ଜମି ଜାଲିଆତି ମାମଲା : ଜମି ପଂଜିକରଣ ବାତିଲ, ସରକାର ପାଇଲେ ଷ୍ଟାମ୍ପ ଡ୍ୟୁଟି ଓ ଫି ବାବଦକୁ ୨ଲକ୍ଷ ୫ହଜାର ୭୨୮ଟଙ୍କା

ଜୟପୁର : ଜୟପୁର ତହସିଲର ବାରିଣୀପୁଟ ଆରଆଇ ସର୍କଲ ଅଂଚଳରେ  ହୋଇଥିବା ଜମି ଜାଲିଆତି ମାମଲାକୁ  ନେଇ ଗତ କିଛି ଦିନ ହେବ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।  ଜାତିଗତ ପ୍ରମାଣପତ୍ରକୁ ବଦଳା ଯାଇ ମୂଲ୍ୟବାନ ଜମି ହାତେଇବା ପାଇଁ ଯୋଜନା କରାଯାଇଥିବା ଚର୍ଚ୍ଚା ଜୋର ଧରିଥିଲା ।

ଏ ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ଜାତିପ୍ରମାଣପତ୍ରକୁ ବାରିଣୀପୁଟ ଆରଆଇଙ୍କ ଦ୍ବାରା ଯାଞ୍ଚ କରାଇଥିଲେ। ଅନୂସୂଚିତ ଜନଜାତିର ମହିଳା ଜଣକ ଓବିସି ବର୍ଗର ପ୍ରମାଣପତ୍ର ପାଇଥିବା ପ୍ରମାଣ ମିଳିଥିଲା। ପରେ ଏହି ପ୍ରମାଣପତ୍ରକୁ ତହସିଲଦାର ବାତିଲ କରିବା ସହ ଜମି ପଂଜିକରଣକୁ ବି ବାତିଲ କରିବାକୁ ସବରେଜିଷ୍ଟ୍ରାରଙ୍କୁ ଚିଠି କରିଥିଲେ। ସବରେଜିଷ୍ଟ୍ରାର ଜମି ପଂଜିକରଣର ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାରି ମଧ୍ୟରେ ସମ୍ବାଦ ସହ ଆଉ ଗୋଟିଏ ଗଣମାଧ୍ୟମରେ ବି ଏ ନେଇ ଏହି ସମ୍ବାଦ ପ୍ରକାଶ ପାଇଥିଲା। ଏହା ପରେ ଏହାର କ୍ରେତା ନିଜେ ଆଉ ୨ଟି ଦଲିଲ ପ୍ରସ୍ତୁତ କରାଇ  ସରକାରୀ ଧାର୍ଯ୍ୟ ଷ୍ଟାମ୍ପ ଡ୍ୟୁଟି ଓ ଫି ଆଦି ଦାଖଲ କରାଇ ଏହାକୁ ବାତିଲ କରାଇଥିବା  ସୂଚନା ମିଳିଛି। ଏହା ଫଳରେ ସରକାରଙ୍କୁ ପୁଣି ୨ଲକ୍ଷ ୫ହଜାର ୭୨୮ଟଙ୍କା ରାଜସ୍ବ ମିଳିପାରିଛି।

ଆଜି ଉଭୟ ପକ୍ଷ ବାତିଲ ପାଇଁ ପୁଣି ନୂଆଦଲିଲ ଏବଂ ଷ୍ଟାମ୍ପ ଡ୍ୟୁଟି ‌ସହ ଦାଖଲ କରିଥିଲେ। ୧୮ଲକ୍ଷ ୩୦ହଜାର ଟଙ୍କାରେ କରାଯାଇଥିବା ଦଲିଲ ପାଇଁ ଷ୍ଟାମ୍ପ ଡ୍ୟୁଟି ୯୧ହଜାର୫୦୦, ଫି ୫୫ହଜାର ଏଭଳି ୧ଲକ୍ଷ ୪୬ହଜାର ୫୦୦ ଏବଂ ୧୧ଲକ୍ଷରେ କରାଯାଇଥିବା ଦଲିଲ ପାଇଁ ଷ୍ଟାମ୍ପ ଡ୍ୟୁଟି ୩୬ହଜାର ୯୧୪ଟଙ୍କା ଏବଂ ଫି ୨୨ହଜାର ୩୧୪ଟଙ୍କା ଏଭଳି ୫୯ହଜାର ୨୨୮ଟଙ୍କା ଦାଖଲ କରିଛନ୍ତି ବୋଲି କହିଛନ୍ତି ସବରେଜିଷ୍ଟ୍ରାର ଏମ୍ .ନୀଳକଣ୍ଟ ନାଇଡ଼ୁ। ସେଭଳି ପୂର୍ବରୁ ହୋଇଥିବା ପଂଜିକରଣ ପାଇଁ ଏଭଳି ପୂର୍ବରୁ ୨ଲକ୍ଷ ୬ହଜାର ମିଳିଥିଲା। ଏଭଳି ଉଭୟ ପଂଜିକରଣ ଏବଂ ବାତିଲରେ ଏହି ମାମଲାରେ ସରକାରଙ୍କୁ ୪ଲକ୍ଷ ୧୧ହଜାରରୁ ଉର୍ଦ୍ଧ୍ବ ଟଙ୍କା ମିଳି ପାରିଛି ବୋଲି କହିଛନ୍ତି ସବରେଜିଷ୍ଟ୍ରାର ।

ଏଥିରେ ଆମର କିଛି ଭୁଲ ନାହିଁ। ଆମ ନିକଟରେ ସେ ଇସି, ଜାତିଗତପ୍ରମାଣପତ୍ର, ୧୯୫୩ମସିହାର ଜମି ପଟ୍ଟା ଦାଖଲ କରିବା ପରେ ଜମି ପଂଜିକରଣ କରାଯାଇଥିଲା ବୋଲି ସବରେଜିଷ୍ଟ୍ରାର କହିଛନ୍ତି। ସାଧାରଣତଃ ଜମି ପଂଜିକରଣ ବେଳେ ବିକ୍ରେତାଙ୍କ ବିକ୍ରି ହେଉଥିବା ଜମିର ଇସି, ଦଲିଲ କିମ୍ବା ଆରଓଆର, ବିକ୍ରେତା ଯଦି ଏସଟି କିମ୍ବା ଏସସି ରହିଥିଲେ ଜାତି ପ୍ରମାଣପତ୍ର ଆଦିକୁ ଯାଂଚ କରି ପଂଜିକରଣ କରାଯାଉଛି ବୋଲି କହିଛନ୍ତି ‌ସବରେଜିଷ୍ଟ୍ରାର ।  ସେ ପଂଜିକରଣ କରିବା ପୂର୍ବରୁ ତାଙ୍କ କାର୍ଯ୍ୟାଳୟର ୨ଜଣ କିରାଣୀ ଏହାକୁ ଯାଂଚ କରିବା ପରେ ହିଁ କରାଯାଉଛି ବୋଲି କହିଛନ୍ତି ସବରେଜିଷ୍ଟ୍ରାର। ଅନ୍ୟ ପକ୍ଷରେ ଜମି ପଂଜିକରଣକୁ ବାତିଲ କରିବା ସହ ପରଜା ସଂପ୍ରଦାୟ କାଳ କାଳରୁ ଅନୂସୂଚିତ ଜନଜାତି (ଆଦିବାସୀ) ହୋଇଥିବା ବେଳେ ବିନା ଯାଂଚରେ କିଭଳି ଓବିସି ଜାତି ପ୍ରମାଣପତ୍ର ତହସିଲରୁ ଦିଆଗଲା ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି ପରଜା ସମାଜ ବିକାଶ ପରିଷଦର ସଭାପତି ହରିଶ୍ଚନ୍ଦ୍ର ମୁଦୁଲି । କେବଳ ଏହି ଜମି ନୁହେଁ ସହର ତଳି ଅଂଚଳର ବହୁ ଅନୂସୂଚିତ ଜନଜାତି(ଏସଟି) ଜମିକୁ ଏଭଳି ଜାଲ୍ ଜାତି ପ୍ରମାଣପତ୍ର ଆଦି କରାଯାଇ ଜମି କିଣାବିକା ହୋଇଥିବା ଏବେ ସହରରେ ଚର୍ଚ୍ଚା ଜୋର ଧରିଛି। ଖାସ୍ କରି ଜାତି ପ୍ରମାଣପତ୍ରରେ ବ୍ୟାପକ ହେରଫେର କରାଯାଇ ଏଭଳି ଜମି ଦୁର୍ନୀତି ଜୋର ଧରିଥିବା କିଛି ଆଇନଜୀବୀ ବି କହିଛନ୍ତି। ଅନ୍ୟ ଜମି ଗୁଡିକର ବି ପଂଜିକରଣ ଯାଂଚ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

 

୯୦ଲକ୍ଷର ଜମି କିଣା ବିକା ଡିଲ୍ ଫସର ପାଟିଲା !

୯୦ଲକ୍ଷରେ ଜମି କିଣାବିକାର ଡିଲ୍ ହୋଇଥିଲା। ତେବେ ଏବେ ଏହା ଫସର ପାଟିଛି। ‌ଏଥି ପାଇଁ କିଛି ଜମି ଦଲାଲଙ୍କ ସହ ଆଇନଜୀବୀ , ଜମି ମାଫିଆ, ବ୍ୟବସାୟୀ , ତହସିଲ କାର୍ଯ୍ୟାଳୟର କର୍ମଚାରୀ ଆଦି ଏଥିରେ ସାମିଲ ହୋଇଥିଲେ। ୯୦ଲକ୍ଷ ମଧ୍ୟରୁ ବିଭିନ୍ନ ବର୍ଗକୁ ନେଇ ଟଙ୍କା ଭାଗ ଭାଗ ହୋଇଥିଲା। ଭାଗ ଅଙ୍କ ଠିକରେ ଛିଡି ପାରିନଥିଲା। ଜମି ବିକ୍ରେତା ନାଁରେ ଠିଆ କରାଯାଇଥିବା ବ୍ୟକ୍ତି ବିଶେଷଙ୍କୁ ଭାଗରୁ ସମୁଦ୍ରକୁ ‌ଶଙ୍ଖେ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ଜାଣି ପାରି ଏହାକୁ ବିରୋଧ କରିବା ସହ ପ୍ରଚାର ଓ ପ୍ରସାର କରିଥିଲେ। ଏହି ସୁନା ଖଣ୍ଡ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଅନ୍ୟ ଗୋଷ୍ଠୀ ମଉକା ଖୋଜୁଥିଲେ। ଏମାନେ  ଏହାକୁ ନେଇ ପ୍ରଚାର ଓ ପ୍ରସାର କରିବା ସହ ତହସିଲଦାରଙ୍କ ନିକଟରେ ଅଭିଯୋଗ ବି କରାଇଥିଲେ। ପରବର୍ତ୍ତୀ ସମୟରେ ଜାଲ୍ ଜାତି ପ୍ରମାଣପତ୍ର ବୋଲି ପ୍ରମାଣ ମିଳିବା ଏବଂ ଜାତି ପ୍ରମାଣପତ୍ର ବାତିଲ ହେବା ପରେ ଏହି ଗୋଷ୍ଠୀ ଏବେ ଏହି ଜମି ପଂଜିକରଣକୁ ବାତିଲ କରାଇଛନ୍ତି। ତେବେ ସହରରେ ଏଭଳି ବହୁ ଗୋଷ୍ଠୀ ଜମି କିଣାବିକାରେ ବ୍ୟାପକ ଭାବେ ହେରଫେର କରୁଥିବା ଚର୍ଚ୍ଚା ଏବେ ଜ‌ୋର ଧରିଛି ।

ସମ୍ବନ୍ଧିତ ଖବର