ଥରିଲା ସ୍ୱାଭିମାନ ଅଞ୍ଚଳ: ହନ୍ତାଳଗୁଡ଼ା ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କଲେ ମାଓବାଦୀ

ମାଲକାନଗିରି: ପୁଣି ସ୍ୱାଭିମାନ ଅଞ୍ଚଳ ଥରିଛି। ମାଓବାଦୀମାନେ ନବନିର୍ମିତ ସଡ଼କକୁ ଲ୍ୟାଣ୍ଡମାଇନ ମାଧ୍ୟମରେ ଉଡାଇ ଦେଇଛନ୍ତି। ଆଜି ଅପରାହ୍ନରେ ଏହି ଘଟଣା ଘଟିବା ପରେ ସ୍ୱାଭିମାନ ଅଞ୍ଚଳର ଅଧିବାସୀମାନେ ଭୟଭୀତ ହୋଇ ଯାଇଛନ୍ତି। ମାଓବାଦୀଙ୍କ ଏହି କାଣ୍ଡ ପରେ ନବନିର୍ମିତ ରାସ୍ତାର ଅବସ୍ଥା ପୁଣି ଦୟନୀୟ ହୋଇପଡ଼ିଛି। କିନ୍ତୁ ଖୁସିର କଥା ଯେ, ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣରେ କାହାରି ମୃତ୍ୟୁ ହୋଇ ନାହିଁ।

ସୂଚନା ଅନୁସାରେ ସ୍ୱାଭିମାନ ଅଞ୍ଚଳର ବିଚାରପାଖନା ଠାରୁ ହନ୍ତାଳଗୁଡ଼ାକୁ ଯୋଡୁଥିବା ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଆଜି ସନ୍ଧ୍ୟାରେ ବିସ୍ଫୋରଣ କରିଥିଲେ। କୁହାଯାଉଛି ଯେ, ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।

କୁହାଯାଉଛି ଯେ, ବିଚାରପାଖନା ଠାରୁ ହନ୍ତାଳଗୁଡ଼ାକୁ ଯୋଡୁଥିବା ରାସ୍ତା ନିର୍ମାଣକୁ ମାଓବାଦୀମାନେ ବିରୋଧ କରୁଥିଲେ। ଏହି ରାସ୍ତାର ନିର୍ମାଣ କାମ ନିକଟରେ ଶେଷ ହୋଇଥିଲା। ନିର୍ମାଣ ସମୟରେ ପୋଲିସମାନେ ଡ୍ୟୁଟି ମଧ୍ୟ କରୁଥିଲେ। ଆଜି ମାଓବାଦୀମାନେ ରିମୋର୍ଟ ଜରିଆରରେ ଶକ୍ତିଶାଳୀ ବିସ୍ଫୋରଣ କରିଥିବା ଜଣାପଡ଼ିଛି। ମାତ୍ର ବିସ୍ଫୋରଣରେ କୌଣସି ଜୀବନକୁ କ୍ଷତି ପହଞ୍ଚାଇ ନାହିଁ।

ସୂଚନାଯୋଗ୍ୟ, ସ୍ୱାଭିମାନ ଅଞ୍ଚଳର ସ୍ଥିତି ଜାଣିବା ପାଇଁ ସିଆରପିଏଫ୍‌ ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର ଆଜି ଗସ୍ତ କରିଥିଲେ। ବିଜୟ କୁମାର ଗସ୍ତ କରି ଫେରିବା ପରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଲ୍ୟାଣ୍ଡମାଇନ ବିସ୍ଫୋରଣ ପରେ ସିଆରପିଏଫ୍‌ ଯବାନମାନେ ଅପରେସନ୍‌ ଜାରି ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର