ରାଜନଗର: ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଭୂତ ଜମି ବିକିବା ଘଟଣାର ପେଡ଼ି ଖୋଲିବାରେ ଲାଗିଛି। ମିଳିମିଶି ଜଣଙ୍କ ଜମିକୁ ହଡ଼ପ କରିବା ପାଇଁ ଦୀର୍ଘଦିନ ଧରି କରିଥିବା ଯୋଜନା ଶେଷରେ ସଫଳ ହୋଇଛି। ଉପନିବନ୍ଧକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସଂପୃକ୍ତି ପଦାକୁ ଆସିବାରେ ଲାଗିଛି। ନକଲି ଉପେନ୍ଦ୍ର ଖିଲାର ରାଜନଗର ତହସିଲକୁ ଆସି ଜମି କବଲା କଲେ ସମସ୍ତେ ଜାଣିବେ ଓ ତାଙ୍କ ଗାଁକୁ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ବାବୁମାନେ ଗଲେ ଗାଁ ଲୋକ ଜାଣିବେ ବୋଲି ଆଶଙ୍କା ଥିବାରୁ ଅତି ଚତୁରତାର ସହିତ ଲୁଚାଣିଆ ସ୍ଥାନରେ ଦଲିଲ ସମ୍ପନ୍ନ କରାଯାଇଛି। ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ବସନ୍ତ କୁମାର ସାହୁ ଓ ଦଲିଲ ଲେଖନକାରୀଙ୍କ କହିବାନୁଯାୟୀ, କ୍ରେତାଙ୍କ ସ୍ବାମୀ ଯେଉଁଠି ପହଞ୍ଚାଇଲା, ସେହି ସ୍ଥାନକୁ ଆମେ ବିକ୍ରେତାର ଗାଁ ଭାବିଥିଲୁ। ଏହି ଦୁଇଜଣଙ୍କ ଏଭଳି ମନ୍ତବ୍ୟ ଏହି କେଳେଙ୍କାରୀ ପଛରେ ଥିବା ବଡ଼ଧରଣର କେଳେଙ୍କାରୀକୁ ସୂଚାଉଛି। ଲୁଚାଣିଆ ଦଲିଲ ସମ୍ପନ୍ନ କରାଯିବା କାର୍ଯ୍ୟ ଦାୟିତ୍ବରେ ଥିବା ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଭୂମିକାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଭାଟପଡ଼ା ମୌଜାର ଜମିକୁ ବିକ୍ରି କରିବା ପାଇଁ ନକଲି ଉପେନ୍ଦ୍ର ଖିଲାର ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ଆସି ନ ଥିଲେ। ଉପେନ୍ଦ୍ର ରୋଗଗ୍ରସ୍ତ, ଶଯ୍ୟାଶାୟୀ। ସେ ଦଲିଲ କରିବାକୁ ରାଜନଗର ଆସିପାରିବେ ନାହିଁ ବୋଲି ତାଙ୍କର ଦସ୍ତଖତ ଥିବା ଏକ ଆବେଦନପତ୍ର ସବ୍‌ରେଜିଷ୍ଟ୍ରାର ଦାୟିତ୍ବରେ ଥିବା ତହସିଲଦାରଙ୍କ ନିକଟରେ ପହଞ୍ଚିଥିଲା। ବିକ୍ରେତାଙ୍କ ଘର ନିକଟରେ ଉପନିବନ୍ଧଙ୍କ କାର୍ଯ୍ୟାଳୟର କର୍ମଚାରୀ ପହଞ୍ଚି ଦଲିଲ ସଂପାଦନା କରିବା ସଂପର୍କରେ ଆବେଦନରେ ଉଲ୍ଲେଖ ଥିଲା।

Advertisment

ଗତ ମେ’ ୨ ତାରିଖରେ ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ବସନ୍ତ କୁମାର ସାହୁ, କ୍ରେତାଙ୍କ ସ୍ବାମୀ କ୍ଷୀରୋଦ କୁମାର ରାଉତରାୟ, ଦଲିଲ ଲେଖନକାରୀ ଏହି ଜମି କେଳେଙ୍କାରୀର ଦଲାଲକୁ ସାଙ୍ଗରେ ଧରି ନକଲି ଉପେନ୍ଦ୍ରଙ୍କ ଘର ଧାମରା ସାମୁଦ୍ରିକ ଥାନା ଅନ୍ତର୍ଗତ ଜାଗୁଳାରେ ପହଞ୍ଚି ଦଲିଲରେ ସ୍ବାକ୍ଷର ଓ ଟିପ ଆଣିଥିବା ସରକାରୀ ରେକର୍ଡରେ ଦର୍ଶାଯାଇଛି। ମାତ୍ର ପ୍ରକୃତ ସତ ଚକିତ କରିଦେବା ଭଳି। ଶଯ୍ୟାଶାୟୀ ବୋଲି ଯେଉଁ ନକଲି ଉପେନ୍ଦ୍ରକୁ ଦର୍ଶାଯାଇଥିଲା, ପ୍ରକୃତରେ ସେ ଶଯ୍ୟାଶାୟୀ ନୁହନ୍ତି। ତାଙ୍କ ନାଁରେ ନକଲି ଆଧାରକାର୍ଡ ପ୍ରସ୍ତୁତ ହୋଇଥିବାରୁ ଏବଂ କବଲା ବେଳେ କାଳେ କିଏ ଜାଣିଦେବ ସେଥିପାଇଁ ନକଲି ଉପେନ୍ଦ୍ରଙ୍କୁ ଶଯ୍ୟାଶାୟୀ ଦର୍ଶାଇ ସବୁକିଛି ଯୋଜନା ମୁତାବକ କରାଯାଇଥିଲା। ମେ’ ୨ ତାରିଖ ଦିନ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ବସନ୍ତ ଦଲିଲ ସଂପାଦନ କରିବା ପାଇଁ ଜାଗୁଳା ଗାଁକୁ ଯାଇ ନ ଥିଲେ। ବାଁଶଡା ଥାନା ଅନ୍ତର୍ଗତ ନୂଆଗାଁ ପଂଚାୟତର ବାଁଶଡା ଘାଟ ନିକଟରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ନକଲି ଉପେନ୍ଦ୍ର ଖିଲାର ଓ ତାଙ୍କ ପୁଅ ବିଶ୍ବଜିତ୍ ଖିଲାର ଅପେକ୍ଷା କରି ରହିଥିଲେ। ରାତି ହୋଇଗଲା ପରେ ସେଠାରୁ ଲୋକଙ୍କ ଭିଡ଼ କମିଯିବା ପରେ ଘାଟ ନିକଟରେ ଥିବା ଯାତ୍ରୀ ଆଶ୍ରୟସ୍ଥଳ ମଧ୍ୟରେ କାର୍ତ୍ତିକ ଖିଲାର ନିଜକୁ ଉପେନ୍ଦ୍ର ଖିଲାର ଦର୍ଶାଇ ଦଲିଲରେ ଦସ୍ତଖତ ମାରିଥିଲେ। ତାଙ୍କ ପୁଅ ବିଶ୍ବଜିତ୍ ଖିଲାର ଚିହ୍ନଟି ଭାବେ ଦସ୍ତଖତ ମାରିଥିଲେ। ଏହି କେଳେଙ୍କାରୀର ଗୁମର ଖୋଦ୍‌ ଜମିର ବିକ୍ରେତା ନକଲି ଉପେନ୍ଦ୍ର ଖିଲାର ଓରଫ କାର୍ତ୍ତିକ ଖିଲାର ଖୋଲିଦେବା ସହ ସେ ତହସିଲକୁ ଯିବାକୁ ମନା କରିନଥିଲେ, ସେମାନେ ବାଁଶଡାରେ ତାଙ୍କ ପାଖରେ ପହଞ୍ଚି ରାସ୍ତା ଉପରେ ଦଲିଲରେ ଦସ୍ତଖତ ନେଇଥିଲେ ବୋଲି କହିଛନ୍ତି।

ଏ ସଂପର୍କରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି ବସନ୍ତଙ୍କ କହିବା କଥା ହେଲା ଆମେ ଜାଣିନୁ, ସେ ଜାଗା କେଉଁ ଜାଗା। କିଣିଲା ବାଲା ଆମକୁ ଯେଉଁ ଜାଗାକୁ ନେଇକି ଗଲା, ଆମେ ସେଠି ପହଞ୍ଚି କବଲା କଲୁ, ସେ ଜାଗା ଜାଗୁଳା କି ବାଁଶଡା ଜାଣିନୁ ବୋଲି କହିଛନ୍ତି। ଦଲିଲ ଲେଖନକାରୀ ମଧ୍ୟ ସମାନ କଥା କହିଛନ୍ତି। କୌଣସି ଜମି ବିକ୍ରେତା ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ହେଲେ ଦଲିଲ ପାଇଁ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ନ ଆସି ପାରିଲେ ଉପନିବନ୍ଧକଙ୍କ କାର୍ଯ୍ୟାଳୟର କର୍ମଚାରୀ ଘର ନିକଟରେ ପହଞ୍ଚି ଦଲିଲ ସଂପାଦନ କରିପାରିବେ। ମାତ୍ର ସୁସ୍ଥ ଥିବା ଜଣେ ବିକ୍ରେତାଙ୍କୁ ଅସୁସ୍ଥ ଦର୍ଶାଇ ତାଙ୍କ ଘର ନିକଟରେ ଦଲିଲ ସଂପାଦନା କରାଯାଇଥିବା ଦର୍ଶାଇ ରାସ୍ତା ଉପରେ ଦଲିଲ ସଂପାଦନା କରାଯିବା ଘଟଣା ଉପନିବନ୍ଧକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସଂପୃକ୍ତିକୁ ସାମ୍ନାକୁ ଆଣିଛି। ଅନ୍ୟପକ୍ଷରେ ଏହି ଜମିକୁ ହଡପ ପାଇଁ ଜାଗୁଳା ଗାଁର କାର୍ତ୍ତିକ ଖିଲାର ଉପେନ୍ଦ୍ର ଖିଲାର ସାଜିବା ପାଇଁ ଦଲାଲ ସହ ହୋଇଥିବା ଡିଲ୍‌ର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଯେ ଯୋଜନାବଦ୍ଧ ଷଡ଼ଯନ୍ତ୍ର, ତାହା ବୁଝିବାକୁ ଆଉ ବାକି ନାହିଁ। ଏହାସତ୍ତ୍ବେ ଜିଲ୍ଲା ପ୍ରଶାସନ ଓ ପୁଲିସର ନିରବତା ସନ୍ଦେହ ବଢାଇବାରେ ଲାଗିଛି।