‘ଲାଓ୍ଵାରିସ୍‌ ଓ୍ଵାର୍ଡ’ରେ ନର୍କ ଯନ୍ତ୍ରଣା

ଝାରସୁଗୁଡ଼ା: ମାରାତ୍ମକ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇଥିବା ଅସହାୟ ରୋଗୀ ଯାହାଙ୍କ କେହି ସଂପର୍କୀୟ ଲୋକ ନଥାନ୍ତି ତାଙ୍କ ଚିକିତ୍ସା ପ୍ରଦାନ ପାଇଁ ଝାରସୁଗୁଡ଼ା ଡାକ୍ତରଖାନା ପରିସରରେ ଏକ ସ୍ୱତନ୍ତ୍ର ଓ୍ଵାର୍ଡ ଅଛି। ‘ଲାଓ୍ଵାରିସ୍‌ ଓ୍ଵାର୍ଡ’ ବୋଲି କୁହାଯାଉଥିବା ବେଳେ ଓଡ଼ିଆରେ ଏହାର ଅର୍ଥ ଅନାଥ। ପ୍ରକୃତରେ ଏହି ଓ୍ଵାର୍ଡର ନାମକରଣ ସହିତ ଏହାର ଶତପ୍ରତିଶତ ସାମଞ୍ଜସ୍ୟ ରହିଛି। ଓ୍ଵାର୍ଡ଼ ଭିତରେ ୫ ମିନିଟ ରହିବା ମଧ୍ୟ ଭାରି କଷ୍ଟକର। ଚିଡ଼ିଆଖାନାରେ ଯନ୍ତୁ ରଖିଲା ଭଳି ଏହି ଓ୍ଵାର୍ଡ଼ରେ ମଣିଷଙ୍କୁ ଚିକିତ୍ସା କରାଯାଏ। ପୁତି ଦୁର୍ଗନ୍ଧମୟ ପରିବେଶରେ ରୋଗୀମାନେ ଏଠାରେ ନର୍କ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗତ ୨/୩ ମାସ ହେଲା ପଡ଼ି ରହିଛନ୍ତି ଦୁଇ ଜଣ ବରିଷ୍ଠ ନାଗରିକ। ଜଣେ ବୃଦ୍ଧ ଓ ଜଣେ ବୃଦ୍ଧା।

ବୃଦ୍ଧଙ୍କ ନାମ ଲାଲବାହାଦୁର ଥାପା ବୟସ ୬୫ରୁ ଅଧିକ ହେବ। ବେଲପାହାଡ଼ ମହୁଲପଡ଼ାଠାରେ ରାସ୍ତା କଡ଼ରେ ପଡ଼ିଥିବା ଏହି ବୃଦ୍ଧଙ୍କ ପାଦ ନିକଟରେ ଆଘାତ ଲାଗି ତାହା ସଂକ୍ରମିତ ହୋଇ ତହିଁରେ କୀଟ ଲାଗି ଯାଇଥିଲେ। ସେଠିକାର କିଛି ଯୁବକ ଏହି ବୃଦ୍ଧଙ୍କୁ ଧରିଆଣି ଏଠାରେ ଭର୍ତ୍ତି କରିଥିଲେ। ସେହି ଦିନରୁ ଲାଲବାହାଦୁର ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଗୋଡ଼ରେ ଗଭୀର କ୍ଷତ ଯୋଗୁଁ ସେ ଚାଲିବାରେ ସଂପୂର୍ଣ୍ଣ ଅକ୍ଷମ। ତେଣୁ ଖଟରେ ପଡ଼ି ରହିଛନ୍ତି। ଜଣେ ସାହାଯ୍ୟ ନକଲେ ଝାଡ଼ା ପରିସ୍ରା ବା ଶୌଚ ହେବା ଅସମ୍ଭବ। ଝାଡ଼ା ପରିସ୍ରା ଖଟରେ ହୋଇଯାଉଥିବାରୁ ଏହି ଓ୍ଵାର୍ଡ଼କୁ ସଫା ରଖିବା ମଧ୍ୟ ଭାରି କଷ୍ଟ।

ସେହି ଖଟରେ ଖାଇବା, ଶୋଇବା ସହିତ ଝାଡ଼ା ପରିସ୍ରା ସବୁ ହେଉଥିବାରୁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଏହି ବୃଦ୍ଧ। ଏହି ଓ୍ଵାର୍ଡ଼ର ଅନ୍ୟ ଏକ ଶଯ୍ୟାରେ ପଡ଼ିଛନ୍ତି ଜଣେ ବୃଦ୍ଧା । ନାମ ଗ୍ରାମ କିଛି କହୁନଥିବା ଏହି ବୃଦ୍ଧା କେବଳ ଗୋଟିଏ କଥା କହିଥାନ୍ତି ‘ମୁଝେ ସାଇ ଦରବାର ଜାନା ହେ’। ଏହା କହି ସେ ତାଙ୍କ ବେଡ଼୍‍ରୁ ତଳକୁ ମଧ୍ୟ ଓହ୍ଲାନ୍ତି ନାହିଁ। ଇଚ୍ଛା ହେଲେ ଶୌଚ ହେବାକୁ ଯାଆନ୍ତି ନହେଲେ ନାହିଁ। ସବୁ ବେଳେ ଖଟରେ ଘୋଡ଼େଇ ହୋଇ ପଡ଼ିଥାନ୍ତି। କଥାବାର୍ତ୍ତାରୁ ଏହି ବୃଦ୍ଧା ପଞ୍ଜାବ କିମ୍ବା ହରିଆନାର ବୋଲି ଜଣାପଡ଼ୁଛି। ତାଙ୍କ ପରିବାରର କେହି ସଦସ୍ୟ ଅଛନ୍ତି ନା ନାହିଁ କାହାକୁ ଜଣା ନାହିଁ। ଏହି ଓ୍ଵାର୍ଡ଼କୁ ଡାକ୍ତର ଓ ସେବିକାମାନେ ମଧ୍ୟ ନିୟମିତ ଆସୁନଥିବା ଅଭିଯୋଗ ହେଉଛି।

ଏ ସଂପର୍କରେ ଡାକ୍ତରଖାନା ପରିଚାଳକ କହିଛନ୍ତି ଯେ ଏଠାରେ ଉଭୟଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଓ୍ଵାର୍ଡ଼ ନିକଟରେ ପରିସ୍ରାଗାର ଥିବା ଓ ପେଥୋଲୋଜି ଲାବ ଥିବାରୁ ଏହାର ଦୁର୍ଗନ୍ଧ ଆସୁଥିବା ବେଳେ ବୃଦ୍ଧଙ୍କ ଗୋଡ଼ରେ ହୋଇଥିବା ପୋକ କାଢ଼ିବା ପାଇଁ ହାଇଡ଼୍ରୋଜେନ୍‌ ପାରାକସାଇଡ଼ ଓ ତାରପିନ୍‌ ଅଏଲ ବାହାରୁ କିଣି ଘା’ ସଫା କରାଯାଉଥିବା କହିଛନ୍ତି। ଏହା କେବଳ ଗୋଟିଏ ଦୃଷ୍ଟାନ୍ତ ନୁହେଁ, ଜିଲ୍ଲା ସଦର ଡାକ୍ତରଖାନାରେ ଏଭଳି ଅନେକ ଘଟଣା ଲୋକଲୋଚନକୁ ଆସୁନାହିଁ। ବହୁ ସମୟରେ ରୋଗୀମାନେ ଡାକ୍ତରଖାନା ପରିସରରେ ଅଭାବନୀୟ ପରିସ୍ଥିତିରର ସମ୍ମୁଖୀନ ହେଉଛନ୍ତି। ରୋଗୀମାନେ ଗ୍ରାମାଂଚଳୋର ମଧ୍ୟ ସ୍ୱାସ୍ଥ୍ୟ ସେବା ପାଉ ନଥିବା ବେଳେ ଆଶା ନେଇ ସଦର ଡାକ୍ତରଖାନା ଆସୁଛନ୍ତି। ଏଠାରେ ମଧ୍ୟ ଚିକିତ୍ସା ବ୍ୟବସ୍ଥା ଠିକ ନଥିବାରୁ ନାନାଦି ହଇରାଣ ହେଉଥିବା ସମୟ ବ୍ୟବଧାନରେ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର