ଡାକ୍ତର ଓ ପୁଲିସ କଲେ ଅନ୍ତିମ ସତ୍କାର

ଟାଙ୍ଗୀ : ମହାମାରୀ କରୋନାର କରୁଣ ଚିତ୍ର କାହାରିକୁ ଅଛପା ନାହିଁ। କେଉଁଠି କରୋନାରେ ଆକ୍ରାନ୍ତ ବାପାର ମୃତ ଶରୀରକୁ ପୁଅ ଅନ୍ତିମ ସତ୍କାର କରିବାକୁ ମନା କରୁଥିବା ବେଳେ ଅନ୍ୟ କେଉଁଠି ବାପା ନିଜ ପୁଅର ଶବ ନେବାକୁ ବି ମନା କରୁଛି। ଅନେକ କରୋନା ସଂକ୍ରମିତଙ୍କ ମୃତ ଶରୀରକୁ ‌ସ୍ବେଚ୍ଛାସେବୀ ଦାହ କରିଛନ୍ତି। ସେହିଭଳି ଏକ ଘଟଣା ଘଟିଛି ଟାଙ୍ଗୀ ଥାନା ଅଧୀନସ୍ଥ ସାନରାଉତପଡା ଗ୍ରାମରେ। ପରିବାର ଲୋକ ଓ ଗ୍ରାମବାସୀ ନ ଆସିବାରୁ ଡାକ୍ତର ଓ ପୁଲିସ ମୃତ ବ୍ୟକ୍ତିଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।

ଚାନ୍ଦପୁର କୋଭିଡ୍‌ ହସ୍‌ପିଟାଲ୍‌ରେ ଟାଙ୍ଗୀ ଥାନା ଅଧୀନସ୍ଥ ସାନରାଉତପଡ଼ା ଗ୍ରାମର ହବିବ୍‌ ଖାଁ(୩୯)ଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଜଣାଇ ନିଆଯାଇଥିଲା। କିନ୍ତୁ ଶବ ନେବା ପାଇଁ କିମ୍ବା ଅନ୍ତିମ ସତ୍କାର କରିବାକୁ କେହି ଆସି ନଥିଲେ। ଫଳରେ ଗତ ରାତିରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଜିତେନ୍ଦ୍ର କୁମାର ସାହୁ ,ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ଓ ହୋମ୍‌ଗାର୍ଡ ସୂର୍ଯ୍ୟକାନ୍ତ ମହାପାତ୍ର ପିପିଇ କିଟ୍‌ ପିନ୍ଧି ହବିବ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଡାକ୍ତର ଓ ପୁଲିସ କର୍ମଚାରୀଙ୍କ ଏହି ମହାନ କାର୍ଯ୍ୟକୁ ଟାଙ୍ଗୀ ବ୍ଲକ୍‌ ସାମ୍ବାଦିକ ସଂଘ ପକ୍ଷରୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର