ଖୋର୍ଦ୍ଧା: ବୋଲଗଡ଼ ବ୍ଲକରେ ଜମି କିଣାବିକାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ପୁଣିଥରେ ଅଭିଯୋଗ ହୋଇଛି। ବେଆଇନ ଭାବେ ଉତ୍ତରାଧିକାରୀ ପ୍ରମାଣପତ୍ରରେ ଚଞ୍ଚକତା କରାଯାଇଥିବା ଜାଣି ମଧ୍ୟ ସ୍ଥାନୀୟ ତହସିଲଦାର ତଥା ଉପନିବନ୍ଧକ ଜମି ବିକ୍ରି ପାଇଁ ଅନୁମତି ଦେଇଥିବା ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି। ଆଜି ଗୁରୁବାର ବୋଲଗଡ଼ ବ୍ଲକ ହରିପୁର ଗାଁର ଅମୂଲ୍ୟ ତ୍ରିପାଠୀ ନାମକ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁସାରେ, ବୋଲଗଡ଼ ବ୍ଲକ କଣ୍ଟେଇଲୋର ପୂର୍ଣ୍ଣଚନ୍ଦ୍ର ଶତପଥୀ ଓ ପତ୍ନୀ ଶୈଳବାଳା ଶତପଥୀଙ୍କ ଚାରିପୁଅ ଓ ଦୁଇ ଝିଅ। ପୂର୍ଣ୍ଣଚନ୍ଦ୍ର ଓ ଶୈଳବାଳାଙ୍କ ମୃତ୍ୟୁ ପରେ ରାଉରକେଲାରେ ରହୁଥିବା ଚାରିପୁଅ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ। ଏଥିରେ ପୂର୍ଣ୍ଣଚନ୍ଦ୍ରଙ୍କ ଦୁଇ ଝିଅଙ୍କ ନାମକୁ ବାଦ ଦେଇଥିଲେ। ଏହି ପ୍ରମାଣପତ୍ର ଆଧାରରେ ପୂର୍ଣ୍ଣଚନ୍ଦ୍ରଙ୍କ ନାମରେ ଥିବା ୮୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଜମିକୁ ବକ୍ରି କରି ଦେଇଛନ୍ତି। ଏନେଇ ଅମୂଲ୍ୟ ତ୍ରିପାଠୀ (ପୂର୍ଣ୍ଣଚନ୍ଦ୍ରଙ୍କ ବଡ଼ ଝିଅଙ୍କ ସ୍ବାମୀ) ଚଳିତ ମାସ ୩ ତାରିଖରେ ତହସିଲଦାରଙ୍କୁ ଦେଖାକରି ଏନେଇ ଅଭିଯୋଗ କରିବା ସହ ଆଧାର ଆଦି ପ୍ରମାଣ ସ୍ବରୂପ ଦେଖାଇଥିଲେ।
ଏହାପରେ ବୋଲଗଡ଼ ତହସିଲଦାର ତଥା ଉପନିବନ୍ଧକ ସନ୍ତୋଷିନୀ ଦାଶ ଏହି ଜମି ବିକ୍ରିକୁ ସ୍ଥଗିତ ରଖିଥିଲେ। କିନ୍ତୁ ୫ ତାରିଖରେ ଜମି ବିକ୍ରି କରିବାକୁ ଅନୁମତି ଦେଇଥିଲେ। ଏପରିକି ଅଭିଯୋଗର ଗ୍ରହଣ ପ୍ରମାଣପତ୍ର ଦେଇ ନଥିଲେ କି ଓକିଲଙ୍କ ଜରିଆରେ ମିସ୍କେସ୍ ଦାଖଲକୁ ଗ୍ରହଣ କରିନଥିଲେ। ଏଭଳି ବେଆଇନ ଜମି କାରବାର ପାଇଁ ଉପନିବନ୍ଧକ ଦାୟିତ୍ବରେ ଥିବା ତହସିଲଦାର ମୋଟ ଅଙ୍କର ହାତଗୁଞ୍ଜା ନେଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାର ତଥା ଉପନିବନ୍ଧକ ସନ୍ତୋଷିନୀ ଦାଶଙ୍କୁ ପଚାରିବାରେ ସେ କହିଛନ୍ତି ଯେ ରାଉରକେଲାରୁ ଜଣେ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ କରିବା ବେଆଇନ ନୁହେଁ। ଏହା ଜଣେ ଅଧିକାରୀ ଆବଶ୍ୟକ ଯାଞ୍ଚ ପରେ ପ୍ରଦାନ କରିଥାନ୍ତି। ଏହା ବ୍ୟତୀତ ଅଭିଯୋଗ ପରେ, ଉତ୍ତରାଧିକାରୀ ପ୍ରମାଣପତ୍ରରେ ଥିବା ବାର୍କୋଡ୍ ସ୍କାନ୍ କରିବାରେ ଚାରିଜଣ ପୁଅଙ୍କ ନାମ ରହିଥିଲା। ଯଦି ଅଭିଯୋଗକାରୀଙ୍କ କୌଣସି ସମସ୍ୟା ରହିଛି ତେବେ ଏନେଇ ସେ ଉପଜିଲ୍ଲାପାଳଙ୍କ କୋର୍ଟରେ ପ୍ରମାଣପତ୍ର ନାକଚ ପାଇଁ ଏକ ମାମଲା ରୁଜୁ କରି ପାରିବେ।