ହକି କିଂବଦନ୍ତି ମାଇକେଲ କିଣ୍ଡୋଙ୍କୁ ଅଶ୍ରୁଳ ବିଦାୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ଶୋକାକୁଳ କ୍ରୀଡ଼ାପ୍ରେମୀଙ୍କ ବିଶାଳ ଶୋଭାଯାତ୍ରା, ହକି ଷ୍ଟାଡିଅମ୍ରେ ପ୍ରଶାସନର ଗାର୍ଡ ଅଫ୍ ଅନର
ରାଉରକେଲା: ହକି କିଂବଦନ୍ତି ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋଙ୍କୁ ଆଜି ଅଶ୍ରୁଳ ବିଦାୟ ଦିଆଯାଇଛି। ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଉରକେଲା ସେକ୍ଟର ୧୯ କବରସ୍ଥାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଆଜି ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ନିଆଯାଇ ବିଜୁ ପଟ୍ଟନାୟକ ହକି ଷ୍ଟାଡିଅମ୍ ଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ବହୁ ଲୋକ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳେ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ (ଆଇଜିଏଚ୍) ମର୍ଗ ହାଉସ୍ରୁ ତାଙ୍କର ମୃତ ଶରୀରକୁ ସେକ୍ଟର-୬ ସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ତାଙ୍କର ପରିବାର ସଦସ୍ୟ, ସମ୍ପର୍କୀୟ ଓ ଜନସାଧାରଣ ଶେଷ ଦର୍ଶନ କରିଥିଲେ। ପରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ବିଜୁ ପଟ୍ଟନାୟକ ହକି ଷ୍ଟାଡିଅମ୍କୁ ନିଆଯାଇଥିଲା। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏଥିରେ ସ୍ବର୍ଗତ କିଣ୍ଡୋଙ୍କ ପତ୍ନୀ ଶୀଲା କିଣ୍ଡୋ, ଆଲବର୍ଟ ଚାର୍ଲ୍ସ କିଣ୍ଡୋ, ଝିଅ ସୁନୀତା କିଣ୍ଡୋଙ୍କ ସମେତ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ, ଆଥ୍ଲେଟ୍ ପଞ୍ଚାନନ ଗନ୍ତାୟତ, ସୁନୀଲ ପାତ୍ର, ବରିଷ୍ଠ ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ, ଅମୂଲ୍ୟ ବେହେରା, ପିଟର ତିର୍କୀ, ରାଜୁକାନ୍ତ ସାଇନି, ଅତିରିକ୍ତ ଜିଲ୍ଲାପାଳ ଅବୋଲି ଏସ୍. ନରୱଣେ, ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ପରେ ମୃତ ଶରୀରକୁ ହମିରପୁର ଚର୍ଚ୍ଚକୁ ନିଆଯାଇ ସେଠାରେ ସାମୂହିକ ପ୍ରାର୍ଥନା କରାଯିବା ସହ ଶ୍ରୀ କିଣ୍ଡୋଙ୍କ କ୍ରୀଡ଼ା ଜୀବନ, ବ୍ୟକ୍ତିଗତ ଜୀବନ ତଥା ଓଡ଼ିଶାରେ ହକିର ବିକାଶ ପାଇଁ ତାଙ୍କର ଅବଦାନ ବିଷୟରେ ବକ୍ତବ୍ୟ ରଖାଯାଇଥିଲା। ସେକ୍ଟର-୧୯ କବରସ୍ଥାନରେ ଆଜି ଅପରାହ୍ଣରେ ଖ୍ରୀଷ୍ଟିଆନ୍ ପରମ୍ପରା ଅନୁସାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା।
ପକ୍ରାଶଥାଉକି, ଶ୍ରୀ କିଣ୍ଡୋ ୧୯୪୭ ଜୁନ ୨୦ ତାରିଖରେ ଝାଡ଼ଖଣ୍ଡ ସୀମଡେଗା ଜିଲ୍ଲାର କୁରଡ଼େଗା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଗାଁ ଦାଣ୍ଡରେ ହକି ଖେଳୁଖେଳୁ ସେ ଭାରତୀୟ ନୌସେନାରେ ସାମିଲ ହୋଇଥିଲେ। ୧୯୬୭-୬୮ ମସିହାରେ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ। ଏହାପରେ ବହୁସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚ୍ରେ ପ୍ରତିନିଧିତ୍ବ କରିବାସହ ୧୯୭୨ ଅଲିମ୍ପିକ୍ରେ ବ୍ରୋଞ୍ଜ୍ ପଦକ ବିଜୟୀ ଭାରତୀୟ ଦଳ ଓ ୧୯୭୫ ମସିହାରେ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ।
୧୯୭୩-୭୪ ମସିହାରେ ସ୍ବର୍ଗତଃ କିଣ୍ଡୋଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରାୟ ୧୦ ବର୍ଷ ଧରି ଭାରତୀୟ ନୌସେନାରେ ଚାକିରି କରିବାପରେ ସେ ରେଳବାଇରେ ଯୋଗଦେଇଥିଲେ। ପରେ ୧୯୭୭ ମସିହାରେ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ରେ ଯୋଗଦେଇଥିଲେ। ଏହାପରଠାରୁ ଓଡ଼ିଶା ହକି ଦଳ ନେତୃତ୍ବ ନେଇ ଅନେକ ଯଶ ଆଣିଦେଇଥିଲେ। ୨୦୦୪ ମସିହାରେ ଆର୍ଏସ୍ପିରୁ ଅବସର ନେଲାପରେ ମଧ୍ୟ ଜିଲ୍ଲାରେ ହକିର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ।