ଜମି କେଳଙ୍କାରୀ ମାମଲା: ଜମି ପଂଜିକରଣ ବାତିଲ ହେବ, ସରକାର ପୁଣି ପାଇବେ ଷ୍ଟାମ୍ପ ଡ୍ୟୁଟି

ଜୟପୁର: ଜୟପୁର ତହସିଲର ବାରିଣୀପୁଟ ଆରଆଇ ସର୍କଲ ଅଂଚଳରେ ହୋଇଥିବା ଜମି ଜାଲିଆତି ମାମଲା ପଦାକୁ ଆସିଛି। ଜାତିଗତ ପ୍ରମାଣପତ୍ରକୁ ବଦଳା ଯାଇ ମୂଲ୍ୟବାନ ଜମି ହାତେଇବା ପାଇଁ କରାଯାଇଥିଲା ଯୋଜନା। ତେବେ ଏ ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ଜାତିପ୍ରମାଣପତ୍ରକୁ ବାରିଣୀପୁଟ ଆରଆଇଙ୍କ ଦ୍ବାରା ଯାଂଚ କରାଇଥିଲେ। ଅନୂସୂଚିତ ଜନଜାତିର ମହିଳା ଜଣକ ଓବିସି ବର୍ଗର ପ୍ରମାଣପତ୍ର ପାଇଥିବା ପ୍ରମାଣ ମିଳିଥିଲା। ପରେ ଏହି ପ୍ରମାଣପତ୍ରକୁ ତହସିଲଦାର ବାତିଲ କରିବା ସହ ଜମି ପଂଜିକରଣକୁ ବି ବାତିଲ କରିବାକୁ ସବରେଜିଷ୍ଟ୍ରାରଙ୍କୁ ଚିଠି କରିଥିଲେ।

ସବରେଜିଷ୍ଟ୍ରାର ଜମି ପଂଜିକରଣର ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି। ପୁଣିଥରେ ଆଉ ଏକ ଦଲିଲ ପ୍ରସ୍ତୁତ କରାଯିବ। ଏଥିରେ ପୁଣି ଷ୍ଟାମ୍ପ ଡ୍ୟୁଟି ଲାଗିବ ବୋଲି ସୂଚନା ମିଳିଛି। ଉଭୟ ପକ୍ଷଙ୍କୁ ଏ ନେଇ ସୂଚନା ଦିଆଯାଇଛି, ଏବଂ ଉଭୟ ପକ୍ଷ ସୋମବାର ନୂଆଦିଲ୍ଲୀ ଏବଂ ଷ୍ଟାମ୍ପ ଡ୍ୟୁଟି ‌ସହ ପୁଣି ଦାଖଲ କରିବେ, ଏବଂ ଏହି ପଂଜିକରଣକୁ ବାତିଲ କରାଯିବ ବୋଲି କହିଛନ୍ତି ସବରେଜିଷ୍ଟ୍ରାର ଏମ୍.ନୀଳକଣ୍ଠ ନାଇଡ଼ୁ। ସରକାରଙ୍କ ଏଥିରେ କୌଣସି କ୍ଷତି ହେବ ନାହିଁ ବରଂ ଅଧିକା ଷ୍ଟାମ୍ପ ଡ୍ୟୁଟିର ଲାଭ ପାଇବ। ଏଥିରେ ଆମର କିଛି ଭୁଲ ନାହିଁ।

ଆମ ନିକଟରେ ସେ ଇସି, ଜାତିଗତ ପ୍ରମାଣପତ୍ର, ୧୯୫୩ମସିହାର ଜମି ପଟ୍ଟା ଦାଖଲ କରିବା ପରେ ଜମି ପଂଜିକରଣ କରାଯାଇଥିଲା ବୋଲି ସବରେଜିଷ୍ଟ୍ରାର କହିଛନ୍ତି। ସାଧାରଣତଃ ଜମି ପଂଜିକରଣ ବେଳେ ବିକ୍ରେତାଙ୍କ ବିକ୍ରୀ ହେଉଥିବା ଜମିର ଇସି, ଦଲିଲ କିମ୍ବା ଆରଓଆର, ବିକ୍ରେତା ଯଦି ଏସଟି କିମ୍ବା ଏସସି ରହିଥିଲେ ଜାତି ପ୍ରମାଣପତ୍ର ଆଦିକୁ ଯାଂଚ କରି ପଂଜିକରଣ କରାଯାଉଛି ବୋଲି କହିଛନ୍ତି ‌ସବରେଜିଷ୍ଟ୍ରାର। ସେ ପଂଜିକରଣ କରିବା ପୂର୍ବରୁ ତାଙ୍କ କାର୍ୟ୍ୟାଳୟର ୨ଜଣ କିରାଣୀ ଏହାକୁ ଯାଂଚ କରିବା ପରେ ହିଁ କରାଯାଉଛି ବୋଲି କହିଛନ୍ତି ସବରେଜିଷ୍ଟ୍ରାର।

ଅନ୍ୟ ପକ୍ଷରେ ଜମି ପଂଜିକରଣକୁ ବାତିଲ କରିବା ସହ ପରଜା ସଂପ୍ରଦାୟ କାଳ କାଳରୁ ଅନୂସୂଚିତ ଜନଜାତି(ଆଦିବାସୀ) ହୋଇଥିବା ବେଳେ ବିନା ଯାଂଚରେ କିଭଳି ଓବିସି ଜାତି ପ୍ରମାଣପତ୍ର ତହସିଲରୁ ଦିଆଗଲା ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି ପରଜା ସମାଜ ବିକାଶ ପରିଷଦର ସଭାପତି ହରିଶ୍ଚନ୍ଦ୍ର ମୁଦୁଲି। କେବଳ ଏହି ଜମି ନୁହେଁ ସହର ତଳି ଅଂଚଳର ବହୁ ଅନୂସୂଚିତ ଜନଜାତି(ଏସଟି) ଜମିକୁ ଏଭଳି ଜାଲ୍ ଜାତି ପ୍ରମାଣପତ୍ର ଆଦି କରାଯାଇ ଜମି କିଣାବିକା ହୋଇଥିବା ଏବେ ସହରରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟ ଜମି ଗୁଡିକର ବି ପଂଜିକରଣ ଯାଂଚ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର