ଘରଚଟିଆଙ୍କ ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ସମର୍ପିତ ଦୀପାରାଣୀ

ଘରଚଟିଆ ସପ୍ତାହ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପକ୍ଷୀପ୍ରେମୀ ଭାବେ ସଦର ମହକୁମାରେ ବାସ କରୁଥିବା ଦୀପାରାଣୀ ନାୟକ ବେଶ ପରିଚିତ।ଘରଚଟିଆଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ପାଇଁ ଦୀପା ଏକଲା ଚଲୋ ପନ୍ଥା ଆପଣାଇ ଅହରହ ଚେଷ୍ଟା ଜାରି ରଖିଛନ୍ତି। ପ୍ରତିବର୍ଷ ମାର୍ଚ ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଘରଚଟିଆ ସପ୍ତାହ ପାଳନ କରାଯାଉଛି। ଦୀପା ଘରଚଟିଆଙ୍କ ବଂଶବୃଦ୍ଧି ପାଇଁ ନିଜ ସାଥୀ ଏବଂ ବିଭିନ୍ନ ସଂଗଠନର ସହଯୋଗରେ ବିଭିନ୍ନ ସ୍ଥାନରେ ବସା ତିଆରି କରି ରଖନ୍ତି। ବିଲୁପ୍ତ ହେବାକୁ ବସୁଥିବା ଏହି ପ୍ରଜାତିକୁ ରକ୍ଷା କରିବା ପାଇଁ ତାଂକର ଅବଦାନ ଅତୁଳନୀୟ। ବିଭିନ୍ନ ଅଦରକାରୀ ଜିନିଷରେ ନିଜେ ଘରଚଟିଆଙ୍କ ବସା ନିର୍ମାଣ କରିଥାନ୍ତି। ଯେଉଁଠି ବି ଘରଚଟିଆଙ୍କୁ ଦେଖନ୍ତି ସେହି ସ୍ଥାନକୁ କିପରି ସୁରକ୍ଷିତ ରଖିହେବ ସେ ନେଇ ନିଜର ଉଦ୍ୟମ ଜାରି ରଖିଥାନ୍ତି। ବିଶେଷକରି ଲୋକଙ୍କ ଘରେ ଏହି ପକ୍ଷୀ ବସା ବାନ୍ଧି ରହିବାକୁ ପସନ୍ଦ କରିଥାନ୍ତି। ତେବେ ଲୋକେ କିନ୍ତୁ ଏମାନଙ୍କୁ ତଡିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳେ। ଏହି ସମୟରେ ଦୀପା ସମସ୍ତଙ୍କୁ ଏଭଳି ନକରିବା ପାଇଁ ପ୍ରବର୍ତ୍ତାଇବା ସହ ସେମାନଙ୍କ ପାଇଁ ସେହି ଅଂଚଳରେ ବସା ତିଆରି କରି ରଖିଥାନ୍ତି। ପିଲାଟି ଦିନରୁ ପକ୍ଷୀଙ୍କ ପ୍ରତି ରହିଥିବା ଆଗ୍ରହ ବିଶେଷକରି ଘରଚଟିଆଙ୍କ ପାଇଁ ପ୍ରବଳ ରହିଥିବା ଦେଖିବାକୁ ମିଳେ। ବର୍ଷ ତମାମ ସେ ନିଜର ଖର୍ଚ୍ଚରେ ଏବଂ ନିଜର ପ୍ରଚେଷ୍ଟାରେ ହିଁ ଏହି ବଂଶକୁ ବୃଦ୍ଧି କରିବାକୁ ଚେଷ୍ଟା କରିଆସୁଛନ୍ତି।

Sambad

ଘରଚଟିଆ ଦିବସକୁ ପାଳନ କରିବା ପାଇଁ ସେ ବିଭିନ୍ନ ଅନୁଷ୍ଠାନମାନଙ୍କୁ ଅନୁରୋଧ କରିଥାନ୍ତି। ଦୀପାଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଏବଂ ପରେ ଏ ଦିଗରେ କିପରି ସଚେତନତନା ସୃଷ୍ଟି କରାଯାଇପାରିବ ସେନେଇ ଉଦ୍ୟମ କରିଆସୁଛନ୍ତି। ଏହାକୁ ବ୍ୟାପକ କରିବା ଉଦେଶ୍ୟରେ ଓ ଘରଚଟିଆ ପ୍ରତି ଲୋକମାନଙ୍କ ମନରେ ସକାରାତ୍ମକ ଭାବନା ଜାଗ୍ରତ କରିବା ଉଦେଶ୍ୟରେ ସେ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି। ତାଂକର ଏହି ପ୍ରଚେଷ୍ଟା ଲୋକଙ୍କ ମନରେ ବିଶେଷ ପ୍ରଭାବ ପକାଇବ ବୋଲି କୁହାଯାଇଛି।

ଘରଚଟିଆ ବଂଶ ବୃଦ୍ଧି ପାଇଁ ସେ ଜୀବନବ୍ୟାପି ସଂଗ୍ରାମ ଜାରି ରଖିବେ ବୋଲି କହନ୍ତି। ଏପରିକି ସେ ସୋସିଆଲ ମିଡିଆରେ ମଧ୍ୟ ଘରଚଟିଆଙ୍କ ସୁରକ୍ଷା ଏବଂ ସେମାନଙ୍କ ବଂଶ ବୃଦ୍ଧି ପାଇଁ ବିଭିନ୍ନ ପୋଷ୍ଟ ଲେଖି ଲୋକଙ୍କୁ ସଚେତନ କରାଉଛନ୍ତି। ନଚେତ ଦିନ ଆସିବ ଏହି ବଂଶ ପୃଥିବୀରୁ ଲୋପ ପାଇଯିବ ବୋଲି କହନ୍ତି ଦୀପା। ପ୍ରକାଶ ଥାଉକି ଦିଲ୍ଲୀ ସରକାର ୨୦୧୨ ମସିହାରେ ଘରଚଟିଆକୁ ରାଜ୍ୟ ପକ୍ଷୀ ଭାବେ ମାନ୍ୟତା ପ୍ରଦାନ ମଧ୍ୟ କରିଛନ୍ତି। ଏଥିସହ ପାଠ୍ୟପୁସ୍ତକରେ ମଧ୍ୟ ସ୍ଥାନ ଦେଇଛନ୍ତି। ଏପରିକି ଦିଲ୍ଲୀର ସରକାରୀ କାର୍ଯ୍ୟାଳୟ ସମେତ ସମସ୍ତ ସ୍କୁଲ କଲେଜରେ ଘରଚଟିଆ ବସା ତିଆରି କରି ରଖିଛନ୍ତି।

ସମ୍ବନ୍ଧିତ ଖବର