ଜମି ମାଫିଆଙ୍କ ଭୟରେ ପୁଲିସ ପ୍ରଶାସନ!

ଖୋର୍ଦ୍ଧା: ପୁଲିସ ପ୍ରଶାସନକୁ ଆଇନଖିଲାପକାରୀଙ୍କ ଭୟ ରହିଥାଏ, କିନ୍ତୁ ଖୋର୍ଦ୍ଧାରେ ଏହାର ଓଲଟା କଥା ଦେଖିବାକୁ ମିଳିଛି | ଆଇନଖିଲାପକାରୀ ଜମିମାଫିଆଙ୍କୁ ପୁଲିସ ପ୍ରଶାସନ ଭୟ କରୁଛି । ଏପରିକି ପୁଲିସ ପ୍ରଶାସନର ଉପସ୍ଥିତି ମଧ୍ୟ ସେମାନଙ୍କ ବେଆଇନ କାର୍ଯ୍ୟକଳାପ ଉପରେ କୌଣସି ନିୟନ୍ତ୍ରଣ କରିପାରୁନାହିଁ । ଗତ ମାସ ୨୯ ତାରିଖରେ ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ନିକଟବର୍ତୀ ଜଗନ୍ନାଥପୁରର ଯମୁନା ବେହେରାଙ୍କ ତାଙ୍କ ପରିବାର ଜମିମାଫିଆଙ୍କ ଦୌରାତ୍ମ୍ୟରେ ଶିକାର ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାତିଅଧରେ ପହଂଚି ଆଶ୍ରୟ ନେଇଥିଲେ । ସେମାନଙ୍କ ଘର ଓ ଜମି ଜମିମାଫିଆ ବଳପୂର୍ବକ ଅକ୍ତିଆର କରି ନିର୍ମାଣ କରିଥିବା ଓ ସେମାନଙ୍କ ଠାରୁ ସୁରକ୍ଷା ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି କହିଥିଲେ ।

ଏହି ଘଟଣାରେ ତଦନ୍ତ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳ ତହସିଲଦାର ଓ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ପାଇବା ପରେ ଚଳିତ ମାସ ୨ ତାରିଖରେ ଚିଲିକା ତହସିଲଦାର, ଟାଙ୍ଗୀ ପୁଲିସ ଘଟଣାସ୍ଥଳ ଯାଇ ମାପଚୁପ କରିବା ବେଳେ ଜମି ମାଫିଆ ସେମାନଙ୍କୁ ପ୍ରତିରୋଧ କରିଥିଲେ । ଫଳରେ ମାଫିଆଙ୍କ କବଳରୁ ଜମି ରକ୍ଷା କରିବାକୁ ଯାଇଥିବା ପୁଲିସ ଅଧାରୁ ଲେଉଟି ଆସିଥିଲା । ପୁଲିସ ପ୍ରଶାସନ ଲେଉଟିଯିବା ପରେ ଜମି ମାଫିଆ ପୁଣି ସଂଘବଦ୍ଧ ହୋଇ ସଂପୃକ୍ତ ପରିବାରଙ୍କୁ ଗାଁରୁ ତଡ଼ି ଦେଇଥିଲେ । ଏପରିକି ଗାଁରେ ସେମାନଙ୍କୁ ପାଣି, ରାସନ ଆଦି ନଦେବାକୁ ଗାଁଲୋକଙ୍କୁ ଧମକ ମଧ୍ୟ ଦେଇଛନ୍ତି ବୋଲି ଯମୁନାଙ୍କ ଝିଅ ସୁକାନ୍ତି ବେହେରା ଅଭିଯୋଗ କରିଛନ୍ତି । ଏନେଇ ସେମାନେ ୨ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ନିକଟରେ ଅଭିଯୋଗ କରିଥିବା ସୂଚନା ପାଇ ପୁଣି ଥରେ ଜମି ମାଫିଆ ୪ ତାରିଖରେ ସେମାନଙ୍କ ଘରେ ପଶି ଆକ୍ରମଣ କରି ଘରୁ ତଡ଼ି ଦେଇଛନ୍ତି ବୋଲି ଯମୁନା କହିଛନ୍ତି । ଖୋର୍ଦ୍ଧାଠାରୁ ତାଙ୍କ ଗାଁ ପ୍ରାୟ ୭୦-୮୦ କିଲୋମିଟର ଦୂର । ଗାଁରେ ସେମାନଙ୍କୁ ପ୍ରଭାବଶାଳୀ ଜମିମାଫିଆଙ୍କ ଠାରୁ ସୁରକ୍ଷା ମିଳୁନଥିବା ବେଳେ ବାରମ୍ବାର ଥାନା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦଉଡ଼ି ସେମାନେ ନୟାନ୍ତ ହୋଇସାରିଲେଣି । ଏହି ଘଟଣାର ସ୍ଥାୟୀ ସମାଧାନ ନହେଲେ ସେମାନେ ସପରିବାର ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର