ଶୋକାକୁଳ ପରିବେଶରେ ସମ୍ପନ୍ନ ହେଲା ମଞ୍ଜୁଲତା ବିଶ୍ବାଳଙ୍କ ଅନ୍ତିମ ସଂସ୍କାର

ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ସମିତି ସଭ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ତୃତୀୟ କନ୍ୟା ମଞ୍ଜୁଲତା ବିଶ୍ୱାଳ(୪୪)ଙ୍କ ଶୁକ୍ରବାର ଦିନ ପରଲୋକ ଘଟିଥିବା ବେଳେ, ଶନିବାର ଦିନ ବାମରା(ଗୋବିନ୍ଦପୁର) ଶ୍ମଶାନ ଘାଟରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଯାଇଛି । ଏକମାତ୍ର ପୁଅ ସୁଜଳ ନାୟକ ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ସ୍ୱାମୀ ସୁଧାଂଶୁ ଶେଖର ନାୟକ(ଖୁକୁନା)ଙ୍କ ସମେତ ମଞ୍ଜୁଲତା ଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ସପରିବାର ଉପସ୍ଥିତ ରହି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ।

ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରାଜଗାଙ୍ଗପୁର ବିଧାୟକ ରାଜେନ ଏକ୍କା, କୁଚିଣ୍ଡା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ, ଓବିସି ଚେୟାରମ୍ୟାନ ଅରୁଣ ସାମଲ, ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ସରପଞ୍ଚ ମୀନାକ୍ଷୀ ମାଝି, ବ୍ଲକ କଂଗ୍ରେସ ସଭାପତି କ୍ଷୀରୋଦ କୁମାର ସା, ଉଚ୍ଚକାପାଟ ସମିତି ସଭ୍ୟ ଦିଲିପ ଛତ୍ରିଆ, ବାମରା ଟିଏଫ କଲେଜ ପୂର୍ବତନ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ରାଜ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସ୍ୱାଇଁ, ଶୀତଲ ତିର୍କୀ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ସାହୁ, ଦିଲିପ ଚୌଧୁରୀ, ସୁଶୀଲ ଶର୍ମା, ଶ୍ରୀଧର ସାହୁ, ଜଗଦିଶ ପାଳ, ସୁଶୀଲ ପ୍ରସାଦ ,କୁନୁ ଦାଶ, ଶ୍ୟାମ ସୁନ୍ଦର ଦାସ, ମୁନୁ ରାଜ,ବିକ୍ରମ ସେଠୀ, ଅଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ବର୍ଗତ ମଞ୍ଜୁଲତା ବିଶ୍ୱାଳ ଦୀର୍ଘ ଦିନରୁ ଯକୃତ କର୍କଟ(ଲିଭର କ୍ୟାନ୍ସର)ରେ ପୀଡ଼ିତ ଥାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଥିଲେ ।ତାଙ୍କର ମୃତ୍ୟୁରେ ବାମରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର