ଜବରଦଖଲ ହଟାଇବାକୁ:ସମୟ ମାଗିଲେ ଭୂମିହୀନ ପରିବାର

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନ୍‌ଏସି ୧୩ନଂ ୱାର୍ଡ ଅନ୍ତର୍ଗତ ଉମାଦେବୀ ସାହିରେ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ହେବାକୁ ଥିବା ସ୍ଥାନରେ ରହିଥିବା ୯ଜଣ ଭୂମିହୀନ ପରିବାର ଜବରଦଖଲ ହଟାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟି ସମୟ ମାଗିଥିବା ଜଣାପଡ଼ିଛି। ଏପରିକି ଭୂମିହୀନ ପରିବାରକୁ ଥଇଥାନ ସହ କ୍ଷତିପୂରଣ ଦେବାକୁ ଅନୁରୋଧ କରିଛନ୍ତି। ପ୍ରକାଶ ଥାଉ କି, ଗଡ଼ଜାତ ସମୟରୁ ଆଜିକୁ ୩୫ବର୍ଷ ହେବ ଉମାଦେବୀ ସାହିର ଭୂମିହୀନ ମିନତୀ ସେଠୀ, ନବ କିଶୋର ବେହେରା, ନୀଳମଣି ପ୍ରଧାନ, ରାମଚନ୍ଦ୍ର ପାତ୍ର, ନଟବର ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ସନ୍ତୋଷ ଦାସ ଓ ସଂସାରୀ ସାହୁ ଆଦି ୯ଜଣ ପରିବାର ଲୋକ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ହେବାକୁ ଥିବା ସ୍ଥାନରେ ରହି ଆସୁଛନ୍ତି। ଭୂମିହୀନ ପରିବାର ଲୋକ ଅଧିକାଂଶ ଗରିବ ଓ ମୂଲିଆ ଶ୍ରେଣୀର ହୋଇଥିବାରୁ ଗାଈଗୋରୁ, ଛେଳିମେଣ୍ଢା ଆଦି ପାଳନ କରି ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି।

ବଣ, ଜଙ୍ଗଲ, ପାହାଡ଼ିଆ ଅଂଚଳ ହୋଇଥିବାରୁ ବିଭିନ୍ନ ପ୍ରକାର ବିଷାକ୍ତ ଜୀବଜନ୍ତୁଙ୍କ ଚଳପ୍ରଚଳ ହୋଇଥାଏ। ତେଣୁ ଏହି ବର୍ଷା ସମୟରେ ୯ଜଣ ଭୂମିହୀନ ପରିବାର ଲୋକ ତହସିଲ୍‌ଦାରଙ୍କ ନିର୍ଦ୍ଦେଶ ମୁତାବକ ୭ଦିନ ମଧ୍ୟରେ ସରକାରୀ ଜାଗା ଖାଲି କରି ବଢିଲା ଝିଅକୁ ଧରି କେଉଁ ନିର୍ଜନ ସ୍ଥାନରେ ରହିବେ ବୋଲି ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି। ତିନି ଚାରି ପ୍ରାଣୀ କୁଟୁମ୍ବଙ୍କୁ ଧରି ଭୂମିହୀନ ପରିବାର ଲୋକ ଆର୍ଥିକ ଅନଗ୍ରସର ହୋଇଥିବାରୁ ଖଣ୍ଡପଡ଼ାରେ ଭଡ଼ା ଘରେ ରହିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ସରକାରୀ ଜାଗାରୁ ଅନ୍ୟତ୍ର ସ୍ଥାନାନ୍ତର ହେବା ସହ ଥଇଥାନ ହେବାକୁ ଆଜିଠାରୁ ଆଉ ଅଧିକ ୬ମାସ ପ୍ରଦାନ କରାଯାଉ ବୋଲି ଭୂମିହୀନ ଲୋକ ଖଣ୍ଡପଡ଼ା ତହସିଲ୍‌ଦାର ଓ ନୟାଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଦାବି ଜଣାଇଛନ୍ତି। ତେବେ ନୟାଗଡ଼ ଜିଲ୍ଳାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ତହସିଲ୍‌ଦାର ଅନିତା ପଣ୍ଡା ପ୍ରତି ଭୂମିହୀନ ପରିବାରକୁ ଗ୍ରାମାଞ୍ଚଳରେ ୪ ଡିସିମିଲ୍‌ ଜାଗା କିମ୍ବା ୨ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ଅଧିକ ୬ ମାସ ସମୟ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର