୬୩୭ରେ ରାୟଗଡ଼ା ପୌର ପରିଷଦକୁ ପଟ୍ଟା ମିଳିଛି। ଟାଉନ୍ ପ୍ଲାନିଂ ଅଥରିଟ୍ ପକ୍ଷରୁ ଜମିରୁ ଲେ-ଆଉଟ୍ ପ୍ଲାନ୍ ମଧ୍ୟ ପୌର ପରିଷଦ ନିକଟରେ ରହିଛି। ବର୍ତ୍ତମାନ ଉକ୍ତ ଜମିକୁ ଭୁଲ୍ ପ୍ଲଟ ନଂ-୨୬୮ ଭାବେ ଦର୍ଶାଇ ଗାରାପତି ରାମକ୍ରିଷ୍ଣା ନିଜର ବୋଲି ଦାବି କରୁଛନ୍ତି। ଏପରିକି ଚଞ୍ଚକତାର ସହ ତହସିଲ କର୍ତ୍ତୃପକ୍ଷଙ୍କୁ ହାତବାରିସ୍ କରି ଜମିର ପୁନଃ ସୀମା ନିର୍ଦ୍ଧାରଣ କରି ପୌର ପରିଷଦ ଜମିକୁ ନିଜର ବୋଲି ଦର୍ଶାଇ ତହସିଲରୁ ଅନୁମତି ମଧ୍ୟ ହାତେଇଛନ୍ତି। ପୂର୍ବରୁ ରାୟଗଡ଼ା ତହସିଲ ଉକ୍ତ ଜମି ପାଇଁ ପୌର ପରିଷଦକୁ ପଟ୍ଟା ପ୍ରଦାନ କରିଥିବା ବେଳେ ଏବେ ପୁଣି ସୀମା ନିର୍ଦ୍ଧାରଣ ସମୟରେ ପ୍ଲଟ ନଂ ପରିବର୍ତ୍ତନ ହେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗାରାପତି ରାମକ୍ରିଷ୍ଣାଙ୍କ ଆବେଦନ ଅନୁଯାୟୀ ତହସିଲ କାର୍ୟ୍ୟାଳୟ ଅମିନ୍ ସୀମା ନିର୍ଦ୍ଧାରଣ କରିଥିବା ବେଳେ ଏ ସଂପର୍କରେ ପୌର ପରିଷଦ ଅମିନ୍ କିମ୍ବା ବିଭାଗୀୟ ଅଧିକାରୀଙ୍କ କୌଣସି ସୂଚନା ଦେଇନଥିବା ଜଣା ପଡିଛି।

ପୌର ପରିଷଦ ଅଧିକାରୀଙ୍କ ଅନୁପସ୍ଥିତିରେ ତହସିଲ କର୍ତ୍ତୃପକ୍ଷ କିପରି ଭାବେ ସରକାରୀ ଜମିକୁ ଅନ୍ୟ ଜଣଙ୍କ ଆବେଦନ ଅନୁଯାୟୀ ସୀମା ପୁନଃ ନିର୍ଦ୍ଧାରଣ କଲେ ତାହା ତଦନ୍ତ ସାପେକ୍ଷ। ତହସିଲ କର୍ତ୍ତୃପକ୍ଷଙ୍କ ସବୁଜ ସଙ୍କେତ ପରେ ଗାରାପତି ରାମକ୍ରିଷ୍ଣା ପୌର ପରିଷଦର ଜମିକୁ ଫ୍ୟାନସିଂ କରି ନିଜ ନାଁରେ ବ‌ୋର୍ଡ ଲଗାଇ ବିକ୍ରି ପାଇଁ ମସୁଧା ଚଳାଇଛନ୍ତି। ତହସିଲ-ପୌର ପରିଷଦ ଅଧିକାରୀଙ୍କ ମଧ୍ୟରେ ଏଥି ପାଇଁ ଲକ୍ଷାଧିକ ଟଙ୍କାର ଡିଲ୍ ହୋଇଥିବା ଚର୍ଚ୍ଚା ହେଉଛି। ବିଭାଗୀୟ ସହର ମଧ୍ୟରେ ଏହି ଜମି ଥିବାରୁ ମୂଲ୍ୟ ବର୍ତ୍ତମାନ କୋଟି କୋଟି ଟଙ୍କା ହେବାକୁ ଥିବାରୁ ଏପରି ଚଞ୍ଚକତା କରାଯାଇଛି। ତେବେ ଏ ସଂପର୍କରେ ପୌର ପରିଷଦ ଅଧିକାରୀ ସବୁ ଜାଣି ମଧ୍ୟ ଚୁପ୍ ରହିଛନ୍ତି। ଯାହା ଅନ୍ୟ ଦାବିଦାରକୁ ସୁହାଇଛି। ପୌର ପରିଷଦ ଅମିନ୍ ଏ ସଂପର୍କରେ ରାୟଗଡ଼ା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ତହସିଲଦାର କୌଣସି ପଦକ୍ଷେପ ନ ନେଇ ସବୁ ଠିକ୍ ଥିବା କହିଛନ୍ତି। ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଜମିର ପୁନଃ ସୀମା ନିର୍ଦ୍ଧାରଣ ସହ ଏକ କମିଟି ଜରିଆରେ ଜମି ହଡ଼ପ ଉଦ୍ୟମର ତଦନ୍ତ ଏବଂ ଏହା ଚକ୍ରାନ୍ତ ପଛରେ ଥିବା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।