ବାଲେଶ୍ବର: ଆଇନକାନୁନକୁ ନେଇ ଲଢ଼େଇ କରୁଥିବା ଜଣେ ଆଇନଜୀବୀ ମଧ୍ୟ ବିଚାର ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ବସିଲେ। ଶେଷରେ ଅତିଷ୍ଠ ହୋଇ କୋର୍ଟ ପରିସରରେ ଜୀବନ ହାରିବାକୁ ବିଷ ପିଇ ଦେଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ପରିବାର ଅଦାଲତରେ। ବାଲେଶ୍ବର ସହରର ରାଜଶ୍ରୀ ବେହେରା ନାମକ ଜଣେ ମହିଳା ଆଇନଜୀବୀ ଓ ତାଙ୍କ ସ୍ବାମୀ ସନାତନ ବାରିକଙ୍କ ମଧ୍ୟରେ ସଂପର୍କ ଭଲ ନ ଥିଲା। ଫଳରେ ଦୀର୍ଘ ୧୩ ବର୍ଷ ହେଲା ବାଲେଶ୍ବର ପରିବାର ଅଦାଲତରେ ସେମାନଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିଲା। ତାରିଖ ପରେ ତାରିଖ ଗଡ଼ୁଥିଲେ ବି ଉଭୟଙ୍କ ସଂପର୍କକୁ ନେଇ କୌଣସି ସମାଧାନର ବାଟ ବାହାରି ପାରୁ ନ ଥିଲା। ଫଳରେ ରାଜଶ୍ରୀ ମାନସିକ ଦୁଶ୍ଚିନ୍ତା ଭିତରେ ରହୁଥିଲେ।
ଆଜି ପରିବାର ଅଦାଲତରେ ରାଜଶ୍ରୀ ଓ ତାଙ୍କ ସ୍ବାମୀ ସନାତନଙ୍କ ବିଚ୍ଛେଦ ମାମଲାର ବିଚାର ପାଇଁ ତାରିଖ ସ୍ଥିର ହୋଇଥିଲା। ଠିକଣା ସମୟରେ ସ୍ବାମୀ-ସ୍ତ୍ରୀ କୋର୍ଟରେ ଉପସ୍ଥିତ ହୋଇଥିଲେ। ରାଜଶ୍ରୀ କାଠଗଡାରେ ନିଜ ସ୍ବାମୀଙ୍କୁ ଜେରା କରିଥିଲେ। କୋର୍ଟ କାର୍ଯ୍ୟ ସରିବା ପରେ ଯିଏ ଯାହା ବାଟରେ ଚାଲିଯାଇଥିଲେ। ହେଲେ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଥିବା ରାଜଶ୍ରୀ ଆତ୍ମହତ୍ୟା ଉଦ୍ଦେଶ୍ୟରେ ନିଜ ଭ୍ୟାନିଟି ବ୍ୟାଗ୍ରେ ରଖିଥିବା ବିଷ କାଢ଼ି ପିଇ ଦେଇଥିଲେ।
କୋର୍ଟରେ ଉପସ୍ଥିତ ଥିବା ଆଇନଜୀବୀ ଓ ଅନ୍ୟମାନେ ହଠାତ୍ କିଛି ବୁଝିପାରିନଥିଲେ। ଘଟଣା ବାବଦରେ ଜାଣିବା ପରେ ଏକ ଅଟୋ ସାହାଯ୍ୟରେ ରାଜଶ୍ରୀଙ୍କୁ ବାଲେଶ୍ବର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ଡାକ୍ତରଙ୍କ ସୂତ୍ରରୁ ଏବେ ରାଜଶ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/8772f96e-bcac-45e5-bb1b-84d40c8b6119.jpg)