ଅନୁଗୁଳ: ଆଜିର ବସ୍ତୁବାଦୀ ଦୁନିଆରେ ଅନ୍ୟ ପାଇଁ ଲୋକଙ୍କ ପାଖରେ ସମୟ ନାହିଁ। ପାଖରେ ସମ୍ବଳ ଥାଇ ବି ପଡ଼ୋଶୀଙ୍କ ସୁଖଦୁଃଖରେ ସାମିଲ ହେବାକୁ ଉଚିତ ମନେ କରୁ ନାହାନ୍ତି। ଦୁନିଆ ଧୀରେ ଧୀରେ ସ୍ବାର୍ଥପର ହେଇ ଯାଉଥିବା କୁହାଯାଉଛି। ହେଲେ ଏକଥାକୁ ଭୁଲ ପ୍ରମାଣିତ କରିଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମବାସୀ। ଗାଁର ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁରେ ସାରା ଗାଁ ଏକାଠି ହୋଇ ତାଙ୍କ ଶେଷକୃତ୍ୟ କରିଛି। କେବଳ ଏତିକି ନୁହେଁ, ଗ୍ରାମବାସୀ ଚାନ୍ଦା କରି ତାଙ୍କର ଦଶାହ ଓ ଏକାଦଶାହ କର୍ମ ବି କରିଛନ୍ତି। ପୁଣି ସମସ୍ତଙ୍କ ପାଇଁ ଲୁଗାପଟା କରିବା ସହ ଭୋଜିଭାତ ବି ହୋଇଛି। ହମାମିରା ଗାଁର ରାମଚନ୍ଦ୍ର ବେହେରାଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଥିଲା। ତାଙ୍କର ପୁଅ ନାହାନ୍ତି। ଝିଅ ୫ ଜଣ କେବେଠାରୁ ବାହା ହେଇ ସାରିଲେଣି। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ବିଲ୍କୁଲ ଭଲ ନ ଥିଲାବେଳେ ସାହାଯ୍ୟ କଲା ପରି କେହି ସଂପର୍କୀୟ କି ବନ୍ଧୁବାନ୍ଧବ ନ ଥିଲେ। ତେଣୁ ବହୁ କଷ୍ଟରେ ରାମଚନ୍ଦ୍ର ଚଳୁଥିଲେ। ସେ ଅସୁସ୍ଥ ହେବା ସମୟରେ ଗାଁ ଲୋକେ ସାହାଯ୍ୟ ସହଯୋଗ କରି ଡାକ୍ତରଖାନା ନେଉଥିଲେ।
ଗତ ଏପ୍ରିଲ ପହିଲାରେ ହଠାତ୍ ତାଙ୍କ ପରଲୋକ ହେବା ପରେ ତାଙ୍କ ଶେଷକୃତ୍ୟ କେମିତି ହେବ ତାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ନିଜ ଜ୍ଞାତି କୁଟୁମ୍ବ ଭାବେ ସେମିତି କେହି ନ ଥିବାରୁ କିଏ ତାଙ୍କୁ କାନ୍ଧ ଦେବ, କିଏ ସାଙ୍ଗରେ ଯିବ ତା’କୁ ନେଇ ଝିଅମାନେ ଚିନ୍ତାରେ ପଡ଼ି ଯାଇଥିଲେ। ଏହି ସମୟରେ ଗାଁ ଲୋକ ଆଗକୁ ବାହାରିଥିଲେ। ପ୍ରତି ଘରୁ ଜଣେ ଜଣେ ଆସି ରାମଚନ୍ଦ୍ରଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଆଉ ଏହି ସମୟରେ ହିଁ ଆଲୋଚନା ହୋଇଥିଲା ତାଙ୍କ ଦଶାହ ଓ ଏକାଦଶାହ କର୍ମ କରାଯିବ। ରାମଚନ୍ଦ୍ରଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲେ ମଧ୍ୟ ଗାଁର ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ସେ ବେଶ ସକ୍ରିୟ ଥିଲେ। ତେଣୁ ତାଙ୍କର କ୍ରିୟାକର୍ମ ଯେମିତି ଭଲଭାବେ ହେବ ସେଥିନେଇ ଗ୍ରାମବାସୀ ପରସ୍ପର ଭିତରେ ଆଲୋଚନା କରିଥିଲେ। ପରେ ଯୁବଗୋଷ୍ଠୀ ଏକାଠି ହୋଇ ବାହାରେ ଚାକିରି କରୁଥିବା ଗାଁର କିଛି ଲୋକଙ୍କ ପାଖରୁ ଟଙ୍କା ସଂଗ୍ରହ କରିଥିଲେ। ଗ୍ରାମବାସୀ ମଧ୍ୟ ସ୍ବଇଚ୍ଛାରେ ନିଜ ସାଧ୍ୟ ମୁତାବକ ଆର୍ଥିକ ସାହାଯ୍ୟ କରିଥିଲେ।
ପ୍ରତି ଘରୁ କିଛି କିଛି ଟଙ୍କା ମିଳିବା ପରେ ପାଖାପାଖି ୫୦ ହଜାର ଟଙ୍କା ସଂଗ୍ରହ ହୋଇ ପାରିଥିଲା। ଆଉ ଏହି ଟଙ୍କାରେ ତାଙ୍କ ଦଶାହ ଓ ଏକାଦଶାହ କର୍ମ ଭଲ ଭାବେ କରାଯାଇପାରିଛି। ରାମଚନ୍ଦ୍ରଙ୍କ ଝିଅମାନେ ମଧ୍ୟ କିଛି ଟଙ୍କା ଦେବା ପରେ ସମସ୍ତଙ୍କ ପାଇଁ ଲୁଗାପଟା କରାଯିବା ସହ ଭୋଜିଭାତ ହୋଇଛି। ଗାଁରେ ରାମଚନ୍ଦ୍ରଙ୍କର ନିଜର ବୋଲି କେହି ନ ଥିଲେ ମଧ୍ୟ ଆଜି ତାଙ୍କ ପାଇଁ ହମାମିରା ଗାଁ ଏକାଠି ହୋଇ ପାରିଛି। ଆଜି ତାଙ୍କର ଏକାଦଶାହ ଥିଲାବେଳେ ପ୍ରାୟ ୭ ଶହ ଗ୍ରାମବାସୀ ଶୋକସଭାରେ ସାମିଲ ହୋଇ ତାଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତି। ଏଥିପାଇଁ ଗାଁରେ ଏକ ପର୍ବ ପରି ବାତାବରଣ ସୃଷ୍ଟି ହୋଇଥିଲା। ଗାଁ ଲୋକେ ନିଜେ ଖୁଣ୍ଟ ପୋତି ପାଲ ଭିଡ଼ିବା ସହ ଭୋଜିର ରନ୍ଧାବଢ଼ା କରିଛନ୍ତି। ନିଜର କାମ ଭାବି ପତ୍ର ବି ଉଠାଇଛନ୍ତି। ଗାଁ ସାରା ଲୋକ ଏକାଠି ଖାଇ ଏକତାର ବାର୍ତ୍ତା ବାଣ୍ଟିଛନ୍ତି। ଏଥିନେଇ ଗାଁର ଯୁବକ ସୁବ୍ରତ ଅମାନ୍ତ କହିଛନ୍ତି ଯେ ରାମଚନ୍ଦ୍ର ବେହେରାଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲେ ମଧ୍ୟ ସେ ଗାଁର ଜଣେ ମୁରବି ଭଳି ଲୋକ ଥିଲେ। ତେଣୁ ତାଙ୍କୁ ଶେଷ ସମ୍ମାନ ଜଣାଇବା ଆମ ଗାଁର ଦାୟିତ୍ବ ଥିଲା। ଆଉ ଏହାକୁ ଗ୍ରାମବାସୀ ଭଲ ଭାବେ ତୁଲାଇ ପାରିଛନ୍ତି। ତାଙ୍କ ମୃତ୍ୟୁ ପରଠାରୁ ଏକାଦଶାହ କର୍ମ ପର୍ଯ୍ୟନ୍ତ କେଉଁଠି ବି ସାମାନ୍ୟ ଉଣା କରାଯାଇନି। ବରଂ, ଧନୀ ଲୋକମାନଙ୍କ ପରି ଭଲ ଭାବେ ସମସ୍ତ କ୍ରିୟାକର୍ମ କରାଯାଇଛି। ଏଥିପାଇଁ ଗ୍ରାମବାସୀଙ୍କ ପାଖରୁ ଟଙ୍କା ସଂଗ୍ରହ କରାଯାଇଥିଲା। ଖର୍ଚ୍ଚ ହେଲା ପରେ ଯାହା ବଳକା ରହିବ ତାଙ୍କ ପରିବାରକୁ ତାହା ଦିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଯୁବକମାନଙ୍କ ଏମିତି ପ୍ରୟାସକୁ ଗାଁର ବରିଷ୍ଠ ନାଗରିକ ମାନେ ପ୍ରଶଂସା କରିଛନ୍ତି। ଏହି ଧାରା ଆଗକୁ ଜାରି ରଖିବା ସହ ଅସହାୟମାନଙ୍କୁ ନିଜ ଲୋକ ଭାବି ସାଧ୍ୟମତେ ସାହାଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।