ସିଭିଲଟାଉନ୍‌ସିପ୍‌ ଜମି କେ‌ଳେଙ୍କାରୀ: ଟ୍ରାନ୍ସପୋର୍ଟରଙ୍କୁ ନା, ବ୍ୟବସାୟୀଙ୍କୁ ହଁ କାହିଁକି?

ରାଉରକେଲା: ସିଭିଲଟାଉନସିପ୍‌ର ମୂଲ୍ୟବାନ ପ୍ଲଟକୁ ଶାଗ ମାଛ ଦରରେ ବଡ ବଡିଆଙ୍କୁ ଟେକି ଦିଆଯିବା ପ୍ରସଙ୍ଗରେ ଅସନ୍ତୋଷ କୁହୁଳୁଛି। ଅଭିଯୋଗ ହେଉଛି ଯେ ଲ୍ୟାଣ୍ଡ ଆଲଟମେଣ୍ଟ କମିଟି (ଏଲ୍‌ଏସି)ର କିଛି କରିତକର୍ମା ଅଧିକାରୀ ଏଥିରେ ମଧ୍ୟସ୍ଥି ସାଜି ଆବେଦନ କରୁଥିବା ଅନ୍ୟ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ରୋକ୍‌ଠୋକ୍‌ ମନା କରିଦେବାବେଳେ ସମାନ ପ୍ଲଟକୁ ଭିତରି ସଲାସୁତୁରା କରି ଅନ୍ୟ ଜଣଙ୍କୁ ସରକାରୀ ଧାର୍ଯ୍ୟମୂଲ୍ୟଠାରୁ ଢ଼େର କମ୍‌ ଦାମ୍‌ରେ ବିକିବାକୁ ସୁପାରିଶ କରୁଛନ୍ତି। ଏହାକୁ କଡା ବିରୋଧ କରିଛନ୍ତି ସିଭିଲଟାଉନସିପ୍‌ ସିଟିଜେନ୍‌ ଫୋରମ୍‌ , ଜିଲ୍ଲା ବିଜେପି ଓ ଜିଲ୍ଲା କଂଗ୍ରେସ। ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଇଡ୍‌କୋ ଚେୟାରମ୍ୟାନ୍‌, ଜିଲ୍ଲାପାଳଙ୍କୁ ଚିଠି ଲେଖି ସେମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଦ୍ୟାବଧି ବ୍ୟବସାୟୀଙ୍କୁ ବେଆଇନ ଭାବେ ଟେକି ଦିଆଯାଇଥିବା ମୂଲ୍ୟବାନ ଜମି ବାତିଲ କରା ଯାଉ ନଥିବାରୁ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି।

ଏହା ଭିତରେ ସୂଚନା ମିଳିଛି ଯେ ଗତ ୨୦୧୮ରେ ସିଭିଲଟାଉନସିପ୍‌ର ଖାତା ନଂ ୧୧୧ର (ୟୁନିଟ୍‌-୪୨)ର ଏହି ୧.୩୪ ଏକର ମୂଲ୍ୟବାନ ଜମିରୁ ମାତ୍ର ୨ ଡେସିମିଲ୍‌ରେ ଟ୍ରାନ୍ସପୋର୍ଟ ଅଫିସ୍‌ କରିବାକୁ ଜଣେ ଟ୍ରାନ୍ସପୋର୍ଟର ଏଲ୍‌ଏସିରେ ଆବେଦନ କରିଥିଲେ। କିନ୍ତୁ ସମ୍ପୃକ୍ତ ପ୍ଲଟ ପ୍ରମୁଖ ଅଞ୍ଚଳରେ ରହିଛି, ଏହି ପ୍ଲଟ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ରଖାଯାଇଥିବାରୁ ସେଥିରୁ ୨ ଡେମିସିଲ୍‌ ଦିଆଯାଇପାରିବ ନାହିଁ ବୋଲି ଦର୍ଶାଇ ଏଲ୍‌ଏସି ୨୦୨୦ ମାର୍ଚ୍ଚ ୩ରେ ଆବେଦନକୁ ବାତିଲ କରିଥିଲେ। କିନ୍ତୁ ଏବେ ସେହି ୧.୩୪ ଏକର ମୂଲ୍ୟବାନ ଜମିରୁ ହୋଟେଲ ନାଁରେ ଜଣାଶୁଣା ବ୍ୟବସାୟୀଙ୍କୁ କିପରି ସ୍ବଳ୍ପ ମୂଲ୍ୟରେ ଟେକି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି।
ଏ ପ୍ରସଙ୍ଗରେ ଜିଲ୍ଲା ବିଜେପି ଓ କଂଗ୍ରେସ ଜାରି ରହିଥିବା ଆନ୍ଦୋଳନ ଏବଂ ଆଇନଜୀବୀଙ୍କର ପ୍ରସ୍ତୁତି ଆଗାମୀ ଦିନରେ କେତେଦୂର ସଫଳ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଉଲ୍ଲେଖଯୋଗ୍ୟ ଯେ, ରାଉରକେଲା ସିଭିଲଟାଉନସିପ୍‌ ଟାଉନ୍‌ ୟୁନିଟ୍‌ ୪୧/୪୨ରେ ଥିବା ପ୍ରାୟ ୧.୨୫ ସରକାରୀ ଏକର ଜମିକୁ ଏଲ୍‌ଏସି (ଲ୍ୟାଣ୍ଡ ଆଲଟମେଣ୍ଟ କମିଟି) ଗତ ୨୦୧୪ ସେପ୍ଟେମ୍ବର ୨୦ରେ ଇଡ଼୍‌କୋ ଦେବାକୁ ଅନୁମତି ପ୍ରଦାନ କରିଥିଲେ। ସେହି ଜମିରେ କମ୍ପ୍ରେହେନ୍‌ସିଭ୍‌ ‌‌ଡେଭଲପମେଣ୍ଟ ପ୍ଲାନ (ସିଡିପି) ଅନୁଯାୟୀ ଇଡ୍‌କୋ ଟାୱାର ନିର୍ମାଣ କରିବାର ସର୍ତ୍ତ ରଖାଯାଇଥିଲା। ସେହି ଟାୱାରରେ ସରକାରୀ ଓ ବେସରକାରୀ ଅଫିସ୍‌ ରହିବ। ୧.୨୫ ଏକର ଜମିରୁ ୨୦% କାର୍ପେଟ ଏରିଆକୁ ବିନାମୂଲ୍ୟରେ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ରାଉରକେଲାଙ୍କୁ ଦେବାକୁ ମଧ୍ୟ ସର୍ତ୍ତ ରହିଥିଲା। ଲିଜ୍‌ କେସ୍‌ ନଂ ୧୧/୨୦୧୪ରେ ତହସିଲଦାର ରାଉରକେଲା ଲିଜ୍‌କୁ ମଞ୍ଜୁରି କରିଥିଲେ। ମାତ୍ର ଇଡ଼୍‌କୋ ଉକ୍ତ ଲିଜ୍‌ ଜମିକୁ ଉପଯୋଗ କରି ନଥିଲେ।

ଗତ ୨୦୨୧ ଜାନୁଆରି ୧୯ରେ ଜିଲ୍ଲାପାଳ ସୁନ୍ଦରଗଡ ତାଙ୍କ ଚିଠି ସଂଖ୍ୟା ୫୩୪ଏକ୍ସଭିଆ-୨୫/୨୧ ଜରିଆରେ ରାଉରକେଲା ତହସିଲଦାରଙ୍କୁ ଉକ୍ତ ଲିଜ୍‌ ଜମିକୁ ଆଗୁଆ ଦଖଲ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସର୍ତ୍ତାବଳୀକୁ ଅଣଦେଖା କରି ଇଡ୍‌କୋ କର୍ତ୍ତୃପକ୍ଷ ତାଙ୍କ ଚିଠି ନଂ ୪୪୨୭, ତା.୮.୩.୨୦୨୧ରେ ୪୦ ଡେସମିଲ୍‌ ପ୍ଲଟକୁ ଜଣେ ବ୍ୟବସାୟୀଙ୍କୁ ସ୍ବଳ୍ପ ମୂଲ୍ୟରେ ଟେକି ଦେଇଥିଲେ। ପୁଣି ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ଏକ ଚିଠି ନଂ ୯୨୬୬ ତା୨.୬.୨୦୨୧ରେ ବାକି ୬୦ ଡେସମିଲ୍‌କୁ ହୋଟେଲ ନିର୍ମାଣ ନାଁରେ ସେହି ବ୍ୟବସାୟୀଙ୍କୁ ଦିଆଯାଇଛି। ତେବେ ଇଡ୍‌କୋ ଟାୱାର ପରି‌ବର୍ତ୍ତେ ଏଲ୍‌ଏସି ବିନା ବିଜ୍ଞାପନ, ନିଲାମରେ ଜଣେ ବ୍ୟବସାୟୀଙ୍କୁ କେଉଁ ଉଦ୍ଦେଶ୍ୟରେ ଜମି ଟେକି ଦେଇଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇଡ଼କୋ ୨୦୧୪ରୁ ଏଲ୍‌ଏସି ୧.୨୫ ଏକର ଜମି ପାଇଁ ଆବେଦନ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କାହିଁକି ଲିଜ୍‌ ନେଇନଥିଲେ ? ହଠାତ୍‌ ତରବରିଆ ଭାବେ ମାର୍ଚ୍ଚ ମାସରେ ଏହାକୁ ଇଡ୍‌କୋକୁ କାହିଁକି ଲିଜ୍‌ ଦିଆଗଲା ? ଇଡ୍‌କୋ ଲିଜ୍‌ ପାଇବା ପରେ କେଉଁ ନିୟମ ଆଧାରରେ ବ୍ୟବସାୟୀଙ୍କୁ ସବ୍‌ଲିଜ୍‌ ଟେକି ଦେଲେ ? ସାଧାରଣରେ ଏମିତି ଅନେକ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର