ବାଲେଶ୍ବର: ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟାରେ ଛନ୍ଦି ହୋଇ ବହୁ ଗରିବ ଲୋକ ବର୍ଷ ବର୍ଷ ଧରି କୋର୍ଟକୁ ଦୌଡ଼ୁଛନ୍ତି କିମ୍ବା ଅପରାଧ ଦଣ୍ଡଠାରୁ ଅଧିକ ସମୟ ଜେଲ୍‌ରେ ହିଁ ରହି ଯାଉଛନ୍ତି। ଯାହାକୁ ନେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି। ତେବେ ମାମଲା ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବାରୁ ଏଥିରେ ବିଶେଷ କିଛି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ।
ସଦ୍ୟ ସମାପ୍ତ ଶେଷ ବିଧାନସଭା ଅଧିବେଶନରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ବାଲେଶ୍ବର ଜିଲ୍ଲାରେ ପଡ଼ିରହିଥିବା ବିଚାରାଧୀନ ମାମଲା ସଂପର୍କରେ ପଚାରିଥିବା ପ୍ରଶ୍ନ ଓ ତହିଁରୁ ମିଳିଥିବା ଉତ୍ତର ଯେତିକି ଉଦ୍‌ବେଗଜନକ ସେତିକି ନୈରାଶ୍ୟଜନକ। ଗତ ୩ ବର୍ଷ ମଧ୍ୟରେ ଜିଲ୍ଲାର ୩୭ଟି ଅଦାଲତରେ ୬୭ ହଜାର ୭୭୪ ମାମଲା ଫଇସଲା ହୋଇଛି ଓ ୧ ଲକ୍ଷ ୨୭ ହଜାରରୁ ଅଧିକ ମାମଲା ବିଚାରାଧୀନ ଅଛି। ଚଳିତବର୍ଷ ଜାନୁଆରି ୩୧ ତାରିଖ ସୁଦ୍ଧା ବିଚାରାଧୀନ ମାମଲା ସଂଖ୍ୟା ବଢ଼ି ବଢ଼ି ୧ ଲକ୍ଷ ୨୭ ହଜାର ୭୭୭ରେ ପହଞ୍ଚିଛି। ସେଥିମଧ୍ୟରୁ ୮୯ ହଜାରରୁ ଅଧିକ ଫୌଜଦାରୀ ମାମଲା ଓ ୩୮ ହଜାର ୫୦୦ରୁ ଅଧିକ ଦେୱାନୀ ମାମଲା। ସୂଚନା ଅନୁସାରେ, ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ୪୩୬୪, ଆଡହକ ଅତିରିକ୍ତ ଦୌରାଜଜ୍‌ (ଫାଷ୍ଟଟ୍ରାକ୍)ଙ୍କ ଅଦାଲତରେ ୪୦୪, ଅତିରିକ୍ତ ଜିଲ୍ଲାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ୪୯୫, ପରିବାର ଅଦାଲତରେ ୪୩୨୨, ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ୩୩୧, ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ୮୬୮, ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ୯୬୩, ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ୫୨୦, ସ୍ବତନ୍ତ୍ର ଅଦାଲତ(ଏସ୍‌ସି/ଏସ୍‌ଟି)ରେ ୧୦୩୮, ଓପିଆଇଡି ଅଦାଲତରେ ୧୮୪, ଅତିରିକ୍ତ ଜିଲ୍ଲା ଜଜ୍‌ (ଏଲଆର୍‌ ଆଣ୍ଡ୍‌ ଏଲ୍‌ଟିଭି)ଙ୍କ ଅଦାଲତରେ ୩୬, ବାଲେଶ୍ବର ସିଜେଏମ୍‌ଙ୍କ ଅଦାଲତରେ ୨୮୪, ରେଜିଷ୍ଟ୍ରାର ତଥା ସହକାରୀ ଦୌରାଜଜ୍‌ (ସ୍ପେଶାଲ ଟ୍ରାକ୍‌ କୋର୍ଟ)ରେ ୧୯୮, ବରିଷ୍ଠ ସିଭିଲ ଜଜ୍‌ଙ୍କ ଅଦାଲତରେ ୭୪୭୭, ବରିଷ୍ଠ ସିଭିଲ ଜଜ୍‌ (ଏଲ୍‌ଆର୍‌ ଆଣ୍ଡ୍‌ ଏଲ୍‌ଟିଭି)ଙ୍କ ଅଦାଲତରେ ୧୬୦୮, ପ୍ରଥମ ଅତିରିକ୍ତ ବରିଷ୍ଠ ସିଭିଲ ଜଜ୍‌ଙ୍କ ଅଦାଲତରେ ୧୪୬୪, ଦ୍ବିତୀୟ ବରିଷ୍ଠ ସିଭିଲ୍‌ ଜଜ୍‌ଙ୍କ ଅଦାଲତରେ ୧୦୫୨, ତୃତୀୟ ଅତିରିକ୍ତ ବରିଷ୍ଠ ସିଭିଲ ଜଜ୍‌ (ପ୍ରିନ୍ସିପାଲ ମାଜିଷ୍ଟ୍ରେଟ୍‌, ଜେଜେବି)ଙ୍କ ଅଦାଲତରେ ୧୬୦୯, ସବ୍‌ଜଜ୍‌ଙ୍କ ଅଦାଲତରେ ୩୧୫୧, ଅତିରିକ୍ତ ସବ୍‌ଜଜ୍‌ଙ୍କ ଅଦାଲତରେ ୧୦୩୪, ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ୧୯୪୧୬, ଜେଏମ୍‌ଏଫ୍‌ସି (ରୁରାଲ)ରେ ୬୨୨୯, ଜେଏମ୍‌ଏଫ୍‌ସି (ସିଟି)ରେ ୭୦୪୯, ଜେଏମ୍‌ଏସ୍‌ସି ବାଲେଶ୍ବର (୧)ରେ ୧୬୮, ଜେଏମ୍‌ଏସ୍‌ସି ବାଲେଶ୍ବର (୨)ରେ ୧୬୯, ଜେଏମ୍‌ଏସ୍‌ସି ବାଲେଶ୍ବର (୩)ରେ ୧୬୬, ବରିଷ୍ଠ ସିଭିଲ ସବ୍‌ଜଜ୍‌ (ଜଳେଶ୍ବର)ଙ୍କ ଅଦାଲତରେ ୩୯୯୮, ସିଭିଲ ଜଜ୍‌ଙ୍କ ଅଦାଲତରେ ୨୭୨୫, ଜେଏମ୍‌ଏଫ୍‌ସି (ଜଳେଶ୍ବର)ରେ ୬୪୬୦, ବରିଷ୍ଠ ସିଭିଲ୍‌ ସବ୍‌ଜଜ୍‌ (ସୋର)ଙ୍କ ଅଦାଲତରେ ୩୪୭୮, ସିଭିଲ ଜଜ୍‌ ଜେଏମ୍‌ଏଫ୍‌ସି (ସୋର)ଙ୍କ ଅଦାଲତରେ ୧୪୭୧, ଜେଏମ୍‌ଏଫ୍‌ସି (ସୋର)ଙ୍କ ଅଦାଲତରେ ୧୮୬୫୬, ବରିଷ୍ଠ ସିଭିଲ ଜଜ୍‌ ତଥା ଅତିରିକ୍ତ ସବ୍‌ଜଜ୍‌ (ନୀଳଗିରି)ଙ୍କ ଅଦାଲତରେ ୨୦୫୩, ସିଭିଲ ଜଜ୍‌ ତଥା ଏସ୍‌ଡିଜେଏମ୍‌ (ନୀଳଗିରି)ଙ୍କ ଅଦାଲତରେ ୮୩୧୯, ଗ୍ରାମ୍ୟ ନ୍ୟାୟ ଅଧିକାରୀ (ଭୋଗରାଇ)ଙ୍କ ଅଦାଲତରେ ୬୪୭୮, ସିଭିଲ ଜଜ୍‌ ତଥା ଜେଏମ୍‌ଏଫ୍‌ସି (ବସ୍ତା)ରେ ୯୫୪୦ଟି ଫୌଜଦାରୀ ଓ ଦେୱାନୀ ମାମଲା ବିଚାରାଧୀନ ରହିଛି।
ଅଦାଲତରେ ଠିକ୍‌ ସମୟରେ ସାକ୍ଷୀ ଉପସ୍ଥିତ ନରହିବା, ମାମଲା‌ରେ ଜଡ଼ିତ ଦସ୍ତାବିଜଗୁଡ଼ିକ ନିର୍ଦ୍ଧାରିତ ସମୟରେ ଦାଖଲ ନ ହୋଇପାରିବା, ବିଚାରପତିଙ୍କ ପଦ ଫାଙ୍କା ରହିବା ଆଦି କାରଣରୁ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହୋଇ ପାରୁନାହିଁ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ। ଅନ୍ୟପକ୍ଷରେ ଜିଲ୍ଲା ଓକିଲ ସଂଘ ସଭାପତି ମନୋଜ କୁମାର ନାୟକଙ୍କ କହିବା ଅନୁସାରେ, ପୂର୍ବାପେକ୍ଷା ଏବେ ବିଚାରାଧୀନ ମାମଲା ସଂଖ୍ୟା ଢେର କମିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ତତ୍ପରତା ଦେଖାଇ ସବୁ ଜିଲ୍ଲାରେ ଅଧିକରୁ ଅଧିକ ଅଦାଲତ ପ୍ରତିଷ୍ଠା ଦିଗରେ ଯତ୍ନବାନ ହେଉଛନ୍ତି। ବିଭିନ୍ନ ସମୟରେ ସ୍ବତନ୍ତ୍ର କ୍ୟାମ୍ପ କୋର୍ଟ ଓ ଲୋକ ଅଦାଲତ ଜରିଆରେ ମାମଲାଗୁଡ଼ିକର ସମାଧାନ କରାଯାଉଛି।