ରାଜନଗର: ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଭୂତ ବିକୁଛି ଜମି। ୨୫ ବର୍ଷ ତଳୁ ପ୍ରାଣ ହରାଇଥିବା ବ୍ୟକ୍ତି ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ଆସିନାହାନ୍ତି, ବରଂ କାର୍ଯ୍ୟାଳୟର କର୍ମଚାରୀ ତାଙ୍କ ନିକଟରେ ପହଞ୍ଚି ଦଲିଲରେ ଦସ୍ତଖତ ଆଣିଛନ୍ତି। ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି, କ୍ରେତା, ଚିହ୍ନଟି ଓ ଦଲିଲ ଲେଖନକାରୀଙ୍କୁ ସାଙ୍ଗରେ ଧରି ମୃତବ୍ୟକ୍ତିଙ୍କ ନିକଟରେ ପହଞ୍ଚି ଦଲିଲରେ ଦସ୍ତଖତ ଆଣିବାରେ ସଫଳ ହୋଇଛନ୍ତି। ମୃତ ଜମି ମାଲିକଙ୍କ ଝିଅ ରାଜନଗର ଥାନା ଓ ତହସିଲଦାରଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ପରେ ମୃତବ୍ୟକ୍ତି ଜମି ବିକିବାରେ କିପରି ସଫଳ ହୋଇଛି ତା’ର ଗୁମର ପ୍ରତିଦିନ ସାମ୍ନାକୁ ଆସୁଛି। ନକଲି ଆଧାରକାର୍ଡ ପ୍ରସ୍ତୁତ କରାଯାଇ ଏହି ଜମିବିକ୍ରି ହୋଇଥିବା ଜଣାପଡ଼ିଛି। କାର୍ତ୍ତିକ ଖିଲାର ଉପେନ୍ଦ୍ର ଖିଲାର ସାଜି ଏହି ଜମି ବିକିଛନ୍ତି। କାର୍ତ୍ତିକଙ୍କ ଆଧାରକାର୍ଡକୁ କିପରି ନକଲି କରି ଉପେନ୍ଦ୍ର ଖିଲାର ନାଁରେ ପ୍ରସ୍ତୁତ କରାଗଲା ଓ ଏହାକୁ କିଏ ପ୍ରସ୍ତୁତ କଲା, ତାହାକୁ ନେଇ ଚର୍ଚ୍ଚା ବଢିଛି। ଏହି ଚର୍ଚ୍ଚା ଭିତରେ ରାଜନଗର ଘାଟ ରୋଡ୍ରେ ନକଲି ଆଧାରକାର୍ଡ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଓ ବଢିବାରେ ଲାଗିଛି। ରାଜନଗର ତହସିଲ ଅନ୍ତର୍ଗତ ଭାଟପଡା ମୌଜାର ଖାତା ନଂ. ୮, ପ୍ଲଟ ନଂ ୧୬୫, ରକବା ୫ ଏକର ୭୮ ଡେସିମିଲ ଜମି ସାହାଡା କଚେରି ସାହି ଭଦ୍ରକର ଉପେନ୍ଦ୍ର ଖିଲାରଙ୍କ ନାଁରେ ରହିଛି। ଉପେନ୍ଦ୍ର ୧୬ ମେ’ ୧୯୯୮ରେ ପ୍ରାଣ ହରାଇଛନ୍ତି। ମାତ୍ର ୨ ମେ’, ୨୦୨୩ରେ ଏହି ଜମିକୁ ଜାଗୁଳା ଧାମରାର ନକଲି ଉପେନ୍ଦ୍ର ଖିଲାର କୁଶାଇଲୋ ଗ୍ରାମର ରାଧାରାଣୀ ରାଉଳ ସ୍ବାମୀ କ୍ଷୀରୋଦ କୁମାର ରାଉତରାୟଙ୍କୁ ବିକ୍ରି କରିଛନ୍ତି। ରାଧାରାଣୀ ଦୁଇଟି କବଲାରେ ଉପେନ୍ଦ୍ରଙ୍କଠାରୁ ସମ୍ପୂର୍ଣ୍ଣ ଜମିକୁ ୧୧ ଲକ୍ଷ ୮୬ ହଜାର ଟଙ୍କାରେ କ୍ରୟ କରିଥିବା ଦଲିଲରେ ଦର୍ଶାଯାଇଛି। ଜମି ବିକ୍ରି କରିଥିବା ନକଲି ଉପେନ୍ଦ୍ରଙ୍କ ପୁଅ ବିଶ୍ବଜିତ୍ ଖିଲାର ଓ କ୍ରେତାଙ୍କ ସ୍ବାମୀ କ୍ଷୀରୋଦ କୁମାର ରାଉତରାୟ ଦଲିଲରେ ସାକ୍ଷୀ ପଡିଛନ୍ତି। ବଡକଥା ହେଲା ମୃତ ଉପେନ୍ଦ୍ରଙ୍କ ମୂଲ୍ୟବାନ ଜମିକୁ ହଡପ କରିବା ପାଇଁ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର ରଚା ଯାଇଥିଲା। ଏଥିପାଇଁ ଧାମରା ଜାଗୁଳା ଗାଁର କାର୍ତ୍ତିକଙ୍କୁ ମୋହରା ବନା ଯାଇଥିଲା। କାର୍ତ୍ତିକଙ୍କ ଘରକୁ ରାଜନଗର ଗାଁର ପ୍ରମୋଦ କୁମାର ସେଠୀ ପହଞ୍ଚି ତାଙ୍କ ସହିତ ଡିଲ୍ କରିବା ପରେ ତାଙ୍କୁ ୪ ଲକ୍ଷ ଟଙ୍କା ଦେବେ, ପ୍ରତିବଦଳରେ କାର୍ତ୍ତିକ ଉପେନ୍ଦ୍ର ଖିଲାର ସାଜି ଦଲିଲରେ ଦସ୍ତଖତ ଓ ଟିପ ଦେବେ। ଏହି ଡିଲ୍ ଟଙ୍କା କାର୍ତ୍ତିକଙ୍କ ପୁଅ ବିଶ୍ବଜିତଙ୍କ ଆକାଉଂଟକୁ ଯାଇଥିବାରୁ ସେ ଚିହ୍ନଟି ପଡିବେ ବୋଲି ସ୍ଥିର ହୋଇଥିଲା।
/sambad/media/post_attachments/wp-content/uploads/2023/07/5511RAJNAGAR-KARTIKA-NKA-ASALI-VOTE-PARICHAYA-PATRA_6-782x1024.jpg)
କାର୍ତ୍ତିକ ଖିଲାରଙ୍କ ନାଁରେ ଆଧାରକାର୍ଡ ଥିବାରୁ ତାଙ୍କ ଆଧାରକାର୍ଡକୁ ନକଲ କରି ଉପେନ୍ଦ୍ର ଖିଲାର କରିବା ପାଇଁ ସ୍ଥିର ହୋଇଥିଲା। ଏହି ଦାୟିତ୍ବ ଦଲାଲ ପ୍ରମୋଦ ନେଇଥିଲେ। ପ୍ରମୋଦ ଏହି ଜମି ହଡପ ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କ ସହିତ ଆଲୋଚନା କରିବା ପରେ ରାଜନଗର ଘାଟ ରୋଡରେ କାର୍ତ୍ତିକ ଖିଲାରଙ୍କ ଆଧାରକାର୍ଡକୁ ନକଲ କରି କାର୍ତ୍ତିକଙ୍କ ଫଟୋ ଥାଇ ଉପେନ୍ଦ୍ର ଖିଲାର କରାଯାଇ ଆଧାରକାର୍ଡ ପ୍ରସ୍ତୁତ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। କେବଳ ଜେରକ୍ସ ଆଧାରକାର୍ଡ ବାହାରିଲେ, କେହି ସନ୍ଦେହ କରିବାର ଆଶଙ୍କା ଥିବାରୁ ନକଲି ଉପେନ୍ଦ୍ର ଖିଲାରଙ୍କ ନାଁରେ ରଂଗିନ୍ ଆଧାରକାର୍ଡ ବାହାର କରି ତାକୁ ଲାମିନେସନ୍ କରାଯାଇଥିଲା। କାର୍ତ୍ତିକ ଖିଲାର ଓରଫ ନକଲି ଉପେନ୍ଦ୍ର ଖିଲାରଙ୍କ କହିବା କଥା ହେଲା, ପ୍ରମୋଦ ମୋ ସହ କଥା ହେବା ପରେ ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର ନେଇଥିଲେ। ମୋ ଆଧାରକାର୍ଡକୁ ନକଲ କରି ଉପେନ୍ଦ୍ର ଖିଲାର ନାଁରେ ପ୍ରସ୍ତୁତ କରି ମୋତେ ଦେଇଥିଲେ ବୋଲି କହିଛନ୍ତି। କାର୍ତ୍ତିକ ନିଜେ ତାଙ୍କ ନାଁରେ ନକଲ କରି ପ୍ରସ୍ତୁତ ହୋଇଥିବା ଆଧାରକାର୍ଡ ସଂପର୍କରେ ଗୁମର ଖୋଲିବା ସହ ଦଲାଲ ପ୍ରମୋଦ ଓ ଅନ୍ୟ ମାନଙ୍କ ସଂପୃକ୍ତିକୁ ସାମ୍ନାକୁ ଆଣି ସାରିଛନ୍ତି। ନକଲି ଆଧାରକାର୍ଡ ପ୍ରସ୍ତୁତ କରି ଦେଇଥିବା ଦଲାଲ ପ୍ରମୋଦ ରାଜନଗର ଘାଟ ରୋଡରେ ନକଲି ଉପେନ୍ଦ୍ର ଖିଲାରଙ୍କ ଆଧାରକାର୍ଡ ପ୍ରସ୍ତୁତ କରିଥିବା କୁହାଯାଉଛି। କାର୍ତ୍ତିକଙ୍କ ଆଧାର ନମ୍ବର ଓ ନକଲି ଉପେନ୍ଦ୍ର ଖିଲାରଙ୍କ ଆଧାର ସମାନ ରହିଛି। ଉଭୟଙ୍କ ଆଧାରକାର୍ଡର ନମ୍ବର ୬୨୨୧ ୯୪୯୪ ୫୩୧୪ ରହିଛି। ଅନ୍ୟପଟେ କାର୍ତ୍ତିକ ଓ ଉପେନ୍ଦ୍ରଙ୍କ ଜନ୍ମ ତାରିଖ ସମାନ ରହିଛି। ଉଭୟଙ୍କ ଜନ୍ମ ତାରିଖ ୧ ଜୁନ ୧୯୫୪ ରହିଛି। ଦୁଇଟି ଆଧାରକାର୍ଡକୁ ଦେଖିଲେ ଅସଲି ଆଧାରକାର୍ଡ ଓ ନକଲି ଆଧାରକାର୍ଡ ମଧ୍ୟରେ ଫରକ୍ ଯେ’ କେହି ଜାଣିପାରିବ। ମାତ୍ର ଦଲିଲ ସଂପାଦନ କରିଥିବା ଉପନିବନ୍ଧକଙ୍କ କାର୍ଯ୍ୟାଳୟର କିରାଣି ଆଧାରକାର୍ଡ ନକଲି ବୋଲି ଜାଣିପାରିନଥିଲେ ନାଁ ଜାଣି ଅଜଣା ଥିଲେ, ତାହା ସଂଶୟ ସୃଷ୍ଟି କରିଛି।