ବିପୁଳ ବେଆଇନ ବିଦେଶୀ ମଦ ଜବତ, ୩ ଗିରଫ

ଖୋର୍ଦ୍ଧା: ଆଜି ଦୁଇଟି ପୃଥକ ମାମଲାରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ବେଆଇନ ବ୍ୟବସାୟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ, ୨୯ ତାରିଖ ରାତି ୭ଟାରୁ ୯ଟା ମଧ୍ୟରେ ପୁଲିସର ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ସୂଚନା ମିଳିଥିଲା । ସୂଚନା ଆଧାରରେ ପୁଲିସର ଦୁଇଟି ଟିମ୍ ଚଢ଼ଉ କରିଥିଲା । ଖୋର୍ଦ୍ଧା ପୌର ପରିଷଦ ଛକ ଠାରେ ବାଙ୍କୀର ତାଳବସ୍ତଠାରୁ ବିଦେଶୀ ମଦ ନେଇ ଆସୁଥିବା ବେଳେ ପୁଲିସ ଦୁଇଜଣଙ୍କୁ ଧରିଥିଲା । ସେମାନଙ୍କ ଠାରୁ ୮୦ ଲିଟର ଭାରତରେ ନିର୍ମିତ ବିଦେଶୀ ମଦ (ଆଇଡି) ଜବତ କରିଥିଲା । ଥାନା ଅଧିକାରୀ ସଂଜୟ ପଟ୍ଟନାୟକ ଏନେଇ କହିଛନ୍ତି ଯେ ଏହି ମଦ ବେଆଇନ ଭାବେ ଅଣାଯାଇ ଖାଲି ମଦ ବୋତଲରେ ଭର୍ତ୍ତି କରି ବିକ୍ରି କରାଯାଉଥିଲା । ସେମାନଙ୍କ ଠାରୁ ସଂଖ୍ୟାଧିକ ଖାଲି ମଦ ବୋତଲ ମଧ୍ୟ ଜବତ କରାଯାଇଛି । ଏନେଇ ୨୫୨/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ ବାଲୁଙ୍କେଶ୍ୱର ମହାପାତ୍ର ଓ ଛବୀନ୍ଦ୍ର କୁମାର ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସେହିଭଳି ଅନ୍ୟ ଏକ ଚଢ଼ଉରେ, ଠେଙ୍ଗାହାଟ ଠାରେ ବେଆଇନ ବିଦେଶୀ ମଦ ବିକ୍ରି କରୁଥିବା ବେଳେ ରବୀନ୍ଦ୍ର ଛୁଆଳସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୧୫ଲିଟର ଆଇଡି ମଦ ଜବତ କରାଯାଇଛି । ଏନେଇ ୨୫୩/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଏସ୍ଆଇ ବିନୟ ଭୂଷଣ ବେହେରା, ଏଏସ୍ଆଇ ବସନ୍ତ ପଟ୍ଟନାୟକ, କନ୍ଷ୍ଟେବଳ ପିକେ ହରିଚନ୍ଦନ, ଏମ୍ ଖାନ୍ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

ସମ୍ବନ୍ଧିତ ଖବର